ଘୁଞ୍ଚିବ ପୌର ନିର୍ବାଚନ !

0

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବର ୩୦ରେ ରାଜ୍ୟର ୬୬ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି। ନିର୍ବାଚନର ଦିନ ପାଖେଇ ଆସୁଥିବାବେଳେ ସରକାର ରାଜ୍ୟ ନିର୍ବାଚନ କମିଶନଙ୍କୁ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିନାହାନ୍ତି। ତେଣୁ ଯଥାସମୟରେ ଏହି ପୌର ନିର୍ବାଚନକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ସ୍ଥାନ ସଂରକ୍ଷଣ ସଂକ୍ରାନ୍ତ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସରକାର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ନଆସିବା ପର୍ଯ୍ୟନ୍ତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ କରିବା ସମ୍ଭବ ନୁହେଁ। ଏହି ସମସ୍ତ ପୌରାଞ୍ଚଳରେ ନିର୍ବାଚନ ପାଇଁ ଆଉ ମାତ୍ର ମାସେ ସମୟ ଥିବାରୁ ଆନୁଷଙ୍ଗିକ କାର୍ଯ୍ୟ ଶେଷ ହେବା ନେଇ କମିଶନ ଆଶଙ୍କା ପ୍ରକାଶ କରିଛନ୍ତି। ସେପ୍ଟେମ୍ବର ମାସରେ ନିର୍ବାଚନ ହେବାକୁ ଥିବା ପୌରାଞ୍ଚଳରେ ନିର୍ବାଚନ ଘୁଞ୍ଚିବ। ପରୋକ୍ଷରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି।
ରାଜ୍ୟ ନିର୍ବାଚନ କମିଶନର ନବକୁମାର ନାୟକ କହିଛନ୍ତି, ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆସିବା ପରେ ସରକାର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ସଂକ୍ରାନ୍ତ ତଥ୍ୟ ଦେବେ। ଏସବୁ ଜାଣିବା ପରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହେବ। କମିଶନ ନିର୍ବାଚନ ପାଇଁ ପଦକ୍ଷେପ ନେବେ।
ଆସନ୍ତା ସେପ୍ଟେମ୍ବର ୩୦ରୁ ୨୦୧୯ ଫେବୃଆରୀ ୧୩ ତାରିଖ ମଧ୍ୟରେ ରାଜ୍ୟର ୯୩ଟି ପୌରାଞ୍ଚଳର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ସରୁଛି। ଏହି ସମସ୍ତ ପୌରାଞ୍ଚଳରେ ଏକକାଳୀନ ନିର୍ବାଚନ କରିବାରେ କୌଣସି ଅସୁବିଧା ନଥିବା ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ନିର୍ବାଚନ କମିଶନର କହିଛନ୍ତି ଏକକାଳୀନ ଏତେ ଗୁଡ଼ାଏ ପୌରାଞ୍ଚଳରେ ନିର୍ବାଚନ କରିବା ସମ୍ଭବ ହେବନି। ଏଥିପାଇଁ ବହୁ ସଂଖ୍ୟାରେ ଇଭିଏମ ଆବଶ୍ୟକ। ଅନ୍ୟ ରାଜ୍ୟରୁ ଇଭିଏମ ଆସିବ। ତେଣୁ ରାଜ୍ୟରେ ପୌର ନିର୍ବାଚନ ପର୍ଯ୍ୟାୟକ୍ରମେ କରିବାକୁ ହେବ।
ସୂଚନାଯୋଗ୍ୟ ଯେ ପୌର ନିର୍ବାଚନରେ ଅନୁସୂଚିତ ଅଞ୍ଚଳକୁ ଛାଡି ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ଆସନ ସଂରକ୍ଷଣ ୫୦%ରୁ ଅଧିକ ନରଖିବା ପାଇଁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଆସନ୍ତା ପୌର ନିର୍ବାଚନ ପାଇଁ କରାଯାଇଥିବା ୱାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ ବ୍ୟବସ୍ଥାରେ୯୦ଟି ପୌର ସଂସ୍ଥାରୁ ୫୫ଟିରେ ସଂରକ୍ଷଣ ହାର ୫୦%ରୁ ଅଧିକ ରହିଛି। ଏଥିପାଇଁ ସରକାର ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନଙ୍କୁ ଚୂଡ଼ାନ୍ତ ତାଲିକା ଦେଇ ନାହାନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦେଶ ଆଧାରରେ ସରକାର ପଦକ୍ଷେପ ନେବେ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply