ୟୁକୋ ବ୍ୟାଙ୍କ ଓ ମିଶନ ଶକ୍ତି ବିଭାଗ, ଓଡିଶା ସରକାର ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଇସ୍ରାକ୍‌ ଅଲ୍ଲୀ ଖାନ୍‌ ତା ୨୬.୦୭.୨୦୨୨ରୁ ତା୨୮.୦୭.୨୦୨୨ରିଖ ପର୍ଯ୍ୟନ୍ତ ଓଡିଶା ପରିଦର୍ଶନରେ ଆସିଥିଲେ । ତାଙ୍କ ଉପସ୍ଥିତିରେ ଭୁବନେଶ୍ୱର ଅଞ୍ଚଳର ମହାପ୍ରବନ୍ଧକ ତଥା ଅଞ୍ଚଳ ମୁଖ୍ୟ ଗୌତମ ପାତ୍ର ଏବଂ ଓଡିଶା ସରକାରଙ୍କ ମିଶନ ଶକ୍ତି ବିଭାଗର କମିଶନର ତଥା ସେକ୍ରେଟାରୀ ସୁଜାତା ଆର୍‌ କାର୍ତ୍ତିକେୟନ୍‌ଙ୍କ ମଧ୍ୟରେ ତା୨୬.୦୭.୨୦୨୨ ରିଖରେ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଅଛି । ରାଜ୍ୟରେ ଅଣବ୍ୟାଙ୍କିଙ୍ଗ୍‌ ଓ ଅଣ୍ଡରବ୍ୟାଙ୍କିଙ୍ଗ୍‌ ଗ୍ରାମ ପଞ୍ଚାୟତଗୁଡିକରେ ବ୍ୟାଙ୍କିଙ୍ଗ୍‌ ସୁବିଧା ପହଞ୍ଚାଇବା ନିମନ୍ତେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ବ୍ୟବସାୟିକ ପ୍ରତିନିଧି ଏଜେଣ୍ଟ ରୂପେ ନିୟୋଜନ କରି ବ୍ୟାଙ୍କିଙ୍ଗ୍‌ ସୁବିଧା ଯୋଗାଇଦେବା ଏହି ଚୁକ୍ତିପତ୍ରର ଉଦ୍ଦେଶ୍ୟ ଅଟେ ।

ଏହି ଅବସରରେ ଆର୍ଥିକ ଅନ୍ତର୍ଭୁକ୍ତିକରଣର ମହା ପ୍ରବନ୍ଧକ ରଞ୍ଜିତ ସିଂହ, ସରକାରଙ୍କ ଜଏଣ୍ଟ ସେକ୍ରେଟାରୀ ବିନୋଦ କୁମାର ଜେନା, ଏସ୍‌ଏଲ୍‌ବିସି, ଓଡିଶାର ଇନ୍‌ଚାର୍ଜ ଲିଙ୍ଗରାଜ ନାୟକଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ୟୁକୋ ବ୍ୟାଙ୍କ ଦ୍ୱାରା ତା୨୭.୦୭.୨୦୨୨ରିଖରେ ଅନୁଗୁଳଠାରେ ଆୟୋଜିତ ହୋଇଥିବା ସ୍ୱତନ୍ତ୍ର ବିତ୍ତୀୟ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଆଉଟ୍‌ରିଚ କାର୍ଯ୍ୟକ୍ରମରେ ଇସ୍ରାକ୍‌ ଅଲ୍ଲୀ ଖାନ ଯୋଗଦେଇ ଏହାର ଶୋଭାବର୍ଦ୍ଧନ କରିଥିଲେ ।

ତୃଣମୂଳସ୍ତରର ଲୋକମାନଙ୍କୁ ସେମାନଙ୍କ ପାଇଁ ଉପଲବ୍ଧ ଥିବା ବ୍ୟାଙ୍କିଙ୍ଗ୍‌ ସୁବିଧା ବିଷୟରେ ଅବଗତ କରାଇବା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ବୃଦ୍ଧି କରିବା ଓ ପିଏମ୍‌ଜେଡିୱାଇ, ପିଏମ୍‌ଜେଜେବିୱାଇ ଓ ଏପିୱାଇ ଆକାଉଣ୍ଟ ଖୋଲିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମଟି ସଫଳ ରୂପେ ସମ୍ପନ୍ନ ହୋଇଥିଲା । ସେ ମଧ୍ୟ ଓଡିଶାରେ ସାମଗ୍ରିକ ବ୍ୟବସାୟିକ ଅଭିବୃଦ୍ଧି ନିମନ୍ତେ ତା୨୮.୦୭.୨୦୨୨ରିଖରେ ଭୁବନେଶ୍ୱର ଅଞ୍ଚଳର କିଛି ଶାଖାର ଶାଖା ମୁଖ୍ୟମାନଙ୍କୁ ସମ୍ବୋଧନ କରିଥିଲେ ।

Comments are closed.