ଉଡ଼ାଣ-୩ରେ ଓଡ଼ିଶାକୁ ଗୁରୁତ୍ୱ ; ଝାରସୁଗୁଡ଼ାରୁ ୬, ଭୁବନେଶ୍ୱରରୁ ୫ ଓ ରାଉରକେଲାରୁ ୨ ସହରକୁ ବିମାନ

0

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଣଳୟ ପକ୍ଷରୁ ଶୁକ୍ରବାର ଘୋଷିତ ଉଡ଼ାଣ-୩ ଯୋଜନାରେ ଓଡ଼ିଶାର ଭୁବନେଶ୍ୱର, ଝାରସୁଗୁଡ଼ା ଓ ରାଉରକେଲା ସହରକୁ ଦେଶର ପ୍ରମୁଖ ସହର ଗୁଡ଼ିକ ସହ ବିମାନ ସେବା ମାଧ୍ୟମରେ ସଂଯୋଗ କରାଯିବ।

ଏଣିକି ଝାରସୁଗୁଡ଼ା ସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କୋଲକତା, ଭୁବନେଶ୍ୱର, ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ଓ ରାୟପୁର ଆଦି ସହରକୁ ସିଧାସଳଖ ବିମାନ ସେବା ମିଳିବ। ସେହିପରି ରାଉରକେଲାରୁ ରାୟପୁର ଓ ଭୁବନେଶ୍ୱର ସହରକୁ ସିଧାସଳଖ ବିମାନ ସେବା ଘୋଷଣା କରାଯାଇଛି। ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ବନାରସ, ରାଉରକେଲା, ଝାରସୁଗୁଡ଼ା, କଲାଇକୁଣ୍ଡା ଓ ଜଗଦଲପୁର ଆଦି ସହରକୁ ବିମାନ ଚଳାଚଳ କରିବ। ଏସବୁ ରୁଟରେ ବିମାନ ଚଳାଚଳ ପାଇଁ କେନ୍ଦ୍ର ସରକାର ଏୟାରଲାଇନ କମ୍ପାନୀ ଗୁଡ଼ିକର ନାମ ଘୋଷଣା କରିଛନ୍ତି। ଝାରସୁଗୁଡ଼ା-କୋଲକତା ରୁଟରେ ଆଲାଏନସ ଏୟାର ଓ ସ୍ପାଇସ ଜେଟ, ଝାରସୁଗୁଡ଼ା-ଭୁବନେଶ୍ୱର ରୁଟରେ ଆଲାଏନସ ଏୟାର ଓ ଟର୍ବୋ ଆଭିଏସନ, ଝାରସୁଗୁଡ଼ା-ହାଇଦ୍ରାବାଦ ରୁଟରେ ସ୍ପାଇସ ଜେଟ, ଝାରସୁଗୁଡ଼ା-ମୁମ୍ବାଇ ରୁଟରେ ଜେଟ ଏୟାରୱେଜ, ଝାରସୁଗୁଡ଼ା-ଦିଲ୍ଲୀ ରୁଟରେ ସ୍ପାଇସ ଜେଟ, ଝାରସୁଗୁଡ଼ା-ରାୟପୁର ରୁଟରେ ଆଲାଏନସ ଏୟର ଓ ଟର୍ବୋ ଆଭିଏସନର ବିମାନ ଉଡ଼ାଣ କରିବ। ରାଉରକେଲା-ରାୟପୁର ରୁଟରେ ଟର୍ବୋ ଆଭିଏସନ ଓ ରାଉରକେଲା-ଭୁବନେଶ୍ୱର ରୁଟରେ ଆଲାଏନସ ଏୟାର ଓ ଟର୍ବୋ ଆଭିଏନସ ବିମାନ ଚଳାଚଳ ଘୋଷଣା କରାଯାଇଛି। ରାଜଧାନୀ ଭୁବନେଶ୍ୱର-ବନାରସ ରୁଟରେ ଆଲାଏନସ ଏୟାର ଓ ଇଣ୍ଡିଗୋ ଏୟାର ଲାଇନସ, ଭୁବନେଶ୍ୱର-କଲାଇକୁଣ୍ଡା ରୁଟରେ ଆଲାଏନସ ଏୟାର ଓ ଭୁବନେଶ୍ୱର-ଜଗଦଲପୁର ରୁଟରେ ଟର୍ବୋ ଆଭିଏସନର ବିମାନ ଚଳାଚଳ କରିବ ବୋଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଘୋଷଣା କରିଛନ୍ତି।


