ଜୁଲାଇ-ଅଗଷ୍ଟରେ ଅନ୍‌ଲାଇନ୍‌ ମୋଡ୍‌ରେ ହେବ ୟୁଜି-ପିଜି ଶେଷ ସେମିଷ୍ଟାର ପରୀକ୍ଷା

ୟୁଜି-ପିଜିର ଅନ୍ୟ ସେମିଷ୍ଟାର ପରୀକ୍ଷା ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ

ଭୁବନେଶ୍ୱର: ସଂପ୍ରତି କେବଳ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଅନ୍‌ଲାଇନ୍‌ ମାଧ୍ୟମରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କୁଳପତିମାନଙ୍କ ବୈଠକର ନିଷ୍ପତ୍ତି ଅନୁଯାୟୀ ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍‌ଲାଇନ୍‌ ମୋଡ୍‌ରେ ହେବ ଏବଂ ଅଗଷ୍ଟ/ସେପ୍ଟେମ୍ବର ମାସରେ ପରୀକ୍ଷା ଫଳ ପ୍ରକାଶ ପାଇବ। ଏହି ଛାତ୍ରଛାତ୍ରୀମାନଙ୍କ ଯଦି କିଛି ପୂର୍ବ ସେମିଷ୍ଟାର/ବର୍ଷର ପରୀକ୍ଷା ବାକି ଅଛି ବା ତାଙ୍କର ଯଦି ବ୍ୟାକ୍‌ପେପର ଅଛି, ସେହି ସବୁ ପରୀକ୍ଷା ମଧ୍ୟ ଜୁଲାଇ/ଅଗଷ୍ଟ ମାସ ସୁଦ୍ଧା ଶେଷ ହେବ। ତେବେ ୟୁଜି ଓ ପିଜିର ଅନ୍ୟ ସେମିଷ୍ଟାର ପରୀକ୍ଷା ସଂପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୟୁଜି ଓ ପିଜି ଶେଷ ବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା କେବଳ ଅନ୍‌ଲାଇନ୍‌ ମାଧ୍ୟମରେ ହେବ ଏବଂ ଛାତ୍ରଛାତ୍ରୀମାନେ ଯେପରି ସମସ୍ତେ ସୁବିଧାରେ ଓ ସୁରୁଖୁରୁରେ ପରୀକ୍ଷା ଦେଇପାରିବେ ସେଥି ନିମନ୍ତେ ପଦକ୍ଷେପ ନିଆଯାଉଛି ଏବଂ ପରୀକ୍ଷାର୍ଥୀଙ୍କ ପାଇଁ ମେଣ୍ଟରିଂ ବ୍ୟବସ୍ଥା କରାଯାଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟର ୟୁଜି ଓ ପିଜି ଫାଇନାଲ ବର୍ଷ/ଫାଇନାଲ ସେମିଷ୍ଟାର ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ମାସରେ ଅନ୍‌ଲାଇନ୍‌ ମାଧ୍ୟମରେ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା କରିବା ପାଇଁ କରାଯାଉଥିବା ପ୍ରସ୍ତୁତିର ଅଗ୍ରଗତି ସଂପର୍କରେ ଆଲୋଚନା କରିବା ପାଇଁ ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଭର୍ଚୁଆଲ ମାଧ୍ୟମରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଶ୍ୱବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକ, ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ, ସରକାରୀ ଡିଗ୍ରୀ ମହାବିଦ୍ୟାଳୟ ଏବଂ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ଯୋଗଦେଇ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଆୟୋଜନର ପ୍ରସ୍ତୁତି ସଂପର୍କରେ ଅବଗତ କରାଇଥିଲେ।

 

