୧୯ ବର୍ଷରୁ କମ୍ ଏସିଆ କପ୍‌ କ୍ରିକେଟ୍‌ : ଆଫ୍‌ଗାନିସ୍ତାନକୁ ହରାଇ ସେମିରେ ଭାରତ

ଦୁବାଇ : ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଭାରତ ପ୍ରବେଶ କରିଛି। ସୋମବାର ଖେଳା ଯାଇଥିବା ଗ୍ରୁପ୍‌ ‘ଏ’ରେ ତା’ର ୩ୟ ତଥା ଅନ୍ତିମ ମ୍ୟାଚ୍‌ରେ ଆଫ୍‌ଗାନିସ୍ତାନକୁ ୪ ୱିକେଟରେ ଭାରତ ପରାସ୍ତ କରିଛି। ସୁଲିମାନ୍ ସାଫି ଓ ଇଜାଜ୍ ଅହମ୍ମଦଜାଇଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଆଫ୍‌ଗାନିସ୍ତାନ ୪ ୱିକେଟରେ ୨୫୯ ରନ୍‌ କରିଥିଲା। ପରେ ହର୍‌ନୁର ସିଂହଙ୍କ ଅର୍ଦ୍ଧଶତକ ବଳରେ ୪୮.୨ ଓଭରରେ ୬ ୱିକେଟ ହରାଇ ଭାରତ ଜିତିଥିଲା। ୩ୟ ମ୍ୟାଚ୍‌ରେ ୨ୟ ବିଜୟ ପରେ ୪ ପଏଣ୍ଟ ସହ ପାକିସ୍ତାନ ପଛକୁ ଭାରତ ୨ୟ ସ୍ଥାନରେ ରହି ସେମିଫାଇନାଲରେ ପହଞ୍ଚିଛି। ଗ୍ରୁପ୍‌ ‘ବି’ର ପ୍ରଥମ ସ୍ଥାନରେ ଥିବା ଦଳ ବିପକ୍ଷ‌େ‌ର ଭାରତୀୟ ୧୯ ବର୍ଷରୁ କମ୍ ଦଳ ସେମିଫାଇନାଲ ଖେଳିବ।
୨ୟ ମ୍ୟାଚ୍‌ରେ ପାକିସ୍ତାନଠାରୁ ହାରିଥିବା ଭାରତକୁ ସେମିଫାଇନାଲ ଯିବା ପାଇଁ ଆଫ୍‌ଗାନିସ୍ତାନ ବିପକ୍ଷରେ ନିଶ୍ଚିତ ଜିତିବାର ଥିଲା। ଭାରତ ଟସ୍ ଜିତି ଫିଲ୍‌ଡିଂ ନେଇଥିଲା। ଆଫ୍‌ଗାନିସ୍ତାନ ୧୦୧ ରନ୍‌ରେ ୩ଟି ୱିକେଟ ହରାଇଥିଲା। ସୁଲିମାନ ଆରବଜାଇ ୧୮ ଓ ମହମ୍ମଦ ଇସାକ୍ ୧୯ ରନ୍‌ କରିଥିଲେ। ୪ର୍ଥ ୱିକେଟ ପାଇଁ ଅଧିନାୟକ ସୁଲିମାନ୍ ସାଫି ଓ ଇଜାଜ୍ ଅହମ୍ମଦ ଅହମ୍ମଦଜାଇ ୮୮ ରନ୍‌ ଯୋଡ଼ିଥିଲେ। ସୁଲିମାନ୍ ସାଫି ୮୬ ବଲ୍‌ରୁ ଗୋଟିଏ ଛକା ଓ ୭ଟି ଚୌକା ସହ ୭୩ ରନ୍‌ କରିଥିଲେ। ଇଜାଜ୍ ଅହମ୍ମଦଜାଇ ଆକ୍ରମଣ କରି ୬୮ ବଲ୍‌ରୁ ୭ଟି ଛକା ଓ ଗୋଟିଏ ଚୌକା ସହ ୮୬ ରନ୍‌କରି ଅପରାଜିତ ଥିଲେ। ଖାଇବର ୱାଲି ୨୦ ରନ୍‌କରି ଅପରାଜିତ ଥିଲେ। ଭାରତୀୟ ସ୍ପିନର ଭଲ ବୋଲିଂ କରିଥିଲେ। ୨୬୦ ରନ୍‌ ଲକ୍ଷ୍ୟରେ ଭାରତ ଓପ୍‌ନିଂ ଯୋଡ଼ିରେ ୧୮ ଓଭରରେ ୧୦୪ ରନ୍‌ କରିଥିଲା। ଆଙ୍ଗ୍‌କ୍ରିସ୍ ରଘୁବଂଶୀ ୬ଟି ଚୌକା ସହ ୩୫ ରନ୍‌ କରିଥିଲେ। ଶେକ୍ ରସିଦ୍ ୬ ରନ୍‌ କରିଥିଲେ। ଓପ୍‌ନର ହର୍‌ନୁର ସିଂହ ୭୪ ବଲ୍‌ରୁ ୮ଟି ଚୌକା ସହ ୬୫ ରନ୍‌ କରିଥିଲେ। ଅଧିନାୟକ ଯଶ ଧୁଲ୍‌ ୨୬ ଓ ନିଶାନ୍ତ ସିନ୍ଧୁ ୧୯ ରନ୍‌ କରିଥିଲେ। ୧୯୭ ରନ୍‌ରେ ଭାରତ ୬ଟି ୱିକେଟ ହରାଇ କଷ୍ଟକର ସ୍ଥିତିରେ ଥିବା ବେଳେ ଅବିଭାଜିତ ୭ମ ୱିକେଟ ପାଇଁ ରାଜ୍‌ ବାୱା ଓ କୌଶଳ ତାମ୍ବେ ୫୬ ବଲ୍‌ରୁ ୬୫ ରନ୍‌ ଯୋଡ଼ି ଭାରତକୁ ଜିତାଇଥିଲେ। ବାୱା ୫୫ ବଲ୍‌ରୁ ୨ଟି ଚୌକା ସହ ୪୩ ଏବଂ ତାମ୍ବେ ୨୯ ବଲ୍‌ରୁ ୪ଟି ଚୌକା ସହ ୩୫ ରନ୍‌କରି ଅପରାଜିତ ଥିଲେ। ବାମହାତି ସ୍ପିନର ନୁର୍‌ ଅହମ୍ମଦ ୪ଟି ୱିକେଟ ନେଇଥିଲେ।

Comments are closed.