ୟୁପିରେ ୬୦ହଜାର କୋଟିର ୮୧ ପ୍ରକଳ୍ପ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

0

ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଉତ୍ତରପ୍ରଦେଶରେ ୬୦ହଜାର କୋଟି ଟଙ୍କାର ୮୧ଟି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱ ଉତ୍ତରପ୍ରଦେଶ ସରକାରକୁ ଉଚ୍ଚ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଉତ୍ତରପ୍ରଦେଶ ସରକାରଙ୍କ ଏହି ସଫଳତା ଅବିଶ୍ୱସନୀୟ। ଏହି ସବୁ ପ୍ରକଳ୍ପ ଡିଜିଟାଲ ଇଣ୍ଡିଆ ଓ ମେକ୍‍ ଇନ ଇଣ୍ଡିଆ ପ୍ରକଳ୍ପକୁ ନୂଆ ଦିଶା ଦେବ। ଭାରତ ଏବେ ମୋବାଇଲ ନିର୍ମାଣର କେନ୍ଦ୍ରସ୍ଥଳ ହୋଇଛି। ଏ କ୍ଷେତ୍ରରେ ଉତ୍ତରପ୍ରଦେଶ ସବୁଠାରୁ ଆଗରେ ରହିଛି। ଉତ୍ତରପ୍ରଦେଶରେ ଏବେ ୫୦ରୁ ଅଧିକ କମ୍ପାନୀ ମୋବାଇଲ କାରଖାନା ବସାଇଛନ୍ତି। କଂଗ୍ରେସ ଓ ରାଜ୍ୟର ଅଣବିଜେପି ସରକାରକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଅତୀତରେ ରାଜ୍ୟର ବିକାଶ ତ୍ୱରାନ୍ୱିତ ହୋଇପାରି ନ ଥିଲା। ସେ କହିଥିଲେ ଯେ ଦେଶ ଏବେ ଯେଉଁ ସମସ୍ୟାର ସମ୍ମୁଖୀନ ହେଉଛି ତାହା ଅତୀତର ୭୦ବର୍ଷ କୁଶାସନ ଯୋଗୁଁ ହୋଇଛି।
ଉତ୍ସବରେ ଉଦ୍‍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଥିଲେ ଯେ ରାଜ୍ୟରେ ପୁଞ୍ଜିନିବେଶ ପାଇଁ ପରିବେଶ ବେଶ ଅନୁକୂଳ ରହିଛି। ପୁଞ୍ଜିନିବେଶ କ୍ଷେତ୍ରରେ ଉତ୍ତରପ୍ରଦେଶ ଏବେ ୫ମ ସ୍ଥାନରେ ରହିଛି। ବିଏସପି ଯେତେବେଳେ କ୍ଷମତାରେ ରହିଥିଲା ୫ବର୍ଷ ମଧ୍ୟରେ ୫୦ହଜାର ଟଙ୍କା ନିବେଶ ହୋଇଥିଲା। ବିଜେପି କ୍ଷମତାକୁ ଆସିବା ପରେ ଗୋଟିଏ ବର୍ଷରେ ୬୦ହଜାର କୋଟି ଟଙ୍କା ନିବେଶ ହୋଇଛି। ଏହା ସହିତ ୫୦ହଜାର କୋଟିରୁ ଊର୍ଦ୍ଧ୍ବ କୋଟିର ପ୍ରସ୍ତାବ ବିଚାରାଧୀନ ରହିଛି। ଏହି ଉତ୍ସବରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏବଂ ୮୦ଟି ପ୍ରମୁଖ ଶିଳ୍ପପତି ଉପସ୍ଥିତ ରହିଥିଲେ। ଏମାନଙ୍କ ମଧ୍ୟରେ କୁମାର ମଙ୍ଗଳମ୍‍ ବିର୍ଲା, ଗୌତମ ଆଦାନି, ସୁଭାଷ ଚନ୍ଦ୍ରା, ସଞ୍ଜୀବ ପୁର ପ୍ରମୁଖ ରହିଥିଲେ।

Leave A Reply