ଉଦ୍ଧବ ସରକାରଙ୍କୁ ଝଟକା, ଆସ୍ଥା ଭୋଟ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ବଡ଼ ଝଟକା। ମହାରାଷ୍ଟ୍ର ବିଧାନସଭାରେ ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଦେଇଥିବା ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ଫ୍ଲୋର ଟେଷ୍ଟ ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ମହାରାଷ୍ଟ୍ରରେ ଆସନ୍ତାକାଲି ପୂର୍ବାହ୍ନ ୧୧ଟାରୁ ହେବ ଫ୍ଲୋରଟେଷ୍ଟ। ରାଜ୍ୟପାଳଙ୍କ ନିର୍ଦେଶକକୁ କାଏମ ରଖିଲେ ସୁପ୍ରିମକୋର୍ଟ। ମହାରାଷ୍ଟ୍ରରେ ଫ୍ଲୋରଟେଷ୍ଟ ଉପରେ ରହିତାଦେଶ ମିଳିଲାନାହିଁ। ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ। ରାଜ୍ୟପାଳଙ୍କ ନିର୍ଦେଶ ଅନୁସାରେ ଆସନ୍ତାକାଲି ହେବ ଫ୍ଲୋର ଟେଷ୍ଟ। ଅଯୋଗ୍ୟ ନୋଟିସ ପାଇଥିବା ୧୬ ବିଧାୟକ ଭୋଟ ଦେଇପାରିବେ। ଆସନ୍ତାକାଲି ସନ୍ଧ୍ୟା ୫ଟା ପୂର୍ବରୁ ଫ୍ଲୋର ଟେଷ୍ଟ ଶେଷ କରିବାକୁ ନିର୍ଦେଶ ଦିଆଯାଇଛି।
ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୋଧରେ ଶିବସେନାର ମୁଖ୍ୟ ସଚେତନ ସୁନୀଲ ପ୍ରଭୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାର ଶୁଣାଣି ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇ ରାତି ୮.୨୭ ଯାଏ ଚାଲିଥିଲେ। ଏହାପରେ ରାତି ପ୍ରାୟ ୯.୧୫ରେ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।
ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପରଡିୱାଲାଙ୍କ ଖଣ୍ଡପୀଠ ଉଭୟ ପକ୍ଷଙ୍କୁ ଶୁଣିବା ପରେ କହିଛନ୍ତି ଯେ ଆମେ ଆସନ୍ତାକାଲି ହେବାକୁ ଥିବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବୁ ନାହିଁ। ଆମେ ନୋଟିସ କରୁଛୁ। ଆପଣମାନେ ଚାହିଁଲେ କାଉଣ୍ଟର ଆବେଦନ କରିପାରିବେ। ଆମେ ଏହି ଆବେଦନ ସହ ମାମଲା ସହ ଜଡ଼ିତ ସବୁ କଥା ଜୁଲାଇ ୧୧ରେ ଶୁଣିବୁ। ଆସନ୍ତାକାଲିର ଫ୍ଲୋର ଟେଷ୍ଟର ରେଜଲ୍ଟ ଏହି ଆବେଦନର ଚୂଡ଼ାନ୍ତ ଫଳାଫଳକୁ ଉପରେ ନିର୍ଭର କରିବ ବୋଲି ଖଣ୍ଡପୀଠ କହିଛନ୍ତି।

ଜୁଲାଇ ୧୧ରେ ସୁପ୍ରିମକୋର୍ଟ ଶିବସେନା ୧୬ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ହୋଇଥିବା ନୋଟିସର ମଧ୍ୟ ଶୁଣାଣି କରିବେ। ବାଚସ୍ପତି ସେମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ନୋଟିସ କରିଥିବା ବେଳେ ଏହା ବିରୋଧରେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ମହାରାଷ୍ଟ୍ର ସଙ୍କଟ ସହ ଜଡ଼ିତ ସବୁ ମାମଲାର ଶୁଣାଣି ଜୁଲାଇ ୧୧ରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ବିଧାୟକ ଅନୀଲ ଦେଶମୁଖ ଓ ନବାବ ମଲିକ ଆସନ୍ତାକାଲି ଆସ୍ଥା ଭୋଟରେ ଭାଗ ନେବା ପାଇଁ ବିଧାନସଭାକୁ ଆସିପାରିବେ ବୋଲି ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି।

Comments are closed.