ୟୁଜି ୬ଷ୍ଠ ଓ ପିଜି ୪ର୍ଥ ସେମିଷ୍ଟାର ପରୀକ୍ଷା ବାତିଲ: ଆଗ୍ରହୀ ଛାତ୍ରଛାତ୍ରୀ ଦେଇ ପାରିବେ ପରୀକ୍ଷା

ଭୁବନେଶ୍ବର : କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କରି ୟୁଜି ଷଷ୍ଠ ସେମିଷ୍ଟାର ଏବଂ ପିଜି ଚତୁର୍ଥ ସେମିଷ୍ଟାର ବାତିଲ ପାଇଁ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ଦାବି କରିଥିଲେ। ପରୀକ୍ଷା ବାତିଲ ନେଇ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ, ବିଜେବି କଲେଜ, ବିପିୟୁଟି ଆଦି ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିଲେ। ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି ଓ ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ୟୁଜି ଷଷ୍ଠ ସେମିଷ୍ଟାର ଏବଂ ପିଜି ଚତୁର୍ଥ ସେମିଷ୍ଟାର ପରୀକ୍ଷା ବାତିଲ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏହାସହିତ ଶେଷ ବର୍ଷର ବାକି ଥିବା ସମସ୍ତ ଥିଓରୀ ଓ ପ୍ରାକ୍ଟିକାଲ୍‌ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ୟୁଜିସି ପ୍ରସ୍ତାବ ଅନୁସାରେ ମୂଲ୍ୟାୟନ ହେବ। ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରି ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ। ବିକଳ୍ପ ବ୍ୟବସ୍ଥାରେ ଯଥେଷ୍ଟ ମାର୍କ ପାଇନଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା କରାଯାଇପାରିବ। କୋଭିଡ୍‌-୧୯ ସ୍ଥିତିକୁ ଦେଖି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ଆୟୋଜନ କରିପାରିବେ। ନିର୍ଦ୍ଧାରିତ ବିକଳ୍ପ ମୂଲ୍ୟାୟନ ଜରିଆରେ ଇଣ୍ଟରନାଲ୍‌ ମାର୍କ ଦିଆଯିବ। ହାରାହାରି ନମ୍ବର ଅନୁଯାୟୀ ଅବଶିଷ୍ଟ ନମ୍ବର ମିଳିବ। ଯଦି କୌଣସି ଛାତ୍ରଛାତ୍ରୀଙ୍କ ଗୋଟିଏ କିମ୍ବା ଦୁଇଟି ବିଷୟ ବ୍ୟାକ୍‌ ରହିଥିବ ତାହେଲେ ସେମାନଙ୍କ ପରୀକ୍ଷା ବାତିଲ ହେବ। ବିକଳ୍ପ ମୂଲ୍ୟାୟନ ଜରିଆରେ ସେମାନଙ୍କୁ ବ୍ୟାକ୍‌ ପେପର୍‌ ପାଇଁ ନମ୍ବର ଦିଆଯିବ। ବିକଳ୍ପ ମୂଲ୍ୟାୟନରୁ ଅଧିକ ମାର୍କ ଆଶା ଥିଲେ ପରୀକ୍ଷା ଦେଇପାରିବେ ଛାତ୍ରଛାତ୍ରୀ। ଅଧିକ ନମ୍ବର ଆଶା ଥିବା ପ୍ରାର୍ଥୀ ନଭେମ୍ବରରେ ପରୀକ୍ଷା ଦେବେ ଏବଂ ସେମାନଙ୍କର ପରିବର୍ତ୍ତିତ ପରୀକ୍ଷାଫଳ ଡିସେମ୍ବର ମାସରେ ପ୍ରକାଶ ପାଇବ। ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ କୁଳପତିଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବୈଠକ ପରେ ସମସ୍ତ ୟୁଜି ପିଜି ପରୀକ୍ଷା ବାତିଲ କରିଛନ୍ତି ରାଜ୍ୟ ସରକାର। କରୋନା ସ୍ଥିତି ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି।
ୟୁଜି ଷଷ୍ଠ ଓ ପିଜି ଚତୁର୍ଥ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଥିଲେ। କରୋନା ସଂକଟ ସମୟରେ ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇବା ସହିତ ସାମାଜିକ ଦୂରତ ଅନୁପାଳନରେ ସମସ୍ୟା ସୃଷ୍ଟି ହେବ ବୋଲି କହିଥିଲେ। ଏପରିକି ଅନ୍ୟ ରାଜ୍ୟର ଛାତ୍ରୀ ମଧ୍ୟ ପରୀକ୍ଷା ଦେବା ପାଇଁ ଆସିବାକୁ ଥିବାରୁ ସେମାନଙ୍କଠାରୁ କରୋନା ସଂକ୍ରମଣ ଆଶଙ୍କା ଏଡାଇ ଦିଆଯାଇ ନ ପାରେ ବୋଲି କହିଥିଲେ। ଛାତ୍ରଛାତ୍ରୀଙ୍କ ଜୀବନ ରକ୍ଷା ଏବଂ କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ଉଚ୍ଚ ଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.