ଜଳବାୟୁ ସୃଷ୍ଟ ବିଭୀଷିକା ସମଗ୍ର ବିଶ୍ୱକୁ କବଳିତ କରିଛି – ଆଣ୍ଟୋନିଓ ଗୁଟେରସ୍‍

ନୂଆଦିଲ୍ଲୀ: ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍‍ ରବିବାର କହିଛନ୍ତି, ଜଳବାୟୁ ଦ୍ୱାରା ସୃଷ୍ଟ ବିଭୀଷିକା ସମଗ୍ର ବିଶ୍ୱକୁ କବଳିତ କରିଚାଲିଛି ଏବଂ ଏକ ଦୁଃଖଦ ଯବନିକା ପତନ ପୂର୍ବରୁ ଏହାର ମୁକାବିଲା ପାଇଁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକତା ରହିଛି। ଆବୁଧାବିଠାରେ ଦୁଇଦିନିଆ ଜଳବାୟୁ ସଂକ୍ରାନ୍ତ ବୈଠକରେ ଗୁଟେରସ୍‍ କହିଛନ୍ତି, ଏବେ ଜଳବାୟୁ ବିଶୃଙ୍ଖଳିତ ଅବସ୍ଥା ଦେଇ ଗତି କରୁଛି। ସେ କହିଛନ୍ତି, ବିଶ୍ୱର ପ୍ରମୁଖ ବୈଜ୍ଞାନିକମାନଙ୍କ ପୂର୍ବାନୁମାନ ଆଶଙ୍କାଠାରୁ ଏହା ଅଧିକ କ୍ଷୀପ୍ର ଗତିରେ ଅଗ୍ରସର ହେଉଛି।

ଆସନ୍ତା ସେପ୍ଟେମ୍ବର ମାସରେ ନ୍ୟୁୟର୍କଠାରେ ଜଳବାୟୁ କାର୍ଯ୍ୟାନୁଷ୍ଠାନ ଶିଖର ବୈଠକ ଆୟୋଜନ ପୂର୍ବରୁ ଆବୁଧାବି ଜଳବାୟୁ ବୈଠକରେ ଏଥିପାଇଁ ପ୍ରାକ୍‍ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହେଉଛି। ବିପଦପୂର୍ଣ୍ଣ ଧୂଆଁ ନିର୍ଗମନକୁ କମାଇବା ଏବଂ ଜାଗତିକ ଉଷ୍ମତା ହ୍ରାସ ପାଇଁ ହୋଇଥିବା ପ୍ୟାରିସ ରାଜିନାମା ଦ୍ୱାରା ସମସ୍ୟାର ସମାଧାନ ହେବା ପାଇଁ ପଥ ଉନ୍ମକ୍ତ ହେବ ବୋଲି ଜାତିସଂଘ ମୁଖ୍ୟ ଆଶା ପ୍ରକାଶ କରିଛନ୍ତି। ଆସନ୍ତା ୨୦୩୦ ମସିହା ସୁଦ୍ଧା ଜଳବାୟୁ ସମ୍ପର୍କୀତ ବିଭୀଷିକାର ମୁକାବିଲା ପାଇଁ ରାଷ୍ଟ୍ରଗୁଡିକ ବାର୍ଷିକ ୩ଶହ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ପଡିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

Comments are closed.