ସୁରକ୍ଷା ପରିଷଦରେ ପୁଣି କାଶ୍ମୀର ପ୍ରସଙ୍ଗ ; ଚୀନ୍‌କୁ ରୋକିଲା ଫ୍ରାନ୍ସ

ନ୍ୟୁୟର୍କ : କାଶ୍ମୀର ପ୍ରସଙ୍ଗକୁ ଆନ୍ତର୍ଜାତିକ ମଞ୍ଚରେ ଉଠାଇବା ଉଦ୍ୟମ କରି ବାରମ୍ବାର ଧକ୍କା ଖାଇବା ସତ୍ତ୍ବେ ଚୀନ୍‌ ଏଥିରୁ କ୍ଷାନ୍ତ ହେଉ ନାହିଁ। ସମ୍ପ୍ରତି ଜାତିସଙ୍ଘ ସୁରକ୍ଷା ପରିଷଦ ବୈଠକରେ ପୁନର୍ବାର ଏହି ପ୍ରସଙ୍ଗ ଉଠାଇବାକୁ ଚୀନ୍‌ ଉଦ୍ୟମ କଲାବେଳେ ଫ୍ରାନ୍ସର ବିରୋଧ ଯୋଗୁଁ ବିଫଳ ହୋଇଛି। କାଶ୍ମୀର ପ୍ରସଙ୍ଗ ଭାରତ ଓ ପାକିସ୍ତାନର ଦ୍ବିପାକ୍ଷିକ ଏବଂ ଏହା ସେହି ଦୁଇ ଦେଶ ମଧ୍ୟରେ ଆଲୋଚନା ଦ୍ବାରା ସମାଧାନ ହେଉ ବୋଲି ଫ୍ରାନ୍ସ ସ୍ପଷ୍ଟ କରିବା ସହ ଏ ବିଷୟରେ ସୁରକ୍ଷା ପରିଷଦରେ ଆଲୋଚନା ନ କରିବାକୁ ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କୁ କହିଥିବା ସୂଚନା ମିଳିଛି। ବୁଧବାର ନ୍ୟୁୟର୍କଠାରେ ସୁରକ୍ଷା ପରିଷଦ ସଦସ୍ୟ ରାଷ୍ଟ୍ରଙ୍କ ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଫ୍ରିକୀୟ ରାଷ୍ଟ୍ର ସମ୍ପର୍କିତ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା; କିନ୍ତୁ ‘ଅନ୍ୟ ପ୍ରସଙ୍ଗ’ ଆଧାରରେ ଚୀନ୍‌ କାଶ୍ମୀର ପ୍ରସଙ୍ଗ ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲା। ପୂର୍ବରୁ ବାରମ୍ବାର ଏହି ମାମଲାରେ ଭାରତକୁ ସମର୍ଥନ କରିଆସିଥିବା ଫ୍ରାନ୍ସର ପ୍ରତିନିଧି ତୁରନ୍ତ ଏହାର ପ୍ରତିବାଦ କରିଥିଲେ; ଫଳରେ କାଶ୍ମୀର ପ୍ରସଙ୍ଗ ବୈଠକର କାର୍ଯ୍ୟସୂଚୀରେ ସ୍ଥାନ ପାଇପାରି ନ ଥିଲା। ଫ୍ରାନ୍ସ କୂଟନୈତିକ ଅଧିକାରୀଙ୍କ ସୂତ୍ରରୁ ପ୍ରକାଶ ଯେ ତାଙ୍କ ଦେଶ କାଶ୍ମୀର ପ୍ରସଙ୍ଗରେ ଗ୍ରହଣ କରିଥିବା ନୀତିରେ କୌଣସି ପରିବର୍ତ୍ତନ କରି ନାହିଁ। ପୂର୍ବରୁ ବିଭିନ୍ନ ମଞ୍ଚରେ ଫ୍ରାନ୍ସ ଏହା ସ୍ପଷ୍ଟ କରିଛି ଯେ ଭାରତ-ପାକିସ୍ତାନ ଆଲୋଚନା ମାଧ୍ୟମରେ କାଶ୍ମୀର ସମସ୍ୟାର ସମାଧାନ କରନ୍ତୁ। ଭବିଷ୍ୟତରେ ମଧ୍ୟ ଫ୍ରାନ୍ସର ଏହି ନୀତି ଅପରିବର୍ତ୍ତିତ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।
ଡିସେମ୍ବର ମାସରେ ଅନୁଷ୍ଠିତ ସୁରକ୍ଷା ପରିଷଦ ବୈଠକରେ ଚୀନ୍‌ର ଏଭଳି ଉଦ୍ୟମକୁ ଫ୍ରାନ୍ସ ସମେତ ଆମେରିକା, ରୁଷିଆ ଓ ବ୍ରିଟେନ୍‌ ବିରୋଧ କରିଥିଲେ। ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ କହିଥିଲେ ଯେ କାଶ୍ମୀର ପ୍ରସଙ୍ଗରେ ତାଙ୍କ ଦେଶ ବନ୍ଧୁ ପାକିସ୍ତାନକୁ ସମର୍ଥନ କରିବ। ଏହା ପଛରେ ତାଙ୍କ ଦେଶର ସ୍ବାର୍ଥ ନିହିତ ରହିଛି। ପୂର୍ବରୁ ଜାତିସଙ୍ଘ ସାଧାରଣ ପରିଷଦ ବୈଠକରେ ଚୀନ୍‌ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍‌ ୟି କାଶ୍ମୀରର ପୁନର୍ଗଠନ ସମ୍ପର୍କରେ କହିଥିଲେ ଯେ ଏହାର ଭୌଗୋଳିକ ସ୍ଥିତିରେ ଭାରତ ଏକପାଖିଆ ଭାବେ କୌଣସି ପରିବର୍ତ୍ତନ କରିପାରିବ ନାହିଁ। ଏ ନେଇ ଚୀନ୍‌ ସମାଲୋଚିତ ହୋଇଥିଲା। ପାକିସ୍ତାନ ଓ ଚୀନ୍‌ ବାରମ୍ବାର ଜାତିସଙ୍ଘରେ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ସମର୍ଥନ ପାଇ ନାହାନ୍ତି।

Comments are closed.