ପରୀକ୍ଷାକୁ ନେଇ ୟୁଜିସି ସଂଶୋଧିତ ନିୟମାବଳୀ ପ୍ରସଙ୍ଗ : ତର୍ଜମା ପରେ ଉଚ୍ଚଶିକ୍ଷା ବିଭାଗର ନିଷ୍ପତ୍ତି

ଭୁବନେଶ୍ବର :ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ପରୀକ୍ଷାକୁ ନେଇ ଗତକାଲି ସଂଶୋଧିତ ନିୟମାବଳୀ ଜାରି କରାଯାଇଥିଲା। ନିୟମ ମୁତାବକ ବର୍ତ୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନଗୁଡ଼ିକ ଟର୍ମିନାଲ ସେମିଷ୍ଟର ତଥା ଅନ୍ତିମ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ମାସ ଶେଷ ସପ୍ତାହ ସୁଦ୍ଧା କରାଯାଇପାରିବ। ତେବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମର ଅନ୍ତିମ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଥିଲା।

ୟୁଜିସି ପକ୍ଷରୁ ଏହି ନିୟମାବଳୀ ପ୍ରକାଶ ପାଇବା ପରେ ରାଜ୍ୟରେ ଏହା ଲାଗୁ ହେବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ଏହି ପ୍ରସଙ୍ଗକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଦ୍ବନ୍ଦ୍ବ ଦେଖାଦେଇଛି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସ୍ନାତକ ପାଠ୍ୟକ୍ରମର ଦ୍ବିତୀୟ, ଚତୁର୍ଥ,ଅନ୍ତିମ ସେମିଷ୍ଟର ପରୀକ୍ଷା ବାତିଲ କରାଯାଇଥିଲା। ସେହିପରି ସ୍ନାତକୋତ୍ତର ପାଠ୍ୟକ୍ରମର ଦ୍ବିତୀୟ ଏବଂ ଚତୁର୍ଥ ସେମିଷ୍ଟର ପରୀକ୍ଷା ମଧ୍ୟ ବାତିଲ ହୋଇଥିଲା। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ମାର୍କ ପ୍ରଦାନ କରିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଥିଲା। ଛାତ୍ରଛାତ୍ରୀ ମିଳିଥିବା ମାର୍କରେ ସନ୍ତୋଷ ପ୍ରକାଶ ନକଲେ ସେମାନଙ୍କ ପାଇଁ ପୁନର୍ବାର ପରୀକ୍ଷା ଦେବାକୁ ସୁଯୋଗ ରହିଥିଲା। ଅଗଷ୍ଟ ସୁଦ୍ଧା ଫଳ ପ୍ରକାଶ କରିବାକୁ ସ୍ବୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା।

ସଦ୍ୟ ପ୍ରକାଶିତ ୟୁଜିସି ନିୟମ ଅନୁଯାୟୀ ଅଫ୍‌ଲାଇନ୍‌(ପେନ୍‌ ଆଣ୍ଡ ପେପର), ଅନ୍‌ଲାଇନ୍‌, ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମୋଡ୍‌ରେ ପରୀକ୍ଷା କରିପାରିବେ ବୋଲି ନିୟମାବଳୀରେ ଉଲ୍ଲେଖ କରାଯାଇଛି। ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅସମ୍ପୂର୍ଣ୍ଣ ଥିବ ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ। ଯଦି କୌଣସି କାରଣ ପାଇଁ ଛାତ୍ରଛାତ୍ରୀ ଶେଷ ସେମିଷ୍ଟର ପରୀକ୍ଷା ଦେଇ ନ ପାରନ୍ତି ସେଭଳି ସ୍ଥିତିରେ ପରବର୍ତ୍ତୀ ସମୟରେ ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ଏଥିରେ ଭାଗ ନେଇପାରିବେ। ଏହି ବ୍ୟବସ୍ଥା କେବଳ ୨୦୧୯-୨୦ ଶିକ୍ଷାବର୍ଷରେ ଲାଗୁ କରାଯିବ। ଏପ୍ରିଲ ୨୯ ତାରିଖରେ ଜାରି ହୋଇଥିବା ବିଜ୍ଞପ୍ତି ଅପରିବର୍ତ୍ତିତ ରହିବ ବୋଲି ୟୁଜିସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏଭଳି ସ୍ଥିତିରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଓ ୟୁଜିସି ନିୟମ ରାଜ୍ୟରେ ଲାଗୁ ହେବ କି ନାହିଁ ତାକୁ ନେଇ ପରୀକ୍ଷାର୍ଥୀ ଚିନ୍ତା ପ୍ରକଟ କରିଛନ୍ତି।

କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଥିବାରୁ ୟୁଜିସି ନିୟମ ବଦଳାଇବାକୁ ବହୁ ବିଦ୍ୟାର୍ଥୀ ଟ୍ବିଟ୍‌ କରିଛନ୍ତି। ବାରମ୍ବାର ନିଷ୍ପତ୍ତି ବଦଳିବା ଦ୍ବାରା ବିଦ୍ୟାର୍ଥୀଙ୍କ ଉପରେ ମାନସିକ ଚାପ ପଡ଼ୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏନେଇ ୟୁଜିସି ନିୟମାବଳୀକୁ ସମୀକ୍ଷା କରିବା ସହ ଛାତ୍ରଛାତ୍ରୀଙ୍କ ହିତ ଓ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ବିଭାଗ ନିକଟକୁ ନୂଆ ନିୟମାବଳୀ ଏଯାବତ୍‌ ଆସିନି। ନିୟମାବଳୀ ଆସିବା ପରେ ରାଜ୍ୟରେ ଏହା ଲାଗୁ ହେବ କି ନାହିଁ ସେ ସମ୍ବନ୍ଧରେ ବିଚାରବିମର୍ଶ କରାଯାଇ ନିଷ୍ପତ୍ତି ହେବ।

Comments are closed.