୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ : ଭାରତ-ଶ୍ରୀଲଙ୍କା ଫାଇନାଲ ଆଜି

ସାରଜା : ୟୁଏଇରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ-ବାଂଲାଦେଶକୁ ଓ ଶ୍ରୀଲଙ୍କା -ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି। ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଶୁକ୍ରବାର ଖେଳାଯିବ।
ସାରଜାରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ୧୦୩ରନରେ ବାଂଲାଦେଶକୁ ପରାସ୍ତ କରି ୮ମ ଥର ପାଇଁ ଫାଇନାଲରେ ପହଞ୍ଚିଛି। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ଫିଲ୍ଡି କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ ୫୦ ଓଭରରେ ୮ ୱିକେଟ ହରାଇ ୨୪୩ରନ କରିଥିଲା। ସେକ୍‌ ରସିଦ୍‌ ୧୦୮ଟି ବଲରୁ ୩ଟି ଚୌକା ଓ ଗୋଟିଏ ଛକା ସହାୟତାରେ ସର୍ବାଧିକ ୯୦ରନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ୟଶ୍‌ ଧୁଲ ୨୬, ରାଜ୍‌ ବାୱା ୨୩, ରାଜବର୍ଦ୍ଧନ ହଙ୍ଗାରର୍ଗକର ୧୬, ଆଙ୍ଗିସ ରାଘବଂଶି ୧୬, ହାର୍ନୁର ସିଂହ ୧୫ ରନ କରି ଆଉଟ୍‌ ହୋଇଥିବାବେଳେ ଭିକି ଓସ୍ତୱାଲ ୨୮ରନ କରି ଅପରାଜିତ ରହିଥିଲେ। ବାଂଲାଦେଶ ପକ୍ଷରୁ ରାକିବୁଲ ହାସନ ୩ଟି, ତାନଜିନ ହାସନ ସାକିବ ଓ ନୈମୁର ରେହମାନ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ୨୪୪ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବାଂଲାଦେଶ ୩୮.୨ ଓଭରରେ ୧୪୦ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଆରିଫୁଲ ଇସ୍‌ଲାମ ସର୍ବାଧିକ ୩୬, ମାହିଫୁଜୁଲ ଇସ୍‌ଲାମ ୨୬, ଅନକ୍ୟୁର ଜମାନ ୧୫, ଅଧିନାୟକ ଆକିବୁଲ ହାସନ ୧୬ରନ କରିଥିଲେ। ଭାରତ ପକ୍ଷରୁ ରାଜବର୍ଦ୍ଧନ ହଙ୍ଗାରର୍ଗକର, ରବି କୁମାର, ରାଜ୍‌ ବାୱା ଓ ଭିକି ଓସ୍ତୁୱାଲ ପ୍ରତ୍ୟେକ ଦୁଇଟି ଲେଖାଏଁ, ନିଶାନ୍ତ ସିନ୍ଧୁ ଓ କୁଶଲ ତାମ୍ବେ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।
ସେହିପରି ଦୁବାଇରେ ଖେଳାଯାଇଥିବା ଅନ୍ୟଏକ ସେମିଫାଇନାଲ ମ୍ୟାଚରେ ଶ୍ରୀଲଙ୍କା ୨୨ରନରେ ପାକିସ୍ତାନକୁ ପରାସ୍ତକରି ଫାଇନାଲରେ ପହଞ୍ଚିଛି। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୪୪.୫ ଓଭରରେ ୧୪୭ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ୟାସିରୁ ରୋଡିଗ୍ରୋ ସର୍ବାଧିକ ୩୨ରନ କରିଥିଲେ । ପାକିସ୍ତାନ ପକ୍ଷରୁ ଜିସାନ ଜମିର ୪ଟି ୱିକେଟ ନେଇଥିଲେ। ଜବାବରେ ପାକିସ୍ତାନ ୪୯.୩ ଓଭରରେ ୧୨୫ ରନ କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ମହମ୍ମଦ ସେହଜାଦ ସର୍ବାଧିକ ୩୦ରନ କରିଥିବା ବେଳେ ଶ୍ରୀଲଙ୍କା ପକ୍ଷରୁ ତ୍ରିଭେନ ମାଥ୍ୟୁ ୪ଟି ୱିକେଟ ନେଇଥିଲେ।

Comments are closed.