ୟୁକୋ ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ନେଟ୍‌ ଲାଭ ୯୨୯.୭୬ କୋଟି ଟଙ୍କା

ଭୁବନେଶ୍ୱର  ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାଙ୍କ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍‌ ୯୨୯.୭୬ କୋଟି ଟଙ୍କା ନେଟ୍‌ ଲାଭ ଉପାର୍ଜନ କରିଛି । ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ ଆର୍ଥିକ ଫଳାଫଳ ପ୍ରକାଶ ପାଇଛି । ୨୦୨୧-୨୨ଆର୍ଥିକ ବର୍ଷର ମାର୍ଚ୍ଚ ମାସ ସୁଦ୍ଧା ଶେଷ ହୋଇଥିବା ଚତୁର୍ଥ ତ୍ରୈମାସରେ ବ୍ୟାଙ୍କ ୩୧୨.୧୮ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରି ପୂର୍ବ ବର୍ଷ ଏହି ସମୟ ତୁଳନାରେ ଶତକଡା ୨୯୦.୧୧ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରି ପାରିଛି । ଏହି ସମୟ ମଧ୍ୟରେ ବ୍ୟାଙ୍କର କାର୍ଯ୍ୟକାରୀ ଲାଭର ପରିମାଣ ପୂର୍ବ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ତୁଳନାରେ ଶତକଡା ୧୫.୬୩ ପ୍ରତିଶତ ଅଭିବୃଦ୍ଧି ହାରରେ ୪୭୯୭.୪୩ କୋଟି ଟଙ୍କାରେ ପହଞ୍ଚିପାରିଛି ।

ବ୍ୟାଙ୍କର ମୋଟ୍‌ ସୁଧ ଆୟ ପୂର୍ବ ବର୍ଷ ମାର୍ଚ୍ଚ ମାସ ତୁଳନାରେ ଶତକଡା ୧୬.୯୭ ପ୍ରତିଶତ ଅଭିବୃଦ୍ଧି ହାରରେ ୧୬୫୨.୩୮ କୋଟିରେ ପହଞ୍ଚିଛି । ବ୍ୟାଙ୍କର ଅନ୍ୟାନ୍ୟ ଆୟ ପୂର୍ବ ବର୍ଷ ମାର୍ଚ୍ଚ ମାସ ଶେଷ ସୁଦ୍ଧା ୭୧୯.୧୫ କୋଟି ହୋଇଥିବା ବେଳେ ଏହା ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ଶେଷ ସୁଦ୍ଧା ୫୮୮.୯୫ କୋଟିରେ ପହଞ୍ଚିଛି । ସେହିପରି ବ୍ୟାଙ୍କର ମୋଟ୍‌ ବ୍ୟବସାୟ ପୂର୍ବ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା
୩୨୪୩୨୪.୨୦ କୋଟି ହୋଇଥିବା ବେଳେ ଏହା ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ମାସ ଶେଷ ସୁଦ୍ଧା ୩୫୩୮୫୦.୨୪ କୋଟି ଟଙ୍କାରେ ପହଞ୍ଚି ଶତକଡା ୯.୧୦ ପ୍ରତିଶତ ଅଭିବୃଦ୍ଧି ହାର ହାସଲ କରିପାରିଛି । ବ୍ୟାଙ୍କର ମୋଟ୍‌ ଜମା ପରିମାଣ ପୂର୍ବ ବର୍ଷ ତୁଳନାରେ ଶତକଡା ୮.୮୨ ପ୍ରତିଶତ ବୃଦ୍ଧି ପାଇ ୨୨୪୦୭୨.୯୦ କୋଟି ଟଙ୍କାରେ ପହଞ୍ଚିଛି । ବ୍ୟାଙ୍କର କାସା ଡିପୋଜିଟ (ଘରୋଇ) ଆର୍ଥିକ ବର୍ଷ ୨୦୨୧-୨୨ର ଶତକଡା ୪୦.୨୬ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ସଂଚୟ ଜମା ଗତ ବର୍ଷ ୭୦୮୦୮.୭୦ କୋଟି ହୋଇଥିବା ବେଳେ ଆର୍ଥିକ ବର୍ଷ ୨୦୨୧-୨୨ରେ ଏହା ଶତକଡା ୮.୯୭ ପ୍ରତିଶତ ଅଭିବୃଦ୍ଧି ହାରରେ ୭୭୧୬୧.୭୬ କୋଟିକୁ ବୃଦ୍ଧି ପାଇଛି । ବ୍ୟାଙ୍କର ସମୁଦାୟ ଅଗ୍ରୀମ ମାର୍ଚ୍ଚ ମାସ ୨୦୨୧ ରେ ୧୧୮୪୦୪.୮୧ କୋଟି ଟଙ୍କା ରହିଥିବା ବେଳେ ୨୦୨୧-୨୨ଆର୍ଥିକ ବର୍ଷର ମାର୍ଚ୍ଚ ମାସ
ଶେଷ ସୁଦ୍ଧା ଶତକଡା ୯.୬୦ ପ୍ରତିଶତ ଅଭିବୃଦ୍ଧି ହାରରେ ୧୨୯୭୭୭.୩୪ କୋଟି ଟଙ୍କାରେ ପହଞ୍ଚି ପାରିଛି ।

ବ୍ୟାଙ୍କର ନେଟ୍‌ ଏନ୍‌ପିଏ ପରିମାଣ ପୂର୍ବ ବର୍ଷ ଶତକଡା ୩.୯୪ ପ୍ରତିଶତ ରହିଥିବା ବେଳେ ଏହା ଶତକଡା ୨.୭୦ ପ୍ରତିଶତକୁ ହ୍ରାସ ପାଇଛି । ବ୍ୟାଙ୍କର ପ୍ରୋଭିଜନ କଭରେଜ ରେସିଓ ପୂର୍ବ ବର୍ଷ ଶତକଡା ୮୮.୪୦ ପ୍ରତିଶତ ଥିବା ବେଳେ ଏହା ବୃଦ୍ଧି ପାଇ ଶତକଡା ୯୧.୪୪ ପ୍ରତିଶତରେ ପହଞ୍ଚିଛି । ବ୍ୟାଙ୍କର ପୁଞ୍ଜି ସ୍ୱଚ୍ଛଳତା ହାର ଏବଂ ସିଇଟି-୧ ରେସିଓ ପୂର୍ବ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଶତକଡା ୧୩.୭୪ ପ୍ରତିଶତ ଏବଂ ଶତକଡା ୧୧.୧୪ ପ୍ରତିଶତ ଥିବା ବେଳେ ଏହା ୨୦୨୧-୨୨ଆର୍ଥିକ ବର୍ଷର ମାର୍ଚ୍ଚ ଶେଷ ସୁଦ୍ଧା ଯଥାକ୍ରମେ ଶତକଡା ୧୩.୭୪ ପ୍ରତିଶତ ଏବଂ ଶତକଡା ୧୦.୯୭ ପ୍ରତିଶତରେ ପହଞ୍ଚିପାରିଛି । ଚଳିତ ବର୍ଷ ବ୍ୟାଙ୍କ ତରଫରୁ ୨୦୦ଟି ନୂତନ ଶାଖା ଖୋଲାଯିବାର ଯୋଜନା ରହିଛି ।

 

Comments are closed.