ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ କରିପାରିବେନି ରାଜ୍ୟ ସରକାର: ଅଦାଲତରେ ପକ୍ଷ ରଖିଲା ୟୁଜିସି

ରାଜ୍ୟ ସରକାର ଚାହିଁଲେ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ କୌଣସି ପରୀକ୍ଷା ବାତିଲ କରିପାରିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ, ୟୁଜିସି କହିଛି। ଏଥିରେ ରାଜ୍ୟ ସରକାରଙ୍କ ଅଧିକାର ନ ଥିବା ୟୁଜିସି କୋର୍ଟଙ୍କୁ ଅବଗତ କରାଇଛି। ବମ୍ବେ ହାଇକୋର୍ଟରେ ପରୀକ୍ଷା ବାତିଲ ସମ୍ପର୍କିତ ଏକ ମାମଲାର ଶୁଣାଣି ବେଳେ ୟୁଜିସି ସତ୍ୟପାଠ ଜରିଆରେ କହିଛି ଯେ କୋଭିଡ-୧୯ ସମୟରେ ମହାରାଷ୍ଟ୍ର ସରକାର ଶେଷ ବର୍ଷର ପରୀକ୍ଷା ବାତିଲ କରିପାରିବେ ନାହିଁ। ପୁଣେର ଅବସରପ୍ରାପ୍ତ ଶିକ୍ଷକ ତଥା ବିଶ୍ୱବିଦ୍ୟାଳୟ ସିନେଟର ପୂର୍ବତନ ସଦସ୍ୟ ଧନଞ୍ଜୟ କୁଲକର୍ଣ୍ଣିଙ୍କ ଆବେଦନର ଉତ୍ତର ରଖି ୟୁଜିସି ଏହି ସତ୍ୟପାଠ ଦାଖଲ କରିଛି। ସେ ପରୀକ୍ଷା ବାତିଲ କରିବାକୁ ମହାରାଷ୍ଟ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୩୧ରେ ହେବ।

ଗତ ମାସରେ ରାଜ୍ୟ ସରକାର ଶେଷ ବର୍ଷ ପରୀକ୍ଷା ବାତିଲ କରିଥିଲେ। ମହାମାରୀ ଆଇନ ଏବଂ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ ପରୀକ୍ଷା ବାତିଲ କରିବା ଅଧିକାର ସରକାରଙ୍କର ବୋଲି କହିଥିଲେ, କିନ୍ତୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗର ସ୍ୱତନ୍ତ୍ର ଆଇନର ବିଧି ବ୍ୟବସ୍ଥାକୁ ବାତିଲ କରିବାକୁ ଏହି ଆଇନ କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ୟୁଜିସି ଯୁକ୍ତି ଉପସ୍ଥାପନ କରିଛି। ଆୟୋଗ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଏପ୍ରିଲ୍ ୨୯ ଏବଂ ଜୁଲାଇ ୬ରେ ୟୁଜିସି ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀର ବିରୁଦ୍ଧାଚରଣ କରୁଛି ଯେଉଁଥିରେ ୟୁଜିସି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ଅନୁଷ୍ଠାନକୁ ପରୀକ୍ଷା କରାଇବାକୁ କହିଥିଲେ।

ଅନ୍ୟପକ୍ଷରେ କୋର୍ଟ ୟୁଜିସିକୁ ପଚାରିଛନ୍ତି ଯେ ପରୀକ୍ଷା କେଉଁ ଆଧାରରେ କରାଯିବ, ବିକଳ୍ପ ପ୍ରଶ୍ନ ଭିତ୍ତିକ ଅଥବା ଓପନ୍ ଚଏସ୍। ଅନ୍ୟ ପକ୍ଷରେ ୟୁଜିସି କହିଛି ଯେ ମହାରାଷ୍ଟ୍ର ସରକାରଙ୍କ ଶେଷ ବର୍ଷର ପରୀକ୍ଷା ବାତିଲ କିମ୍ବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ ନକରିବା ନିଷ୍ପତ୍ତି ଦେଶର ଉଚ୍ଚଶିକ୍ଷା ମାନ ଉପରେ ସିଧାସଳଖ ପ୍ରଭାବ ପକାଇବ।

Comments are closed.