ଶିବସେନା ନେତା ପଦରୁ ଏକନାଥ ସିନ୍ଦେ ବହିଷ୍କୃତ

ମୁମ୍ୱାଇ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ କଡ଼ା ପଦକ୍ଷେପ ନେଉଛନ୍ତି ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ । ବିଦ୍ରୋହ ପାଇଁ ଶିବସେନାର ବରିଷ୍ଠ ନେତା ଏକନାଥ ସିନ୍ଦେଙ୍କୁ ଶିବସେନା ନେତା ପଦରୁ ବହିଷ୍କାର କରାଯାଇଛି । ଫଳରେ ଏକନାଥ ସିନ୍ଦେ ଦଳର କୌଣସି ସଂଗଠନ ସହ ଜଡିତ ରହିପାରିବେ ନାହିଁ । ସୂଚନା ମୁତାବକ ସିନ୍ଦେ ମହାରାଷ୍ଟ୍ର ସରକାର ଭାଙ୍ଗିବାରେ ସହାୟତା କରିଥିବାରୁ ତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ ପଦ ଦେଇଛି । ଗତ ଗୁରୁବାର ଦିନ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ଶୁକ୍ରବାର ଦିନ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଉଦ୍ଧବ ଠାକରେ ।

ଏନେଇ ଉଦ୍ଧବ ଏକ ଚିଠି ଜାରି କରିଥିବା ବେଳେ ଚିଠିରେ ଦଳ ବିରୋଧୀ କାର୍ଯ୍ୟରେ ସିନ୍ଦେ ଲିପ୍ତ ରହିଥିବା ସେ ଦର୍ଶାଇଛନ୍ତି । ଏଥି ପାଇଁ ଉଦ୍ଧବ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି ।  ବିଭିନ୍ନ ପ୍ରକାର ନିଷ୍ପତ୍ତି ନେବାକୁ ଶିବଶେନାରେ ୧୧ ଜଣିଆ କମିଟି ରହିଥିଲା । ସେହି କମିଟିର ସଦସ୍ୟ ଥିଲେ ଏକନାଥ ସିନ୍ଦେ । ହେଲେ ଏକନାଥ ସିନ୍ଦେଙ୍କ ନେତ୍ୱତୃରେ ଶିବଶେନାର ୪୦ଜଣ ବିଧାୟକ ମହାରାଷ୍ଟ୍ରରେ ଗଠନ ହୋଇଥିବା ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ।

Comments are closed.