ମନ୍ତ୍ରୀ ଡ. ସାହୁ କହିଛନ୍ତି ଯେ ଅଧ୍ୟାପକମାନେ ମେଣ୍ଟର ଭାବରେ ୟୁଜି ଓ ପିଜି ଫାଇନାଲ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ ଓ ଛାତ୍ରଛାତ୍ରୀଙ୍କ ସହିତ ନିୟମିତ ଟେଲିଫୋନରେ ଯୋଗାଯୋଗରେ ରହିବେ। ନିଜ ଗ୍ରୁପ୍‌ର ଛାତ୍ରଛାତ୍ରୀମାନଙ୍କ ସୁବିଧା ଓ ଅସୁବିଧା ସଂପର୍କରେ ମେଣ୍ଟର ଅଧ୍ୟାପକମାନେ ଅବଗତ ହୋଇ ସେମାନେ କିପରି ସୁବିଧାରେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେଥିପ୍ରତି ଆବଶ୍ୟକୀୟ ପଦକ୍ଷେପ ନେବେ। ଏଥିରେ ଖିଲାପ ହେଲେ ସଂପୃକ୍ତ ମେଣ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି। ମେଣ୍ଟର ଅଧ୍ୟାପକମାନେ କେଉଁସବୁ ଛାତ୍ରଛାତ୍ରୀଙ୍କ ଦାୟିତ୍ୱରେ ରହିବେ ତା’ର ତାଲିକା, ଟେଲିଫୋନ୍‌ ନମ୍ବର ଆଦି ପ୍ରସ୍ତୁତ କରି କଲେଜ୍‌ େୱବ୍‌ସାଇଟ୍‌ରେ ଜୁନ୍‌ ୩୦ ସୁଦ୍ଧା ଉପଲବ୍ଧ କରାଇବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦେଶ ଦେଇଛନ୍ତି। ଶତପ୍ରତିଶତ ଛାତ୍ରଛାତ୍ରୀ ଯେପରି ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେଇପାରିବେ ସେଥିପ୍ରତି ଦୃଷ୍ଟି ଦେବା ପାଇଁ କହିଛନ୍ତି। ଛାତ୍ରଛାତ୍ରୀମାନେ ତାଙ୍କ ଘରୁ କିମ୍ବା ଯେକୌଣସି ସୁବିଧାଜନକ ସ୍ଥାନରେ ରହି ଏହି ଅନ୍‌ଲାଇନ୍‌ ପରୀକ୍ଷା ଦେଇପାରିବେ। ଯେଉଁ ଛାତ୍ରଛାତ୍ରୀମାନଙ୍କର ଇଣ୍ଟରନେଟ୍‌ ସୁବିଧା ନାହିଁ ସେମାନେ ନିକଟସ୍ଥ ଡିଗ୍ରୀ ମହାବିଦ୍ୟାଳୟରେ ଆସି ଅନ୍‌ଲାଇନ୍‌ରେ ପରୀକ୍ଷା ଦେଇପାରିବେ। ପରୀକ୍ଷା ପୂର୍ବରୁ ଏକ ମକ୍‌ ଟେଷ୍ଟ କରାଯାଇ ଅନ୍‌ଲାଇନ୍‌ ପରୀକ୍ଷାକୁ ସଫଳତାର ସହ ସଂପନ୍ନ କରାଯିବ। ବିଶ୍ୱବିଦ୍ୟାଳୟ ନିର୍ବିଶେଷରେ ସମସ୍ତ ଡିଗ୍ରୀ ମହାବିଦ୍ୟାଳୟ ଏ ଦିଗରେ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ଦେବା ପାଇଁ ସହଯୋଗ କରିବାକୁ କୁହାଯାଇଛି। ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ
ମହାବିଦ୍ୟାଳୟମାନେ ଅନ୍‌ଲାଇନ୍‌ ମାଧ୍ୟମରେ ପରୀକ୍ଷା ସମ୍ବନ୍ଧରେ ବିସ୍ତୃତ ବିବରଣୀ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକୁ ଓ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବେ। ୟୁଜି ଓ ପିଜି ଶେଷବର୍ଷ/ଫାଇନାଲ ସେମିଷ୍ଟାର ପରୀକ୍ଷା ସମ୍ବନ୍ଧରେ କୌଣସି ଦ୍ୱନ୍ଦ ରହିଲେ ମହାବିଦ୍ୟାଳୟର ଅଧ୍ୟକ୍ଷମାନେ ସଂପୃକ୍ତ କୁଳପତି କିମ୍ବା ପରୀକ୍ଷା ନିୟନ୍ତ୍ରକଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି।

Comments
Loading...