୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବେ ଜାପାନ ଓ ୟୁଏଇ

ଦୁବାଇ: ମହାକାଶ ଅଭିଯାନରେ ଏବେ ସାମିଲ ହୋଇଛି ସଂଯୁକ୍ତ ଆରବ ଏମିରେଟ୍‍ସ (ୟୁଏଇ)। ମଙ୍ଗଳକୁ ମହାକାଶ ଯାନ ପଠାଇବା ପରେ ୨୦୨୨ ସୁଦ୍ଧା ଚନ୍ଦ୍ରକୁ ରୋଭର ପଠାଇବା ପାଇଁ ଜାପାନ ସହିତ ଏକ ରାଜିନାମା କରିଛି ୟୁଏଇ। ଜାପାନର ମହାକାଶ କମ୍ପାନୀ ଆଇସ୍ପେଶ କହିଛି, ୟୁଏଇ ପକ୍ଷରୁ ଚନ୍ଦ୍ର ଅଭିଯାନ ନିମନ୍ତେ ଯେଉଁ ଯୋଜନା କରାଯାଇଛି ସେଥିପାଇଁ ଏହା ମହାକାଶକୁ ରୋଭର ଯାତ୍ରା ସମୟରେ ଓୟାର୍ଡ କମ୍ୟୁନିକେସନ ଏବଂ ଶକ୍ତି ଯୋଗାଣ ସହିତ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବା ପରେ ଓୟାରଲେସ କମ୍ୟୁନିକେସନ ଯୋଗାଇଦେବ। ସୂଚନାଯୋଗ୍ୟ ଯେ ଏହି ଉପସାଗରୀୟ ରାଷ୍ଟ୍ରର ପ୍ରଥମ ମହାକାଶ ଅଭିଯାନ ରକେଟ ଫେବ୍ରୁଆରୀ ମାସରେ ମଙ୍ଗଳ କକ୍ଷପଥରେ ପ୍ରବେଶ କରିଥିଲା। ଏମିରେଟ୍‍ସ ସ୍ପେଶ ଏଜେନ୍ସି ପକ୍ଷରୁ ଏହି ଅଭିଯାନ ହାତକୁ ନିଆଯାଇଥିଲା। ଏହି ମହାକାଶ ଯାନ ‘ହୋପ ଅର୍ବିଟର’ ୨୦୨୦ ଜୁଲାଇ ୧୯ରେ ପଠାଯାଇଥିଲା ଏବଂ ତାହା ମଙ୍ଗଳ ପୃଷ୍ଠରେ ଚଳିତ ବର୍ଷ ଫେବ୍ରୁଆରୀ ୯ ତାରିଖରେ ପହଞ୍ଚିଥିଲା। ଏହି ମହାକାଶ ଅଭିଯାନର ଡିଜାଇନ, ଡେଭଲପମେଣ୍ଟ ଏବଂ ଅପରେସନ୍ସ ଆଦି କାର୍ଯ୍ୟର ନେତୃତ୍ୱ ନେଇଥିଲା ମହମ୍ମଦ ବିନ୍‍ ରଶିଦ ସ୍ପେଶ ସେଣ୍ଟର। ମହାକାଶଯାନକୁ ଆରିଜୋନା ଷ୍ଟେଟ ୟୁନିଭରସିଟି ଏବଂ ଦି ୟୁନିଭରସିଟି ଅଫ କାଲିଫର୍ଣ୍ଣିଆ, ବର୍କଲେ ସହଯୋଗରେ ୟୁନିଭରସିଟି ଅଫ କଲରାଡୋ ବୋଲ୍‍ଡରସ୍ଥିତ ଲାବୋରେଟୋରୀ ଫର ଆଟମୋସ୍ପିୟରିକ ଆଣ୍ଡ ସ୍ପେଶ ଫିଜିକ୍ସଠାରେ ପ୍ରସ୍ତୁତ କରାଯାଇଥିଲା। ମଙ୍ଗଳ ଗ୍ରହର ବିଭିନ୍ନ ଅଞ୍ଚଳରେ ପାଣିପାଗ ପରିସ୍ଥିତି କିଭଳି ବଦଳୁଛି ଏବଂ ସେଠାକାର ବାୟୁମଣ୍ଡଳର ନିମ୍ନ ଭାଗରେ ଘଟୁଥିବା ପରିବର୍ତ୍ତନ, ଦୈନିକ ପାଗ ପରିସ୍ଥିତି ଆଦି ସମ୍ପର୍କରେ ଏହି ମହାକାଶ ଯାନ ଗବେଷଣା କରିବ।

Comments are closed.