ଆଧାର ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମରେ ମତାମତ ସଂଗ୍ରହ କରିବ ୟୁଆଇଡିଏଆଇ!

0

ନୂଆଦିଲ୍ଲୀ : ଆଧାର କାର୍ଡର ଆବଶ୍ୟକତାକୁ ନେଇ ସୃଷ୍ଟ ବିତର୍କକୁ ଦୃଷ୍ଟିରେ ରଖି ଏ ସମ୍ବନ୍ଧରେ ସାମାଜିକ ଗଣମାଧ୍ୟମ ଦ୍ୱାରା ମତାମତ ସଂଗ୍ରହ କରିବାକୁ ଭାରତୀୟ ଏକକ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଯୋଜନା କରୁଛନ୍ତି। ସମୀକ୍ଷକ, ପ୍ରଭାବଶାଳୀ ଲୋକ ତଥା ନକାରାତ୍ମକ ଚିନ୍ତାଧାରା ସମ୍ବଳିତ ପ୍ରସଙ୍ଗକୁ ସାମାଜିକ ଗଣମାଧ୍ୟମରେ ପ୍ରଭାବହୀନ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ ବୋଲି ପ୍ରାଧିକରଣ କର୍ତ୍ତୃପକ୍ଷ କହିଛନ୍ତି। ମାତ୍ର ଏହି ଯୋଜନା ବିରୋଧରେ ତୃଣମୂଳ କଂଗ୍ରେସ ନେତା ମହୁଆ ମୈତ୍ର ସୁପ୍ରିମକୋର୍ଟଙ୍କ ଆଶ୍ରୟ ନେଇଛନ୍ତି। ସାମାଜିକ ଗଣମାଧ୍ୟମର ନିରୀକ୍ଷଣ କେନ୍ଦ୍ର ସ୍ଥାପନ ଲାଗି କେନ୍ଦ୍ର ସରକାର ନିଜ ନିଷ୍ପତ୍ତି ପ୍ରତ୍ୟାହାର କରିବାର ଦିନକ ପୂର୍ବରୁ, ଅର୍ଥାତ୍‍ ଗୁରୁବାର ମୈତ୍ର ୟୁଆଇଡିଏଆଇର ଏହି ଯୋଜନା ବିରୋଧରେ ସର୍ବୋଚ୍ଚ ଅଦାଲତରେ ଏକ ଆବେଦନ କରିଥିବା ବିଶେଷସୂତ୍ରରୁ ଜଣାପଡିଛି। ଅନ୍‍ଲାଇନ୍‍ରେ ଆଧାର ସମ୍ବନ୍ଧରେ ହେଉଥିବା ଆଲୋଚନା ନିରୀକ୍ଷଣ କରିବା ଦ୍ୱାରା ମଧ୍ୟ ବ୍ୟକ୍ତିଗତ ଅଧିକାର କ୍ଷୁଣ୍ଣ ହେବ ବୋଲି ମୈତ୍ର ନୂତନ ଆବେଦନରେ ଦର୍ଶାଇଛନ୍ତି। ଅନ୍ୟପଟେ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ବିରୋଧରେ ମୈତ୍ରଙ୍କର କେତୋଟି ଆବେଦନ ବିଚାରାଧୀନ ରହିଛି ତାହାର ଏକ ତାଲିକା ପ୍ରଦାନ କରିବାକୁ ତାଙ୍କ ଓକିଲ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହା ଗ୍ରହଣ କରି ନ ଥିଲେ।
କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ଯୋଜନାଗୁଡିକ ସମ୍ବନ୍ଧରେ ମତାମତ ସଂଗ୍ରହ ନିମନ୍ତେ ଏସ୍‍ଏମ୍‍ସିଏଚ୍‍ ପ୍ରତିଷ୍ଠା ପ୍ରସ୍ତାବକୁ ବିରୋଧ କରି ମୈତ୍ର ସୁପ୍ରିମକୋର୍ଟରେ ଆବେଦନ କରିବା ପରେ କେନ୍ଦ୍ର ସରକାର ଶୁକ୍ରବାର ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଛନ୍ତି। ଏ ସମ୍ବନ୍ଧୀୟ ବିଜ୍ଞପ୍ତି ମଧ୍ୟ ପ୍ରତ୍ୟାହାର କରିନିଆଯାଇଛି।

Leave A Reply