ଉଜ୍ଜ୍ୱଳା ଯୋଜନାକୁ ପୁରିଲା ୪ ବର୍ଷ – ୮ କୋଟି ମହିଳା ଉପକୃତ

ସମାଜ ପୋର୍ଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶରେ ମହିଳାମାନଙ୍କୁ ସଶକ୍ତ କରିଛି। ଏହି ଯୋଜନା ଅଧୀନରେ ଦେଶର ଗରିବ ପରିବାରର ୮ କୋଟି ମହିଳାଙ୍କୁ ମାଗଣାରେ ଏଲ୍‍.ପି.ଜି. ସଂଯୋଗ ଯୋଗାଇ ଦିଆଯାଇଛି। ଉତ୍ତର ପ୍ରଦେଶର ବାଲିଆଠାରେ ୨୦୧୬ ମେ ମାସ ପହିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଉଦଘାଟିତ ଏହି ଯୋଜନାକୁ ଆଜି ୪ବର୍ଷ ପୁରିଛି। ସେହି ବର୍ଷ ଜୁନ୍‍ ୧୬ ତାରିଖରେ ଓଡ଼ିଶାର ସମ୍ବଲପୁରରେ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସାଂସଦ ଜୁଏଲ୍‍ ଓରାମ ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଗତକାଲି ସୁଦ୍ଧା ୪ କୋଟି ୨୬ ଲକ୍ଷ ରିଫିଲ୍‍ ସିଲିଣ୍ଡର ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଇଛି।

ଗତମାସ ୨୯ ତାରିଖ ସୁଦ୍ଧା ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀମାନଙ୍କୁ ୨୪ ଲକ୍ଷ ୫୦ ହଜାର ସିଲିଣ୍ଡର୍‍ ବିତରଣ କରାଯାଇଛି। ରାଜ୍ୟରେ ଏହି ଯୋଜନାରେ ୪୫ ପ୍ରତିଶତ ଅନୁସୂଚୀତ ଜାତି ଓ ଜନଜାତି ବର୍ଗର ହିତାଧିକାରୀ ଥିବା ଜଣାପଡ଼ିଛି। ଓଡ଼ିଶାରେ ମୋଟ ୪୭ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଉପକୃତ ହୋଇଛନ୍ତି। ସେହିପରି ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ଏଲ୍‍.ପି.ଜି. ବିତରକଙ୍କ ସଂଖ୍ୟା ଅଢ଼େଇଗୁଣ ବୃଦ୍ଧି ପାଇଛି।

Comments are closed.