ପୁନର୍ବାର ଘୁଞ୍ଚିପାରେ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ

ନୂଆଦିଲ୍ଲୀ : କରୋନା ମହାମାରୀ ସଙ୍କଟ ଗୋଟିଏ ପରେ ଗୋଟିଏ କ୍ରୀଡ଼ା ପ୍ରତିଯୋଗିତାକୁ ପ୍ରଭାବିତ କରିବାରେ ଲାଗିଛି। ଏଥିରୁ ବାଦ୍‌ ପଡ଼ିନାହିଁ ଫୁଟବଲ। ଭାରତରେ ଆସନ୍ତା ୨୦୨୧ ଫେବୃଆରୀ -ମାର୍ଚ୍ଚରେ ଖେଳାଯିବାକୁ ଥିବା ୧୭ ବର୍ଷରୁ କମ୍‌ ଫିଫା ମହିଳା ବିଶ୍ବକପ ଫୁଟବଲ ଟୁର୍ଣ୍ଣାମେଣ୍ଟ ପୁନର୍ବାର ଘୁଞ୍ଚିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ପ୍ରତିଯୋଗିତା ଆଉ ମାତ୍ର ୪ ମାସ ରହିଥିବାବେଳେ ଏପର୍ଯ୍ୟନ୍ତ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଶେଷ ହୋଇପାରିନାହିଁ। ଫଳରେ ଆୟୋଜକ ସର୍ବଭାରତୀୟ ଫୁଟବଲ ମହାସଂଘ ଓ ଫିଫା ପକ୍ଷରୁ ପ୍ରତିଯୋଗିତା ନିର୍ଦ୍ଧାରିତ ସମୟରେ ଆୟୋଜନ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି।
ଭାରତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ବକପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଅଧିକାର ହାସଲ କରିଛି। ଉକ୍ତ ପ୍ରତିଯୋଗିତା ପ୍ରଥମେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ଖେଳାଯିବା ନେଇ କାର୍ଯ୍ୟସୂଚୀ ଘୋଷିତ ହୋଇଥିଲା। କରୋନା ମହାମାରୀ ପାଇଁ ଉକ୍ତ ପ୍ରତିଯୋଗିତାକୁ ୨୦୨୧ ଫେବୃଆରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି। ଏଥିରେ ଆୟୋଜକ ଭାରତ ସମେତ ମୋଟ ୧୬ଟି ଦେଶ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ଆୟୋଜକ ଭାବେ ଏସିଆ ମହାଦେଶରୁ ଭାରତ, ଜାପାନ ଓ ଉତ୍ତରକୋରିଆ , ୟୁରୋପରୁ ଜର୍ମାନୀ, ଇଂଲଣ୍ଡ, ସ୍ପେନ ଓ ଓସେନିଆରୁ ନ୍ୟୁଜିଲାଣ୍ଡ ଯୋଗ୍ୟତା ହାସଲ କରିଛନ୍ତି। ଉତ୍ତର କେନ୍ଦ୍ରୀୟ ଆମେରିକା ଏବଂ କାରିବିୟାନ, ଓସେନିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ଦେଶର ଦଳ ଗୁଡ଼ିକ ଲାଗି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ହୋଇପାରