‘ଉଡ଼ାନ୍‌’ ପାଇଁ ରାଉରକେଲାରେ ଉଚ୍ଚସ୍ତରୀୟ ଦଳ

ରାଉରକେଲା: ରାଉରକେଲାବାସୀଙ୍କ ପାଇଁ ବିମାନସେବା ଘୁଞ୍ଚି ଘୁଞ୍ଚି ଚାଲିଛି। ଉଡ଼ାଣ ଯୋଜନାରେ ଏହାକୁ ସାମିଲ କରାଯାଇଥିଲେ ମଧ୍ୟ ଅଦ୍ୟାବଧି ଏହି ସ୍ୱପ୍ନ ପୂରଣ ହୋଇ ନାହିଁ। ଏଥିପାଇଁ ସରକାରୀ ପ୍ରକ୍ରିୟା ଅବ୍ୟାହତ ରହିଛି। ବିଭିନ୍ନ ସମୟରେ ବିମାନସେବା ପାଇଁ ଆବଶ୍ୟକ ବ୍ୟବସ୍ଥାର ଅନୁଧ୍ୟାନ ଜାରି ରହିଛି। ଆଜି ଏହି କ୍ରମରେ ପ୍ରଥମଥର ପାଇଁ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ରାଉରକେଲା ଗସ୍ତରେ ଆସି ବିମାନବନ୍ଦରର ଭିତ୍ତିଭୂମି ଓ ଏଥିପାଇଁ କାର୍ୟ୍ୟକାରୀ ହେବାକୁ ଥିବା ଯୋଜନା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ମୁଖ୍ୟ କାର୍ୟ୍ୟାଳୟର ଇଡି (ଇଞ୍ଜିନିୟରିଂ) ଏସ.ଶ୍ରୀକୁମାରଙ୍କ ତତ୍ତ୍ବାବଧାନରେ ଏହି ଦଳ ବିମାନବନ୍ଦରର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ।

ଦଳରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ, କଲକତାର ଇଡି ମନୋଜ ଗଙ୍ଗଲ, ମହାପ୍ରବନ୍ଧକ ଜି.ଜି. ଥରକନ, ଝାରସୁଗୁଡ଼ା ଏୟାରପୋର୍ଟର ନିର୍ଦ୍ଦେଶକ କେ.କେ. ସେନାପତି, ଶାନ୍ତନୁ ଫାଲନେକର, ଉପମହାପ୍ରବନ୍ଧକ (ଆରସିଏସ) ସୁବୀର ସରକାର, ଉପମହାପ୍ରବନ୍ଧକ ସରୋଜକୁମାର ସାହୁ, ଏସଏମ(ଇ-ସି)ବିନୟ ପ୍ରକାଶ, ଆଲିଆନ୍ସ ଏୟାର ଲାଇନ୍‌ସର କ୍ୟାପଟେନ ନବୀନ ଗ୍ରେଗଙ୍କ ସମେତ ବୈଷୟିକ ଟିମରେ ଅଭିଜିତ ଶତପଥୀ, (ଭିଏସଏସ ଏୟାରପୋର୍ଟ)ସହକାରୀଯନ୍ତ୍ରୀ ଦୀପକ କୁମାର, ସଞ୍ଜିବକୁମାର, ରାଜ ସିଂ, ସନୋତ ଡିଗଲ ପ୍ରମୁଖ ସାମିଲ ହୋଇଥିଲେ। ଏହାର ପାସେଞ୍ଜର ରହଣୀ ବ୍ୟବସ୍ଥା, ଟର୍ମିନାଲ ବିଲ୍‌ଡିଂରେ ଥିବା ସିଟ୍‌ ବ୍ୟବସ୍ଥା, ରନୱେ ବ୍ୟବସ୍ଥା, ଟ୍ୟାକ୍ସି ୱେ ବ୍ୟବସ୍ଥା, ପାର୍କିଂ ଅଞ୍ଚଳ, ବିମାନବନ୍ଦର ପାଇଁ ଥିବା ଅଞ୍ଚଳ ସମେତ ବିଭିନ୍ନ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ।

ଏହି ଅଧିକାରୀଙ୍କ ସହିତ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ, ଜିଲାପାଳ ନିଖିଳ ପବନ କଲ୍ୟାଣ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ଆରଏସପି ଅଫିସର ସଂଘ ସଭାପତି ବିମଳ ବିଶି, ଆରଏସପିର ଇଡି ରାଜବୀର ସିଂ, ସହରସେବା ମୁଖ୍ୟ ମହାପ୍ରବନ୍ଧକ ଅଜୟକୁମାର ନାୟକ, ମହାପ୍ରବନ୍ଧକ ସି.ଜି. ରାମଲିଙ୍ଗମ, ବି.କେ. ରାଉତ ପ୍ରମୁଖ ଉପସ୍ଥିତ ରହି ବିମାନବନ୍ଦରର ଅବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ବ୍ୟବସ୍ଥାର ଅନୁଧ୍ୟାନ ପରେ ଶ୍ରୀ କୁମାର କହିଲେ ଯେ ବିମାନ ବନ୍ଦରର ଭିତ୍ତିଭୂମି ଓ ଏହାର ଉନ୍ନତି କରଣ ପାଇଁ ଅନୁଧ୍ୟାନ କରାଯାଉଛି। ବର୍ତ୍ତମାନର ଲାଇସେନ୍‌ସ ଓ ବ୍ୟବସ୍ଥା ଅନୁସାରେ ଏହି ଏୟାରପୋର୍ଟ ୨ବି ପର୍ୟ୍ୟାୟରେ ରହିଛି। ଏହା କେବଳ ୨୦ ସିଟ୍‌ ବିଶିଷ୍ଟ ବିମାନସେବା ପାଇଁ ସୀମିତ। ଆବଶ୍ୟକତା ଅନୁସାରେ ୭୨ ସିଟ୍‌ ବିଶିଷ୍ଟ(୩ସି) ବିମାନସେବା ପାଇଁ ଦାବି ହେଉଛିି। ଏହି ବ୍ୟବସ୍ଥାକୁ ପୂରଣ କରିବା ଓ ଏଥିପାଇଁ ଥିବା ବ୍ୟବସ୍ଥାର ଆଜି ଅନୁଧ୍ୟାନ କରାଯାଇଛି। ଏନେଇ ଏହି ଦଳ ସରକାରଙ୍କୁ ରିପୋର୍ଟ ଦେବ ବୋଲି ଶ୍ରୀ କୁମାର କହିଥିଲେ।

Comments are closed.