ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆରମ୍ଭ : ବିଡେନ୍‌ଙ୍କ ସପକ୍ଷରେ ପ୍ରଥମ ଫଳାଫଳ; ଟ୍ରମ୍ପ କହିଲେ ବିଜୟ ନିଶ୍ଚିତ

ୱାଶିଂଟନ : ଯୁକ୍ତରାଷ୍ଟ୍ର ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହୋଇଛି। ନ୍ୟୁୟର୍କ, ନ୍ୟୁଜର୍ସି ଓ ଭର୍ଜିନିଆରେ ମତଦାନ କେନ୍ଦ୍ର ଖୋଲିବା ସହ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୬ଟାରେ ଏହି ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମତଦାନ କେନ୍ଦ୍ର ଖୋଲିବା ସହ ମତଦାନ ଆରମ୍ଭ ହୋଇଥିଲା। ଏହା ପୂର୍ବରୁ ମଧ୍ୟରାତ୍ରରେ ନିଉ ‌ହାମ୍ପ୍‌ସାୟାର୍‌ ଅନ୍ତର୍ଗତ ଡିକ୍ସଭାଇଲ୍‌ ନକ୍ ଓ ମିଲ୍ସଫିଲ୍ଡରେ ନାମକ ଦୁଇଟି ଗାଁରେ ମତଦାନ କେନ୍ଦ୍ର ଖୋଲିବା ସହ ସର୍ବପ୍ରଥମ ମତଦାନ ଆରମ୍ଭ ହୋଇଥିଲା। କରୋନା ପ୍ରଭାବକୁ ଖାତିର ନ କରି ଆମେରିକୀୟମାନେ ରେକର୍ଡ ପରିମାଣରେ ମତଦାନ କେନ୍ଦ୍ରରେ ଧାଡ଼ି ଲଗାଇଛନ୍ତି। ମୋଟ ୨୩୯ ନିୟୁତ ମତଦାତାଙ୍କ ମଧ୍ୟରୁ ମଧ୍ୟାହ୍ନ ସୁଦ୍ଧା ୧୦୦ ନିୟୁତ ସେମାନଙ୍କ ମତଦାନ ସାବ୍ୟସ୍ତ କରିଛନ୍ତି।

ପାରମ୍ପରିକ ଭାବେ ୧୯୬୦ ମସିହାରୁ ମାତ୍ର ୧୨ଜଣ ଅଧିବାସୀ ଥିବା ଡିକ୍ସଭାଇଲ୍‌ ନକ୍‌ରେ ଦେଶର ପ୍ରଥମ ମତଦାନ ହୋଇଆସୁଛି। ମତଦାନର କିଛି ସମୟ ପରେ ଏଠାରେ ଫଳାଫଳ ପ୍ରକାଶ ପାଇଛି। ଡୋନାଲ୍ଡ ଟ୍ରମ୍ପଙ୍କୁ ଏଠାରେ ଗୋଟିଏ ହେଲେ ଭୋଟ ମିଳି ନ ଥିବାବେଳେ ଜୋ ବିଡେନ୍‌ଙ୍କୁ ୫ ଖଣ୍ଡ ମିଳିଛି। ଏତଦ୍‌ ବ୍ୟତୀତ ଫ୍ଲୋରିଡା, ଜର୍ଜିଆ, ଟେକ୍ସାସ୍‌, ନର୍ଥ କରୋଲିନା, ଓହିଓ, ଆରିଜୋନା, ୱିସକନ୍‌ସିନ୍, ମିଚିଗାନ୍ ଓ ପେନ୍‌ସିଲ୍‌ଭାନିଆରେ ମତଦାନ ଶେଷ ପରେ ପରେ ଗଣତି ଆରମ୍ଭ ହେବା ସମ୍ଭାବନା ରହିଛି। ଜର୍ଜିଆରେ କିଛିଟା ବୈଷୟିକ ସମସ୍ୟା ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ଜର୍ଜିଆ, ଇଣ୍ଡିଆନା, କେଣ୍ଟୁକି, ସାଉଥ କାରୋଲିନା ଭର୍ଜିନିଆ, ଭେରମଣ୍ଟ, କାଲିଫର୍ଣ୍ଣିଆ, ଇଡାହୋ, ଓରୋଗାଓଁ, ହାୱାଇ, ୱାଶିଂଟନ୍‌, ଆଲାସ୍କା ଆଦି ଅଞ୍ଚଳରେ ମତଦାନ ଶେଷ ହୋଇଥିବା ଖବର ମିଳିଛି।

