ପରିବର୍ତ୍ତନର ବାହକ ସାଜିବେ ‘ଉଜ୍ଜ୍ୱଳା ଦିଦି’ : ଧର୍ମେନ୍ଦ୍ର ପ୍ରଧାନ

0
୭ କୋଟି ଗରିବ ମହିଳାଙ୍କୁ ମିଳିଛି ମାଗଣା ଗ୍ୟାସ ସଂଯୋଗ, ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ

ଭୁବନେଶ୍ୱର : ଉଜ୍ଜ୍ୱଳା ସାମାଜିକ ପରିବର୍ତନ ଓ ନାରୀ ସଶକ୍ତିକରଣର ପ୍ରମୁଖ ମାଧ୍ୟମ ସାଜିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଶନିବାର ଭୁବନେଶ୍ୱରରେ ‘ଉଜ୍ଜ୍ୱଳା ଦିଦି’ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି, ଉଜ୍ଜ୍ୱଳା ଦିଦି ପରିବର୍ତନର ବାହକ ସାଜିବେ।
ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଦେଶରେ ୧୩ ହଜାର କୋଟି ବିନିଯୋଗରେ ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ ମିଳିଛି। ତନ୍ମଧ୍ୟରୁ ଓଡ଼ିଶାରେ ୪୦ ଲକ୍ଷ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଉଜ୍ଜ୍ୱଳା ଯୋଜନା ଦେଶର କୋଟି କୋଟି ମହିଳାଙ୍କ ସ୍ୱପ୍ନକୁ ସାକାର କରି ସେମାନଙ୍କୁ ସଶକ୍ତ କରିଛି। ସେହିପରି କେନ୍ଦ୍ର ସରକାର ବର୍ତମାନ ସୁଦ୍ଧା ୪ କୋଟି ଗରିବ ଘରକୁ ବିଜୁଳି ସଂଯୋଗ ପହଞ୍ଚାଇଛନ୍ତି ଏବଂ ୧ କୋଟି ୪୦ ଲକ୍ଷ ଗରିବଙ୍କୁ ପକ୍କା ଘର ପ୍ରଦାନ କରିଛନ୍ତି। ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ବାସଗୃହ ଯୋଗାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଏହି ସମାବେଶରେ ଯୋଗଦେଇଥିବା ଓଡ଼ିଶାର ୧୦ ହଜାର ଉଜ୍ଜ୍ୱଳା ଦିଦିଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବୋଧିତ କରି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି। ଏହି ଦାୟିତ୍ୱ ହେଉଛି ଗରିବ ଓ ଅପହଞ୍ଚଙ୍କ ପାଖରେ ଉଜ୍ଜ୍ୱଳା ଗ୍ୟାସ ସଂଯୋଗ ପହଂଚାଇବା, ଗ୍ରାମାଞ୍ଚଳର ଭଉଣୀମାନଙ୍କୁ ଉଜ୍ଜ୍ୱଳାର ବ୍ୟବହାର ଓ ଲାଭ ସମ୍ପର୍କରେ ବୁଝାଇବା ଏବଂ ଗ୍ୟାସ ବ୍ୟବହାର ସମୟରେ ସେମାନେ ସମ୍ମୁଖୀନ ହେଉଥିବା ଅସୁବିଧାର ସମାଧାନ କରିବା। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଜ୍ଜ୍ୱଳା ଦିଦିମାନଙ୍କୁ ଉଜ୍ଜ୍ୱଳା ଶପଥ ପାଠ କରାଇଥିଲେ।

Photo Courtesy : PIB

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (ପିଏମ୍‍ୟୁୱାଇ) କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ଼ ସଫଳ ଯୋଜନା ମଧ୍ୟରୁ ଅନ୍ୟତମ। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୨୦୧୬ ମଇ ମାସ ୧ ତାରିଖରେ ଉତରପ୍ରଦେଶର ବଲିଆଠାରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଓଡ଼ିଶାର ସମ୍ବଲପୁରଠାରେ ୨୦୧୬ ମସିହା ଜୁନ ମାସ ୨୦ ତାରିଖରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଥିଲା। ଏହା ଫଳରେ ଓଡ଼ିଶାର ପ୍ରତି ଘରେ ଏଲପିଜି ବ୍ୟବହାରରେ ଅଦ୍ଭୂତପୂର୍ବ ବୃଦ୍ଧି ଦେଖିବାକୁ ମିଳିଛି – ୨୦୧୪ ମସିହା ଜୁନ ମାସରୁ ୨୦ ଲକ୍ଷରୁ ବୃଦ୍ଧି ପାଇ ୨୦୧୯ ମସିହା ଫେବୃୟାରୀ ମାସରେ ଏହା ୭୮ ଲକ୍ଷରେ ପହଞ୍ଚିଛି। ଓଡ଼ିଶାରେ ଏହି ଯୋଜନା କାର୍ଯ୍ୟକାରୀର ଅଢେଇ ବର୍ଷ ମଧ୍ୟରେ, ଗରିବ ମହିଳାମାନଙ୍କୁ ବିନା କୌଣସି ସୁରକ୍ଷା ଜମା ରାଶିରେ ୩୯ ଲକ୍ଷ ପିଏମ୍‍ୟୁୱାଇ ସଂଯୋଗୀକରଣ ଦିଆଯାଇଛି, ଯାହାକି ସମଗ୍ର ରାଜ୍ୟରେ ଦିଆଯାଇଥିବା ଏଲପିଜି ଉପଭୋକ୍ତାଙ୍କ ୫୦%। ଓଡ଼ିଶାରେ ମୋଟ ଏଲପିଜି ବ୍ୟବହାରକାରୀ ୨୦୧୪ ଜୁନ ମାସଠାରୁ ୨୦% ବୃଦ୍ଧି ଘଟି ୭୩% ରେ ପହଞ୍ଚିଛି।

