ଦିଲ୍ଲୀ ହିଂସାରେ ୩୭ ମୃତ – ଦୁଃଖ ପ୍ରକାଶ କଲେ ଜାତିସଂଘ ମହାସଚିବ

ସମାଜ ପୋର୍ଟାଲ ଡେସ୍କ: ସମ୍ପ୍ରତି ଉତ୍ତରପୂର୍ବ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନକୁ ନେଇ ଉପୁଜିଥିବା ହିଂସାରେ ମୃତ୍ୟୁ ସଂଖ୍ୟା ୩୭କୁ ବୃଦ୍ଧି ପାଇଥିବା ବେଳେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଗୁଟେରସଙ୍କ ମୁଖପାତ୍ର କହିଛନ୍ତି, ହିଂସା କ୍ଷେତ୍ରରେ ଅତ୍ୟଧିକ ବଳ ପ୍ରୟୋଗ କରାଯିବା ଉଚିତ ନୁହେଁ। ଦିଲ୍ଲୀରେ ଉପୁଜିଥିବା ହିଂସାରେ ୨୦୦ ଜଣ ଆହତ ହେବା ସହ ଅନେକ ବ୍ୟବସାୟିକ ପ୍ରତିଷ୍ଠାନ ଭସ୍ମୀଭୂତ ହୋଇଛି, ଲୁଟପାଟ, ପଥର ମାଡ ଓ ଲୋକମାନଙ୍କ ଉପରେ ଆକ୍ରମଣ ହୋଇଛି।

ଗୁଟେରସଙ୍କ ମୁଖପାତ୍ର ଷ୍ଟିଫେନ କହିଛନ୍ତି, ଜାତିସଂଘ ମହାସଚିବ ଦିଲ୍ଲୀ ହିଂସା ଜନିତ ମୃତ୍ୟୁ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ଓ ସଂଜମତା ରକ୍ଷା କରିବା ପାଇଁ ଆହ୍ୱାନ ଦେଇଛନ୍ତି। ନୂଆ ନାଗରିକତା ସଂଶୋଧନ ଆଇନକୁ ନେଇ ମହାସଚିବଙ୍କ କଣ ଅଭିମତ ରହିଛି ଓ ମହାସଚିବ ଏ ସମ୍ପର୍କରେ ଭାରତ ସରକାରଙ୍କ ସହ କଥା ହୋଇଛନ୍ତି କି ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ମୁଖପାତ୍ର କହିଛନ୍ତି ଯେ ଗୁଟେରସ ଘଟଣା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି ଏବଂ କହିଛନ୍ତି ଯେ ସୁରକ୍ଷା ବଳ ଧୈର୍ଯ୍ୟର ସହ ମୁକାବିଲା କରିବା ଆବଶ୍ୟକ ଓ ପ୍ରଦର୍ଶନକାରୀଙ୍କୁ ଶାନ୍ତିପୂର୍ଣ୍ଣ ଭାବରେ ପ୍ରଦର୍ଶନ ପାଇଁ ସୁଯୋଗ ଦେବା ଆବଶ୍ୟକ।

ଇତି ମଧ୍ୟରେ ବୈଦେଶିକ ଵ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରବିଶ କୁମାର କହିଛନ୍ତି, ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ହିଂସା ରୋକିବା ଓ ସାଧାରଣ ଜନଜୀବନ ସ୍ଥାପନ ଦିଗରେ ଅହରହ ଉଦ୍ୟମ କରୁଛନ୍ତି। ଏଭଳି ସମୟରେ ଯେ କେହି ବି ହୁଅନ୍ତୁନା କାହିଁକି ପ୍ରତିକୂଳ ମନ୍ତବ୍ୟ ଦେବାରୁ ଦୁରେଇ ରହିବ ଉଚିତ ବୋଲି ସେ କହିଛନ୍ତି।

Comments are closed.