ପୂର୍ବରୁ ଅନୁଷ୍ଠିତ ‘ଓପିନିୟନ ପୋଲ୍‌’ରେ ରାଷ୍ଟ୍ରପତି ତଥା ରିପବ୍ଲିକାନ୍‌ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ତୁଳନାରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଡେମୋକ୍ରାଟିକ୍‌ ଦଳର ପ୍ରାର୍ଥୀ ଜୋ ବିଡେନ୍‌ ଯଥେଷ୍ଟ ଆଗୁଆ ଅଛନ୍ତି। ଅପରପକ୍ଷରେ ଇଣ୍ଟରନେଟ୍‌ରେ ଚାଲିଥିବା ଅନୁସନ୍ଧିତ୍ସା ତଥା ତଥ୍ୟ ବିଶ୍ଳେଷଣରେ ଟ୍ରମ୍ପ ବିଡେନ୍‌ଙ୍କୁ ଟପି ଯାଇଛନ୍ତି। ହାରାହାରି ୪୫ପ୍ରତିଶତ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀ ଟ୍ରମ୍ପ୍‌ଙ୍କ ସପକ୍ଷରେ ଥିବାବେଳେ ବିଡେନ୍‌ଙ୍କ ପକ୍ଷରେ ୨୩ପ୍ରତିଶତ ରହିଛନ୍ତି। ନେବ୍ରାସ୍କା, ଭର୍ମଣ୍ଟ, ଆରିଜୋନା, ୱାଶିଂଟନ୍, ଓରେଗାନ୍‌ ସମେତ ଡେଲୱେର୍‌, ଟେକ୍ସାସ୍‌, କଲମ୍ବିଆ, ଓହିଓ ଓ ଅର୍କାନ୍‌ସାସରେ ଟ୍ରମ୍ପ୍‌ଙ୍କୁ ଇଣ୍ଟରନେଟରେ ଅଧିକ ଆଗ୍ରହ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ତାଙ୍କର ବିଜୟ ସମ୍ଭାବନା ଅଧିକ ବୋଲି କହି ଖୁସି ବ୍ୟକ୍ତ କରିଛନ୍ତି ଟ୍ରମ୍ପ। ଫ୍ଲୋରିଡା, ଟେକ୍ସାସ୍‌ ଓ ଆରିଜୋନା ଭଳି ରାଜ୍ୟରେ ସେ ବିପୁଳ ବିଜୟ ହାସଲ କରି‌ବେ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଟ୍ରମ୍ପ୍‌ କହିଛନ୍ତି ଯେ ‘ମୁଁ ଖୁବ୍‌ ଆନନ୍ଦିତ। ଆମେ ଜିତିବୁ ବୋଲି ମୋର ଅନୁଭବ ହେଉଛି।’

ଡିସେମ୍ବର ୮ ସୁଦ୍ଧା ରାଜ୍ୟଗୁଡ଼ିକରେ ଯଦି କୌଣସି ନିର୍ବାଚନ ସଂକ୍ରାନ୍ତ ବିବାଦ ରହିଥାଏ ସେଗୁଡ଼ିକର ସମାଧାନ ହେବ; ନଚେତ ଭୋଟ ଗଣତି ହୋଇପାରିବ ନାହିଁ। ଡିସେମ୍ବର ୧୪ରେ ଇଲେକ୍‌ଟୋରାଲ କଲେଜ ସଦସ୍ୟମାନେ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଏହି ଆଧାରରେ ଲୋକପ୍ରିୟ ଭୋଟ୍‌ ଗଣି ହେବ। ଜନସଂଖ୍ୟା ଅନୁସାରେ ୫୩୮ ଇଲେକ୍‌ଟୋରାଲ ଭୋଟ ପାଇଥିବା କିମ୍ବା ୨୭୦ ଆସନରେ ବିଜୟୀ ହୋଇଥିବା ଦଳକୁ ନିର୍ବାଚନରେ ବିଜୟୀ ଘୋଷଣା କରାଯିବ। ଜାନୁଆରୀ ୬ ଅପରାହ୍ଣ ୧ଟାରେ ୱାଶିଂଟନରେ କଂଗ୍ରେସର ବୈଠକ ବସି ବିଜୟୀ ଘୋଷଣା କରାଯିବ। ଜାନୁୟାରୀ ୨୦ରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶପଥ ଗ୍ରହଣ କରିବେ।

Comments are closed.