ପୂର୍ବୋଦୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପ ଅନୁଯାୟୀ ଓଡ଼ିଶାର ଭିତ୍ତିଭୁମି ବିକାଶ ଓ ଆକଶପଥରେ ସଂଯୋଗ ବୃଦ୍ଧି ପାଇଁ ଉଡ଼େ ଦେଶ କା ଆମ ନାଗରିକ (ଉଡ଼ାଣ) ଯୋଜନା-୩ରେ ଓଡ଼ିଶାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ବିଶେଷକରି ପଶ୍ଚିମ ଓଡ଼ିଶାକୁ ଦେଶର ପ୍ରମୁଖ ସହର ଗୁଡ଼ିକ ସହ ଆକାଶପଥରେ ସଂଯୋଗ କରାଯାଇଛି। ସବ୍‍ସିଡି଼ଯୁକ୍ତ ଏହି ଶସ୍ତା ଉଡ଼ାଣ ଯୋଜନାରେ ବିମାନସେବା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କ ଭାୟାବିଲିଟି ଗ୍ୟାପ ଫଣ୍ଡିଂ (ଭିଜିଏଫ)ରେ ଓଡ଼ିଶାକୁ ବାର୍ଷିକ ୧୦୧ କୋଟି ଟଙ୍କା ଅନୁଦାନ ମିଳିବ। କର୍ଣ୍ଣାଟକ ପରେ ଏଭଳି ଯୋଜନାରେ ଭିଜିଏଫ ସହାୟତା ପାଇବାରେ ଓଡ଼ିଶା ଦ୍ୱିତୀୟ ରାଜ୍ୟ ବନିଯିବ। ଭୂବନେଶ୍ୱର ବିମାନ ବନ୍ଦରର ନୂଆ ଓ ପୁରୁଣା ଟର୍ମିନାଲକୁ ମିଶାଇ ଗୋଟିଏ ବଡ଼ ସମନ୍ୱିତ ଟର୍ମିନାଲ ନମ୍ବର ୩କୁ ପ୍ରାୟ ୧୦୫୦ କୋଟି ବ୍ୟୟରେ ନିର୍ମାଣ କରାଯିବ। ରାଜ୍ୟର ଝାରସୁଗୁଡ଼ା, ଜୟପୁର, ଉତ୍‍କେଲା ଓ ରାଉରକେଲା ବିମାନ ବନ୍ଦରର ବିକାଶ ପାଇଁ ୧୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏସବୁ ମିଶାଇ ଦିଆଗଲେ ରାଜ୍ୟରେ ବିମାନ ବନ୍ଦର ବିକାଶ ପାଇଁ ୧୨ଶହ କୋଟିରୁ ଊର୍ଦ୍ଧ୍ବ ରାଶି ମଞ୍ଜୁର କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣାଇଥିଲେ।

ପୂର୍ବରୁ ବ୍ୟବସାୟିକ ଆଧାର ନଥିବା ଏକ କମ୍ପାନୀ ଭୁବନେଶ୍ୱର-ଝାରସୁଗୁଡ଼ା ମଧ୍ୟରେ ବିମାନ ଚଳାଚଳ ପାଇଁ ବିଡିଙ୍ଗ ପାଇଥିବାରୁ ଏହି ରୁଟରେ ପରେ ବିମାନ ସେବା ବନ୍ଦ ହୋଇଯାଇଥିଲା। ଉଡ଼ାଣ-୩ରେ ପଶ୍ଚିମ ଓଡ଼ିଶାର ଆବଶ୍ୟକତାକୁ ବିଶେଷ ଧ୍ୟାନ ଦିଆଯାଇ ବିମାନ ସେବାର ବିସ୍ତାର କରାଯାଇଛି ଦର୍ଶାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କୃତଜ୍ଞତା ଜଣାଇଥିଲେ।

Leave A Reply