ଉଡ଼ାନ୍ ଯୋଜନାରେ ୩ ଦିନରେ ୨୨ଟି ମାର୍ଗରେ ବିମାନ ସେବା ଆରମ୍ଭ

ଦେଶରେ ଗତ ୩ ଦିନ ମଧ୍ୟରେ ଉଡ଼ାନ୍ ଯୋଜନାରେ ୨୨ଟି ନୂତନ ମାର୍ଗରେ ବିମାନ ସେବାର ଶୁଭାରମ୍ଭ କରାଯାଇଛି। ଏଥିରେ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ଭୁବନେଶ୍ୱରକୁ ମଧ୍ୟ ବିମାନ ସେବା ରହିଛି। ସେହିପରି ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ୬ଟି ନୂଆ ମାର୍ଗରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି। ମଙ୍ଗଳବାର ମେଘାଳୟର ଶିଲଂରୁ ତ୍ରିପୁରାର ଅଗରତାଲାକୁ ପ୍ରଥମ ସିଧାସଳଖ ବିମାନ ଉଡ଼ାଣକୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ସୋମବାର ଶିଲଂରୁ ଆସାମର ସିଲଚରକୁ ବିମାନ ସେବା ଆରମ୍ଭ ହୋଇଥିଲା। ଏହି ଅବସରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ବରିଷ୍ଠ ଅଧିକାରୀ ଏବଂ ଅନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ। ଏବେ ସୁଦ୍ଧା ଉଡ଼ାନ ଯୋଜନା ଅନ୍ତର୍ଗତ ଦେଶର ୩୪୭ଟି ମାର୍ଗରେ ବିମାନ ସେବା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି।

ମାର୍ଚ୍ଚ ୨୮ରେ ୧୮ଟି ନୂତନ ମାର୍ଗରେ ଉଡ଼ାନ ଯୋଜନାରେ ବିମାନ ଚଳାଚଳ ଆରମ୍ଭ କରାଯାଇଥିଲା। ସେଗୁଡିକ ହେଉଛି ଗୋରଖପୁରରୁ ଲକ୍ଷ୍ନୌ, କୁର୍ଣ୍ଣୁଲରୁ ବାଙ୍ଗାଲୋର, ବିଶାଖାପାଟଣା ଓ ଚେନ୍ନାଇ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ଭୋପାଳ। ଏହାବ୍ୟତୀତ ଦିବ୍ରୁଗଡ଼ରୁ ଦିମାପୁରକୁ ନୂଆ ବିମାନ ଯୋଗାଯୋଗ ସ୍ଥାପନ କରାଯାଇଛି।

ଗତବର୍ଷ ୪ଟି ବିଡିଂ ପ୍ରକ୍ରିୟାରେ ଉଡ଼ାନ ଯୋଜନା ଅନ୍ତର୍ଗତ ଶିଲଂ-ଅଗରତାଲା, ଶିଲଂ-ସିଲଚର, କୁର୍ଣ୍ଣୁଲ-ବାଙ୍ଗାଲୋର, ବିଶାଖାପାଟଣା ଏବଂ ଚେନ୍ନାଇ ମାର୍ଗରେ ବିମାନ ଚଳାଚଳ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ଦାୟିତ୍ବ ଦିଆଯାଇଥିଲା। ଏହାଛଡ଼ା ଆଗ୍ରାରୁ ବାଙ୍ଗାଲୋରକୁ ଏବଂ ଆଗ୍ରାରୁ ଭୋପାଳକୁ ଉଡ଼ାନ ୩ ଯୋଜନା ଅନ୍ତର୍ଗତ, ପ୍ରୟାଗରାଜରୁ ଭୁବନେଶ୍ୱର ଏବଂ ପ୍ରୟାଗରାଜରୁ ଭୋପାଳକୁ ଉଡ଼ାନ ୨ ଯୋଜନା ଅନ୍ତର୍ଗତ ଏବଂ ଦିବ୍ରୁଗଡ଼ରୁ ଦିମାପୁରକୁ ଉଡ଼ାନ ୩ ବିଡିଂ ପ୍ରକ୍ରିୟାରେ ବିମାନ ଚଳାଚଳ ଦାୟିତ୍ବ ଦିଆଯାଇଛି। ଉଡ଼ାନ-୩ ବିଡିଂ ପ୍ରକ୍ରିୟାରେ ଲକ୍ଷ୍ନୌ-ଗୋରଖପୁର ମାର୍ଗରେ ବିମାନ ଚଳାଚଳ ପାଇଁ ଆଲିଆନ୍ସ ଏୟାରକୁ ଦାୟିତ୍ବ ଦିଆଯାଇଛି।

Comments are closed.