ଉତ୍କଳ ବିଶ୍ବବିଦ୍ୟାଳୟ: ଲୋକାର୍ପଣ ଅପେକ୍ଷାରେ ଅତ୍ୟାଧୁନିକ ଅଟ୍ଟାଳିକା, ଗୋଟିଏ ଛାତ ତଳେ ସବୁ ସୁବିଧା

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟରେ ଏଣିକି ଛାତ୍ରଛାତ୍ରୀ, ଗବେଷକ, ଅଧ୍ୟାପକଙ୍କୁ ଗୋଟିଏ ଛାତ ତଳେ ମିଳିବ ସବୁ ସୁବିଧା। ଏଥିପାଇଁ ନିର୍ମାଣ ଚାଲିଛି ଏକ ଅତ୍ୟାଧୁନିକ(ଗ୍ରିନ୍‌ ବିଲ୍ଡିଂ) ଅଟ୍ଟାଳିକା। ଏହି ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଖୁବ୍‌ଶୀଘ୍ର ଲୋକାର୍ପଣ କରାଯିବ। ନିର୍ମାଣ ପାଇଁ ପ୍ରାୟ ୨୫ କୋଟି ୭୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି। ପ୍ରଶାସନିକ, ଏକାଡେମିକ୍‌ ଓ ଅନ୍ତର୍ଜାତୀୟ ଭବନ ଏହି ଅଟ୍ଟାଳିକାରେ ରହିବ।

ବିଶ୍ବବିଦ୍ୟାଳୟ ସୂଚନା ଅନୁଯାୟୀ ଅଟ୍ଟାଳିକାର ନିର୍ମାଣ କାମ ସହ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଏହାର ପ୍ରଥମ ମହଲାରେ ଚାରୋଟି ସମ୍ମିଳନୀ କକ୍ଷ ସହ ଆଗନ୍ତୁକଙ୍କ ପାଇଁ ପ୍ରକୋଷ୍ଠ କରାଯାଇଛି। ବଡ଼ ସମ୍ମିଳନୀ କକ୍ଷରେ ୪୦୦, ଏବଂ ଛୋଟ କକ୍ଷରେ ୨୫୦, ୨୦୦ ଓ ୭୫ଜଣ ଲୋକ ବସିପାରିବେ। ପ୍ରଥମ ମହଲାରେ ସୁରକ୍ଷା କର୍ମୀଙ୍କ ରୁମ୍‌, ପାରାମେଡିକାଲ ପ୍ରକୋଷ୍ଠ ଓ ସିସି କ୍ୟାମେରା ନିୟନ୍ତ୍ରଣ କକ୍ଷ ରହିଛି। ସେହିପରି ଦ୍ବିତୀୟ ମହଲାରେ କୁଳପତି, କୁଳସଚିବ, ବିତ୍ତ ନିୟନ୍ତ୍ରକ, ପିଜି କାଉନସିଲ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ରଖାଯାଇଛି। ତୃତୀୟ ମହଲାରେ ବିଶ୍ବବ୍ୟାଙ୍କ, ରୁସା, ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟର କାର୍ଯ୍ୟାଳୟ ସହ ନୂଆ କ୍ୟାମ୍ପସ୍‌ ଅଧିକାରୀ ଏବଂ ଡିନଙ୍କ କାର୍ଯ୍ୟାଳୟ ରହିଛି। ଚତୁର୍ଥ ଓ ପଞ୍ଚମ ମହଲାରେ ବିଶ୍ବବିଦ୍ୟାଳୟର ଇତିହାସ ଓ ଅତୀତର ଉପଲବ୍ଧିକୁ ନେଇ ଏକ ସ୍ବତନ୍ତ୍ର ସଂଗ୍ରହାଳୟ ଏବଂ ପାଠାଗାର ପ୍ରତିଷ୍ଠା କରାଯିବ।

ଶିକ୍ଷାନୁଷ୍ଠାନକୁ ଅନ୍ତର୍ଜାତୀୟ ମାନର କରିବା ପାଇଁ ଅତ୍ୟାଧୁନିକ ସୁବିଧା ରଖାଯାଇଛି। ଏଠାରେ କ୍ୟାଫିଟେରିଆ ସହ ଅନ୍ୟ ସୁବିଧା ଉପଲବ୍ଧ ରହିଛି। ସମ୍ପୂର୍ଣ୍ଣ ଅଟ୍ଟାଳିକା ତାପମାତ୍ରା ନିୟନ୍ତ୍ରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଅଟ୍ଟାଳିକାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆସନ୍ତା ମାସରେ ଏହାକୁ ଲୋକାର୍ପଣ କରାଯିବ ବୋଲି କୁଳସଚିବ ଡ.ଅଭୟ ନାୟକ କହିଛନ୍ତି।
କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ କହିଛନ୍ତି ପରିବେଶର ପ୍ରଭାବ ମନ୍ୟୁଷର ମାନସିକତା ଓ ବୁଦ୍ଧିମତ୍ତାକୁ ପ୍ରଭାବିତ କରିଥାଏ। ସେଥିପାଇଁ ଛାତ୍ରଛାତ୍ରୀ, ଗବେଷକ ସମୟକୁ ଅପଚୟ ନକରି ଗୋଟିଏ ଛାତ ତଳେ ସବୁ ସୁବିଧା ଦେବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ଏହି ଅଟ୍ଟାଳିକା ବିଶ୍ବବିଦ୍ୟାଳୟକୁ ଅନ୍ତର୍ଜାତୀୟକରଣ କରିବାର ଏକ ବଡ଼ ପାହାଚ। ଭବିଷ୍ୟତର ନାକ୍‌ର ମାନ୍ୟତା ହାସଲ ଦିଗରେ ଏହା ବିଶେଷ ଭାବେ ସହାୟକ ହେବ ବୋଲି ସେ କହିଛନ୍ତି।

Comments are closed.