ମରାଡୁର ଶିକ୍ଷା : ବେଆଇନ ନିର୍ମାଣ ଉପରେ ପ୍ରଭାବ ପଡ଼ିବ

ପରିବେଶ ଆଇନ ଉଲ୍ଲଙ୍ଘନ କରି କେରଳର କୋଚି ନିକଟସ୍ଥ ମରାଡୁ ପୌରାଞ୍ଚଳରେ ନିର୍ମିତ ଏକାଧିକ ବହୁତଳବିଶିଷ୍ଟ ଆବାସିକ ଅଟ୍ଟାଳିକା (ଫ୍ଲାଟ)କୁ ପରିଶେଷରେ ସୁପ୍ରିମକୋର୍ଟଙ୍କ ନି​ର୍ଦେଶକ୍ରମେ ବିସ୍ଫୋରକ ଲଗାଇ ମାଟିରେ ମିଶାଇ ଦିଆଯାଇଛି। ଏହାଦ୍ବାରା ଏହିସବୁ ଫ୍ଲାଟ୍‌ରେ ବସବାସ କରୁଥିବା ୩୫୦ ପରିବାର ବାସହରା ହୋଇଛନ୍ତି। ଚଢ଼ାମୂଲ୍ୟ​​ରେ‌‌ ଫ୍ଲାଟ୍‌ କିଣିଥିବା ଏହି ଲୋକମାନେ କ୍ଷତିପୂରଣ ବାବଦରେ ସର୍ବୋଚ୍ଚ ଅଦାଲତଙ୍କ ନି​‌ର୍ଦେଶ ମୁତାବକ ପାଇଛନ୍ତି ପରିବାର ପିଛା ମାତ୍ର ୨୫ ଲକ୍ଷ ଟଙ୍କା। ଘର କରିବା ଓ କିଣିବା ମଣିଷର ଏକ ଆଦିମ ଦୁର୍ବଳତା। ଏହା ସହିତ ଅନେକ ଆବେଗ, ଆବଶ୍ୟକତା, ଶ୍ରମ ଓ ଶ୍ରଦ୍ଧା ଜଡ଼ିତ ହୋଇଥାଏ। ଜୀବନସାରା କରିଥିବା ସଞ୍ଚୟର ଏକ ବଡ଼ ଭାଗ ଘର କିଣିବା ଓ ନିର୍ମାଣରେ ବିନିଯୋଗ ହୁଏ। ଭାରତରେ ସରକାର ଗୃହ ନିର୍ମାଣ ଓ ବାସହୀନଙ୍କୁ ଆବାସ ଯୋଗାଇବାକୁ ଅଗ୍ରାଧିକାର ଦେଉଥିବାବେଳେ ଲୋକଙ୍କ ଘର ଭାଙ୍ଗିବା ଏବଂ ସେମାନଙ୍କୁ ଉଚିତ୍‌ କ୍ଷତିପୂରଣ ନ ମିଳିବାକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ତେବେ ମରାଡୁ ଘଟଣାକୁ ଏଇ ମାନବୀୟ ଭାବନା ଭିତରେ ସୀମିତ କରି ଦେଖିବା ଠିକ୍‌ ନୁହେଁ।
ଦେଶରେ ଆଇନ ରହିଛି ଓ ତାହାର ଉଲ୍ଲଙ୍ଘନ ଅବଶ୍ୟ ଦଣ୍ଡନୀୟ। ​‌େ​‌ଦଶରେ ପରିବେଶ ସୁରକ୍ଷା ନେଇ ଆଇନ ରହିଥିଲେ ହେଁ ତାହାର ଉପଯୁକ୍ତ କାର୍ଯ୍ୟକାରିତା ଏ ଯାଏ ସମ୍ଭବ ହୋଇ ନାହିଁ। ଆଇନର ଦୁର୍ବଳତା, ଦୁର୍ନୀତି, ରାଜନୈତିକ ଚାପ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ପରିବେଶ ସୁରକ୍ଷା ଆଇନକୁ ଉଲ୍ଲଂଘନ କରାଯାଉଛି। ମରାଡୁର ଏଇ ବିଳାସପୂର୍ଣ୍ଣ ଫ୍ଲାଟ୍‌ଗୁଡ଼ିକରେ ବସବାସ କରୁଥିବା ଅଧିକାଂଶ ପରିବାର ଧନାଢ଼୍ୟ ଏବଂ ସ୍ବଚ୍ଛଳବର୍ଗର। ତେଣୁ ସେମାନଙ୍କୁ ସମସ୍ତଙ୍କୁ ବାସହୀନ ବିଚାର କରିବା ଓ ଏହା ସେମାନଙ୍କର ଏକମାତ୍ର ଘର ବୋଲି ଭାବିବା ଠିକ୍‌ ନୁହେଁ। ଯାବତୀୟ ଚାପ ପ୍ରୟୋଗ କରି ପରିବେଶ ଆଇନ୍‌କୁ ଭାଙ୍ଗି ଏକ ସ୍ପର୍ଶକାତର ହ୍ରଦ ଅଞ୍ଚଳ​‌େ​‌ର ଘର କିଣିବାର ଫଳ ସେମାନେ ଭୋଗିଛନ୍ତି ; କିନ୍ତୁ ଯେଉଁ ବିଲ୍‌ଡ଼ର ଏବଂ ସେମାନଙ୍କ ପଛରେ ଥିବା ରାଜନେତା ତଥା ପ୍ରଭାବଶାଳୀ ଲୋକମାନେ ଏଇ ପ୍ରକଳ୍ପରେ ଥିଲେ ଆର୍ଥିକ ଦୃଷ୍ଟିରୁ ସେମାନଙ୍କର କିଛି କ୍ଷତି ହୋଇ ନାହିଁ କିମ୍ବା ସେମାନେ ଦଣ୍ଡିତ ହୋଇନାହାନ୍ତି। ଏବେ ବିଚାର କରିବାର କଥା ଯେ, ଏଇ ଘଟଣାର ପ୍ରଭାବ କ’ଣ ପଡ଼ିବ? ମରାଡୁ ଘଟଣା ଲୋକଙ୍କୁ ଚେତାଇ ଦେଇଛି ଯେ ବେଆଇନ ଭାବେ ନିର୍ମିତ ଆପାର୍ଟମେଣ୍ଟ କିଣିଲେ ବିପଦ ସୁନିଶ୍ଚିତ। ବିଶେଷ କରି ପରିବେଶ ଦୃଷ୍ଟିରୁ ସ୍ପର୍ଶକାତର ଅଞ୍ଚଳରେ ନିର୍ମିତ ଆପାର୍ଟମେଣ୍ଟ ଓ ଫ୍ଲାଟଗୁଡ଼ିକୁ ଏଣିକି ସରକାର ନ ଭାଙ୍ଗିଲେ ସର୍ବୋଚ୍ଚ ଅଦାଲତ ଛାଡ଼ିବେ ନାହିଁ। ଏହାଛଡ଼ା ଯିଏ ଏସବୁ ବେଆଇନ ଘର କିଣିବେ ସେମାନେ ଭବିଷ୍ୟତରେ ବିପଦରେ ପଡ଼ିବା ନିଶ୍ଚିତ। ବେଆଇନ ଭାବେ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ବିଲ୍‌ଡ଼ର ମଧ୍ୟ ଏଣିକି ସାବଧାନ ହେବାକୁ ବାଧ୍ୟ; କାରଣ ଏଇ ଘଟଣା ଏକ ଉଦାହରଣ ହୋଇରହିବ। ସର୍ବୋପରି ଅଧିକୃତ ଓ ବିଶ୍ବସ୍ତ ନିର୍ମାଣକାରୀ ସଂସ୍ଥା ଅସାଧୁ ପ୍ରତିଯୋଗିତାରୁ ରକ୍ଷା ପାଇଁ ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଇବାର ସୁଯୋଗ ପାଇବେ।
