ବୃଦ୍ଧଙ୍କୁ ଦଳି ମାରିଦେଲା ଦନ୍ତା
ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଣ୍ଡକିଟାଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧ ଜଣକ ସମ୍ବଲପୁର ଜିଲା ମାନପୁର ଅନ୍ତର୍ଗତ ହର୍ଲିପାଲି ଗ୍ରାମର ନାରାୟଣ ଭୋଇ(୭୮)। ବନବିଭାଗ ଠାରୁ ମିଳିଥିବା ସୂଚନା ଅନୁଯାୟୀ ପଣ୍ଡକିଟାଲ ଗ୍ରାମରେ ଥିବା ତାଙ୍କ ଝିଅ ଜ୍ୱାଇଁଙ୍କ ଘରେ ଦୀର୍ଘ ବର୍ଷ ହେଲା ମୃତ ବୃଦ୍ଧା ଜଣକ ରହି ଆସୁଥିଲେ। ଗୁରୁବାର ବିଳମ୍ବିତ ରାତିରେ ପଣ୍ଡକିଟାଲ ଗ୍ରାମ ଭିତରକୁ ହାତୀଟି ପଶି ଆସିଥିଲା। ଏହା ଜାଣିପାରି ନାରାୟଣଙ୍କ ପରିବାରର ୬ ଜଣ ସଦସ୍ୟ ଜୀବନ ବିକଳରେ ଦୌଡି ପଳାଇ ଯାଇଥିଲେ। ମାତ୍ର ନାରାୟଣ ହାତୀ ହାବୁଡରେ ପଡ଼ିଯାଇଥିଲେ। ପରେ ଦନ୍ତା ହାତୀଟି ତାଙ୍କୁ କଚାଡି ଦଳି ଦେଇଥିଲା। ଘଟଣା ସ୍ଥଳରେ ହିଁ ନାରାୟଣଙ୍କ ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ଉଲୁଣ୍ଡା ବନବିଭାଗ ଅଧିକାରୀ ଏବଂ ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ। ତେବେ ମୃତକଙ୍କ ପରିବାର ଲୋକଙ୍କୁ ବନବିଭାଗ ତରଫରୁ ୪୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ବନପାଳ ଦିନେଶ କୁମାର ମାଝୀ ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।
Comments are closed.