ଉଜ୍ଜ୍ୱଳା ଯୋଜନା କ୍ରିର୍ଯ୍ୟାନ୍ୱୟନକୁ ଆହୁରି ସୁଦୃଢ଼ କରିବା ପାଇଁ ତୈଳ ବପଣନ କମ୍ପାନୀ (ଓଏମ୍‍ସି)ମାନେ ‘ଉଜ୍ଜ୍ୱଳା ଦିଦି’ ଭଳି କାର୍ଯ୍ୟକ୍ରମର ପରିକଳ୍ପନା କରିଛନ୍ତି। ଉଜ୍ଜ୍ୱଳା ଦିଦିମାନେ ହେଉଛନ୍ତି ଗ୍ରାମୀଣ ମହିଳା ଉପଭୋକ୍ତା, ପିଏମ୍‍ୟୁୱାଇ ଉପଭୋକ୍ତାଙ୍କ ଦ୍ୱାରା ଚିହ୍ନଟ ହୋଇଛନ୍ତି, ଯେଉଁମାନେ ଗ୍ରାମୀଣ ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ଭଲ ଭାବରେ ବୁଝିଛନ୍ତି। ଏହି ଦିଦିମାନେ ଗ୍ରାମୀଣ ପରିବାରର ଶକ୍ତି ଆବଶ୍ୟକତାକୁ ମଧ୍ୟ ଭଲ ଭାବରେ ବୁଝିପାରନ୍ତି। ଏହି ପରିବର୍ତ୍ତିତ ଶକ୍ତିର ପ୍ରଭାବ ଦିନକୁ ଦିନ ଗ୍ରାମୀଣ ମହିଳାଙ୍କ ଜୀବନ ତଥା ସେମାନଙ୍କ ପରିବାରରେ କିପରି ପରିବର୍ତନ ଆଣିପାରିଛି ସେ ବିଷୟରେ ବିଶ୍ଳେଷଣ ମଧ୍ୟ କରିପାରିଛନ୍ତି। ଉଜ୍ଜ୍ୱଳା ଦିଦି ବର୍ତ୍ତମାନ ଏବଂ ଭବିଷ୍ୟତ ଏଲପିଜି ଉପଭୋକ୍ତା ଏବଂ ବିତରକଙ୍କ ମଧ୍ୟରେ ଏକ ସେତୁ ଭଳି କାର୍ଯ୍ୟ କରିବେ। ଗ୍ରମାଞ୍ଚଳ ଘରୋଇ ଉର୍ଜା କ୍ଷେତ୍ର ଏବଂ ବିତରଣ ନେଟ୍‍ୱର୍କରେ ସେମାନଙ୍କ ସକରାତ୍ମକ ହସ୍ତକ୍ଷେପ ରିଫିଲ୍‍ ବୁକିଂରେ ସହଜ, ନୂତନ ସଂଯୋଗ ଜାରି କରିବା ଏବଂ ଶକ୍ତିର ସ୍ଥାୟୀ ଉପଯୋଗରେ ସମସ୍ତଙ୍କୁ ସହଯୋଗ କରିବ। ୧୦,୦୦୦ରୁ ଊର୍ଦ୍ଧ୍ବ ଉଜ୍ଜ୍ୱଳା ଦିଦିଙ୍କୁ ଚିହ୍ନଟ କରାଯାଇଛି, ଯେଉଁମାନେ ସମଗ୍ର ଓଡ଼ିଶାରେ ଉର୍ଜା ବାହକ ଭାବେ କାର୍ଯ୍ୟ କରିବେ। ଏହି କାର୍ଯ୍ୟକ୍ରମରେ ତୈଳ ବିପଣନ କମ୍ପାନୀଗୁଡିକର ବରିଷ୍ଠ ଅଧିକାରୀଙ୍କ ସହ ପ୍ରଖ୍ୟାତ ଅଭିନେତ୍ରୀ ଅପରାଜିତା ମହାନ୍ତି ଏବଂ ଅନୁ ଚୌଧୁରୀ ଉପସ୍ଥିତ ଥିଲେ।

Leave A Reply