ଓଡ଼ିଶାରେ ଏବେ ଆପାର୍ଟମେଣ୍ଟ ଓ ଫ୍ଲାଟ୍‌ ନିର୍ମାଣ ରାଜଧାନୀ ଭୁବନେଶ୍ବର ସମେତ ଅନ୍ୟାନ୍ୟ ପ୍ରମୁଖ ସହରରେ ଜୋର୍‌ସୋର୍‌ ଚାଲିଛି। ଏଥିରେ ଅନେକ ଠକ ସଂସ୍ଥା ରାଜନୈତିକ ପୃଷ୍ଠପୋଷକତା ଲାଭ କରି ବେଆଇନ ନିର୍ମାଣ କରିବା ସହ ସେସବୁକୁ ଲୋକଙ୍କୁ ଚଢ଼ା ମୂଲ୍ୟରେ ବିକୁଛନ୍ତି। ରିୟଲ୍‌ ଇଷ୍ଟେଟ୍‌ ଉଦ୍ୟୋଗର ମାନ୍ୟତା ପାଇବା ପରେ ଏହା ତ୍ବରାନ୍ବିତ ହୋଇଛି। ତେବେ ପରିବେଶ ଆଇନର ଦୁର୍ବଳତା ଏବଂ ରାଜନୈତିକ ପୃଷ୍ଠପୋଷକତା ଯୋଗୁଁ ବିଭିନ୍ନ ନିଷିଦ୍ଧ ସ୍ଥାନରେ ଫ୍ଲାଟ୍‌ମାନ ବେଆଇନ ଭାବେ ଗଢ଼ିଉଠୁଛି। ଭୂକମ୍ପପ୍ରବଣ ଅଞ୍ଚଳ, ସମୁଦ୍ରବେଳା, ନଦୀ, ହ୍ରଦ, ଜଳାଶୟ କୂଳ, ଆର୍ଦ୍ରଭୂମି, ପାହାଡ଼ ଓ ମୁଣ୍ଡିଆ କୌଣସି ସ୍ଥାନ ବାଦ୍‌ ପଡ଼ୁନାହିଁ। ଜମିମାଫିଆମାନେ ସରକାରୀ ଜାଗା ସହ ବ୍ୟକ୍ତିଗତ ସମ୍ପତ୍ତିକୁ କଳାକୌଶଳ ଓ ବାହୁବଳ ପ୍ରୟୋଗ କରି ଜବରଦଖଲ କରୁଛନ୍ତି। କର୍ତ୍ତୃପକ୍ଷଙ୍କ ସହଯୋଗରେ ଏସବୁ ଖୋଲାଖୋଲି ଚାଲୁଛି। ଆଇନକୁ ଯଦି ମୂଳରୁ କଡ଼ାକଡ଼ି ପାଳନ କରାଯାଆନ୍ତା; ଘର ଭାଙ୍ଗିବା ଯାଏ କଥା ଯାଆନ୍ତା ନାହିଁ। ରାଜଧାନୀ ମହାନଗର ନିଗମରେ ବେଆଇନ ଭାବେ ନିର୍ମିତ ଆପାର୍ଟମେଣ୍ଟ ଓ ଅଟ୍ଟାଳିକା ସବୁକୁ ବିସ୍ଫୋରକ ଲଗାଇ ମରାଡୁ ଭଳି ଉଡ଼ାଇ ଦିଆଯିବ ବୋଲି ଜଣେ ତୁଙ୍ଗ ଅଧିକାରୀ କହିଛନ୍ତି। ସେ ଏହା କରି ଓଡ଼ିଶା ପାଇଁ ଉଦାହରଣ ସୃଷ୍ଟି କରିପାରିବେ ତ ? ଏଇଥିପାଇଁ ସରକାରୀ ଓ ରାଜନୈତିକସ୍ତରରେ ତାଙ୍କୁ ସମର୍ଥନ ମିଳିବା ସମ୍ଭାବନା କ୍ଷୀଣ। କେବଳ ଅଦାଲତଙ୍କ ନି​‌ର୍ଦେଶ ଏ କ୍ଷେତ୍ରରେ ସହାୟକ ହେବ। ଓଡ଼ିଶାର ନଗରୀମାନ ବେଆଇନ ଅଟ୍ଟାଳିକା ଓ ଆପାର୍ଟମେଣ୍ଟ କଂକ୍ରିଟ୍‌ ଜଙ୍ଗଲ ପାଲଟିବା ପୂର୍ବରୁ ସମସ୍ତଙ୍କୁ ସତର୍କ ରହିବାକୁ ହେବ।

Comments are closed.