କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଖେଳାଯିବ ୧୭ ବର୍ଷରୁ କମ୍‌ ‘ଫିଫା ମହିଳା ବିଶ୍ବକପ୍‌’ର ୮ ମ୍ୟାଚ୍

ଭୁବନେଶ୍ବର: ୧୭ବର୍ଷରୁ କମ୍‌(ୟୁ-୧୭) ଫିଫା ମହିଳା ବିଶ୍ବ କପ୍‌ ୨୦୨୧ ଫେବୃଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଖେଳାଯିବ। ସେଥିମଧ୍ୟରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ୮ଟି ମ୍ୟାଚ୍‌ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।
ଫିଫା ‘ୟୁ-୧୭’ ୱମେନ୍ସ ୱାର୍ଲ୍ଡ କପ୍‌ ଇଣ୍ଡିଆ ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ମଧ୍ୟରେ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତରେ ପୁନଃନିର୍ଦ୍ଧାରିତ ଖେଳସୂଚୀ ଲୋକାଲ୍‌ ଅର୍ଗାନାଇଜିଂ କମିଟି(ଏଲ୍‌ଓସି) ଏବଂ ଏଆଇଏଫ୍‌ଏଫ୍‌ ଘୋଷଣା କରିଛନ୍ତି। ଏହି ମ୍ୟାଚ୍ ୨୦୨୦ ନଭେମ୍ବରରେ ଖେଳାଯିବାକୁ ଥିବାବେଳେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କାରେ ୨୦୨୧ ଫେବୃଆରୀକୁ ଘୁଞ୍ଚାଇ ଦିଆଯାଇଛି। ଭାରତ ପକ୍ଷରୁ ପ୍ରଥମଥର ପାଇଁ ମହିଳା ଫୁଟବଲ୍‌ ଖେଳାଳୀଙ୍କ ନିମେନ୍ତ ଏଭଳି ଏକ ବଡ଼ ଧରଣର ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇଛି ବୋଲି କୁହାଯାଇଛି।
ଫିଫା ‘ୟୁ-୧୭’ ୱମେନ୍ସ ୱାର୍ଲ୍ଡ କପ୍‌ ଇଣ୍ଡିଆ ୨୦୨୧ ଗୌହାଟି ଇନ୍ଦିରା ଗାନ୍ଧି ଆଥ୍‌ଲେଟିକ୍‌ ଷ୍ଟାଡ଼ିୟମ୍ ଏବଂ ଭୁବନେଶ୍ବର କଳିଙ୍ଗ ଷ୍ଟାଡ଼ିୟମ୍‌ରେ ଆରମ୍ଭ ହେବ। ଏଠାରେ ଗ୍ରୁପ୍‌ ଏ ଏବଂ ଗ୍ରୁପ୍‌ ବି ମଧ୍ୟରେ ଖେଳାଯିବ। ୧୭ବର୍ଷରୁ କମ୍‌ ମହିଳା ବର୍ଗର ଫିଫା ବିଶ୍ବକପ୍‌ର ୮ଟି ମ୍ୟାଚ୍‌ ଭୁବନେଶ୍ବରରେ ଖେଳାଯିବ। ୫ଟି ଲିଗ୍‌ ମ୍ୟାଚ୍, ୨ଟି କ୍ବାଟର ଫାଇନାଲ୍‌ ଏବଂ ଗୋଟିଏ ସେମି ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ। ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୩ ମଧ୍ୟରେ ଏହି ମ୍ୟାଚ୍‌ ଖେଳାଯିବ ବୋଲି ପୁନଃନିର୍ଦ୍ଧାରିତ ଖେଳସୂଚୀ ଅନୁସାରରେ ଫିଫା ପକ୍ଷରୁ ସୂଚନା ଦିଆଯାଇଛି।
ଗୌହାଟିରେ ଗ୍ରୁପ୍‌ ଏ ଏବଂ ଭୁବନେଶ୍ବରରେ ଗ୍ରୁପ୍‌ ବି ମ୍ୟାଚ୍‌ ଏକା ସମୟରେ ଖେଳାଯିବ। ଗ୍ରୁପ୍‌ ସି ଏବଂ ଗ୍ରୁପ୍‌ ଡି ମ୍ୟାଚ୍‌ କଲକତା ସଲ୍ଟ ଲେକ୍‌ ଷ୍ଟାଡ଼ିୟମ ଏବଂ ଅହମ୍ମଦାବାଦ ଟ୍ରାନ୍ସ ଷ୍ଟାଡ଼ିଆ ଆରେନ୍‌ରେ ଖେଳାଯିବ। ଲିଗ୍‌ ମ୍ୟାଚ୍‌ ସରିବା ପରେ ଫେବୃଆରୀ ୨୭ ଓ ୨୮ରେ କ୍ବାଟରଫାଇନାଲ୍‌ ମ୍ୟାଚ୍‌ ଅହମ୍ମଦାବାଦ, ମୁମ୍ବଇ, ଭୁବନେଶ୍ବର ଓ କଲକତାରେ ଅନୁଷ୍ଠିତ ହେବ। ସେହିପରି ମାର୍ଚ୍ଚ ୩ରେ ନଭି ମୁମ୍ବଇ ଓ ଭୁବନେଶ୍ବରରେ ଦୁଇଟି ସେମି ଫାଇନାଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ମାର୍ଚ୍ଚ ୭​‌େ​‌ରେ ନଭି ମୁମ୍ବଇରେ ଫାଇନାଲ୍‌ ମ୍ୟାଚ୍ ଏବଂ ତୃତୀୟ ସ୍ଥାନ ପାଇଁ ମ୍ୟାଚ୍‌ ଖେଳାଯିବ। ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳଙ୍କୁ ଚାମ୍ପିଆନ୍‌ ଟ୍ରଫି ଘୋଷଣା କରାଯିବାକୁ ଥିବାବେଳେ ଦ୍ବିତୀୟ ସ୍ଥାନ ଦଳକୁ ରନର୍ସ ଅପ୍‌ ସିଲ୍ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।

Comments are closed.