ସ୍ପେନ୍‌କୁ ୩-୨ରେ ହରାଇଲା ଭାରତ

ଉବର କପ୍‌ ବ୍ୟାଡ୍‌ମିଣ୍ଟନ: ଡବଲ୍‌ସରେ ଜିତାଇଲେ ଋତୁପର୍ଣ୍ଣା

ଆର୍‌ହସ୍ (ଡେନ୍‌ମାର୍କ): ‌ଏଠାରେ ଚାଲିଥିବା ବିଶ୍ବ ମହିଳା ଦଳଗତ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ ଉବର କପ୍‌ରେ ଭାରତ ୩-୨ରେ ସ୍ପେନ୍‌କୁ ହରାଇ ଚମତ୍କାର ବିଜୟ ହାସଲ କରିଛି। ତେବେ ଭାରତର ଏହି ବିଜୟରେ ଦୁଇ ନବାଗତା ସିଙ୍ଗଲ୍‌ସ ଖେଳାଳିଙ୍କ ସହ ଡବଲ୍‌ସ ଖେଳାଳି ଓଡ଼ିଶାର ଋତୁପର୍ଣ୍ଣା ପଣ୍ଡାଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ଥିଲା। ସ୍ପେନ୍‌ ବିପକ୍ଷରେ ସିଙ୍ଗଲ୍‌ସରେ ଅଲିମ୍ପିକ୍‌ସ ପଦକ ବିଜୟିନୀ ସାଇନା ନେହୱାଲ ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଡବଲ୍‌ସ ପଦକ ବିଜୟିନୀ ଏନ୍‌. ସିକ୍ସି ରେଡ୍‌ଡୀ ଓ ଅଶ୍ବିନୀ ପୋନପ୍ପା ଭାରତକୁ ଜିତାଇବେ ବୋଲି ଅନୁମାନ କରା ଯାଉଥିଲା। ହେଲେ ଉଭୟେ ପରାସ୍ତ ହୋଇ ଯାଇଥିଲେ। ଫଳରେ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନବାଗତ ଖେଳାଳିମାନେ।
ପ୍ରଥମ ମ୍ୟାଚ୍‌ ସିଙ୍ଗଲ୍‌ସ ଥିବା ବେଳେ ଏଥିରେ ସ୍ପେନ୍‌ର କ୍ଲାରା ଆଜୁରମେଣ୍ଡିଙ୍କ ବିପକ୍ଷରେ ସାଇନା ନେହୱାଲ ପ୍ରଥମ ଗେମ୍‌ ୨୦-୨୨ରେ ହାରିଥିଲେ। ଏହାପରେ ଗୋଡ଼ରେ ଯନ୍ତ୍ରଣା ହେବାରୁ ସାଇନା ଖେଳି ପାରିନଥିଲେ। ପରେ ୨ୟ ମହିଳା ସିଙ୍ଗଲ୍‌ସରେ ଭାରତର ମାଳବିକା ବାଁସୋଦ୍ ପ୍ରଭାବଶାଳୀ ପ୍ରଦର୍ଶନ କରି ପୂର୍ବତନ ବିଶ୍ବର ୨୦ନଂ ଖେଳାଳି ସ୍ପେନ୍‌ର ବିଟ୍ରିଜ୍‌ କୋରାଲେସ୍‌ଙ୍କୁ ୨୧-୧୩, ୨୧-୧୫ ଗେମ୍‌ରେ ପରାସ୍ତ କରିଥିଲେ। ସ୍କୋର୍ ୧-୧ ହେବା ପରେ ଓଡ଼ିଆ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଓ ତାନିଶା କ୍ରାଷ୍ଟୋ ୨୧-୧୦, ୨୧-୮ ଗେମ୍‌ରେ ସ୍ପେନ୍‌ର ପାଓଲା ଲୋପେଜ୍ ଓ ଲୋରେନା ଉସ୍‌ଲେଙ୍କୁ ୨୧-୧୦, ୨୧-୮ରେ ପରାସ୍ତକରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ୩ୟ ସିଙ୍ଗଲ୍‌ସରେ ଭାରତର ଅଦିତି ଭଟ୍ଟ ଚମତ୍କାର ପ୍ରଦର୍ଶନ କରି ସ୍ପେନ୍‌ର ଆନିଆ ସେଟିଏନ୍‌ଙ୍କୁ ୨୧-୧୬, ୨୧-୧୪ ଗେମ୍‌ରେ ପରାସ୍ତକରି ଭାରତକୁ ୩-୧ରେ ଆଗୁଆ କରି ଏହି ମୁକାବିଲାରେ ବିଜୟୀ କରିଥିଲେ। ପରେ ଦେଶର ୧ନଂ ମହିଳା ଡବଲ୍‌ସ ଯୋଡ଼ି ଏନ୍‌. ସିକ୍ସି ରେଡ୍‌ଡୀ ଓ ଅଶ୍ବିନୀ ପୋନପ୍ପା ସ୍ପେନ୍‌ର ଆଜୁରମେଣ୍ଡି ଓ କୋରାଲେସ୍‌ଙ୍କଠାରୁ ୧୮-୨୧, ୨୧-୧୪, ୧୭-୨୧ରେ ପରାସ୍ତ ହୋଇ ଯାଇଥିଲେ।

Comments are closed.