ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ପ୍ରସ୍ତୁତି

-ଉତ୍କଳରେ ୟୁଜି ପାଇଁ ଅଫ୍‌ଲାଇନ୍‌ ଓ ପିଜିରେ ଅନ୍‌ଲାଇନ୍‌
-୯ ଜିଲା ବିଦ୍ୟାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ର ମନୋନୟନ ସୁଯୋଗ
-୧୫ରୁ ରେଭେନ୍ସାରେ ‘ଅନ୍‌ଲାଇନ୍‌ ଓପନ୍‍ ବୁକ୍‍’ ପରୀକ୍ଷା

ଭୁବନେଶ୍ବର:ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶେଷ ସେମିଷ୍ଟର ପରୀକ୍ଷା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଶେଷ କରିବାକୁ ଗତକାଲି ନିଷ୍ପତ୍ତି ନିଆଯାଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି। ୟୁଜିସି ନିୟମ ମୁତାବକ ପରୀକ୍ଷା କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ନିଷ୍ପତ୍ତି ନିଆଯାଇଥିଲା। ମଙ୍ଗଳବାର ରାଜ୍ୟର ଦୁଇ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ବବିଦ୍ୟାଳୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପାଇଁ ନିଷ୍ପତ୍ତି ନିଆଯାଇଛି। ୟୁ.ଜି.ସି. ମାର୍ଗଦର୍ଶିକା ଅନୁସାରେ ଶିକ୍ଷାନୁଷ୍ଠାନ ପକ୍ଷରୁ ପରୀକ୍ଷା ପରିଚାଳନା କରୁଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟ ଓ ଅନୁବନ୍ଧିତ ଶିକ୍ଷାନୁଷ୍ଠାନରେ ପରୀକ୍ଷା ପରିଚାଳନା ପାଇଁ ସ୍ବତନ୍ତ୍ର ନିୟମ କରାଯାଇଛି। ପିଜି ପରୀକ୍ଷା ଅନ୍‌ଲାଇନ୍‌ରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏନ୍‌ଆଇସି ପକ୍ଷରୁ ଅନ୍‌ଲାଇନ୍‌ରେ ମଲ୍ଟିପୁଲ୍‌ ଚଏସ୍‌ରେ ଏହି ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ। ବିଶ୍ବବିଦ୍ୟାଳୟର ୨୮ ବିଭାଗ ସହ ଅନ୍ୟ ଅନୁବନ୍ଧିତ ଶିକ୍ଷାନୁଷ୍ଠାନର ମୋଟ ୩୫୦୦ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ପରୀକ୍ଷା ଦେବେ। ପିଜି ପରୀକ୍ଷାରେ ସଂକ୍ଷୀପ୍ତ ପ୍ରଶ୍ନ ଆସିବ।

ଅନ୍ୟପକ୍ଷରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନରେ ୯ ଜିଲାର ୨୭୮ ଶିକ୍ଷାନୁଷ୍ଠାନରେ ୟୁଜି ପରୀକ୍ଷା ଅଫଲାଇନ୍‌ରେ ଅନୁଷ୍ଠିତ ହେବ। ମୋଟ ୫୦ ହଜାର ୧୭୦ ଛାତ୍ରଛାତ୍ରୀ ୟୁଜି ପରୀକ୍ଷା ଦେବେ। ବନ୍ୟା ଓ କରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀ ଯେଭଳି ସହଜରେ ପରୀକ୍ଷା ଦେବେ ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀ ୯ ଜିଲାରେ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ଯେକୌଣସି ମହାବିଦ୍ୟାଳୟରେ ପରୀକ୍ଷା ଦେଇପାରିବେ। ସେଥିପାଇଁ ଛାତ୍ରଛାତ୍ରୀ ନିଜ କଲେଜ ଅଧ୍ୟକ୍ଷଙ୍କୁ କେଉଁ ଜିଲାର କେଉଁ ମହାବିଦ୍ୟାଳୟରେ ପରୀକ୍ଷା ଦେବେ ସେନେଇ ଅବଗତ କରିବେ। ଏହାଦ୍ବାରା ନିଜ ଅଞ୍ଚଳରେ ଥିବା ନିକଟସ୍ଥ ପରୀକ୍ଷା କେନ୍ଦ୍ରରେ ସହଜରେ ପରୀକ୍ଷା ଦେଇପାରିବେ। ମଲ୍ଟିପୁଲ୍‌ ଚଏସ୍‌ ସମ୍ବଳିତ ସଂକ୍ଷୀପ୍ତ ପ୍ରଶ୍ନପତ୍ର ଆସିବ। ଚଳିତ ମାସ ଶେଷ ସପ୍ତାହରେ ୟୁଜି ପରୀକ୍ଷା କରାଯିବ। ପରୀକ୍ଷାର ସମୟ ତିନି ଘଣ୍ଟାରୁ ଏକ ଘଣ୍ଟାକୁ ହ୍ରାସ୍‌ କରାଯାଇଛି। ଛାତ୍ରଛାତ୍ରୀ ଗୋଟିଏ ଦିନରେ ତିନିଟି ସିଟିଂ ପରୀକ୍ଷା ଦେବେ। ପ୍ରତି ଦୁଇ ମାର୍କ ସମ୍ବଳିତ ହେବ ବୋଲି ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ କହିଛନ୍ତି।
ଅନ୍ୟପକ୍ଷରେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଉଭୟ ପିଜି ଓ ୟୁଜି ପରୀକ୍ଷା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୫ରୁ୩୦ ମଧ୍ୟରେ ଶେଷ ସେମିଷ୍ଟର ପରୀକ୍ଷା କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଛାତ୍ରଛାତ୍ରୀଙ୍କୁ ଇ-ମେଲ୍‌ ଓ ହ୍ବାଟ୍ସଆପ୍‌ ଜରିଆରେ ପ୍ରଶ୍ନପତ୍ର ପଠାଯିବ। ବିଦ୍ୟାର୍ଥୀ ଧାର୍ଯ୍ୟ ସମୟରେ ପ୍ରଶ୍ନର ଉତ୍ତର ଲେଖି ପଠାଇବେ। କୁଳପତି ପ୍ରଫେସର ଈଶାନ କୁମାର ପାତ୍ର କହିଛନ୍ତି ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଅନ୍‌ଲାଇନ୍‌ରେ ପରୀକ୍ଷା କରାଯାଇଛି। ବିଦ୍ୟାର୍ଥୀ ସହଜରେ ଘରେ ରହି ପରୀକ୍ଷା ଦେଇପାରିବେ। ଯେଉଁଦିନ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷା ଥିବ ସେ ଦିନ ପରୀକ୍ଷା କରାଯିବନି ବୋଲି ସେ କହିଛନ୍ତି।

ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ୟୁଜି ଓ ପିଜି ପରୀକ୍ଷା ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବ। ଆସନ୍ତା ୧୫ରୁ୩୦ ମଧ୍ୟରେ ପରୀକ୍ଷା ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଦୁଇଦିନ ପରେ ସ୍ବତନ୍ତ୍ର ପରୀକ୍ଷା ପରିଚାଳନା ବୈଠକ କରାଯାଇ ପରୀକ୍ଷା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି କହିଛନ୍ତି।

Comments are closed.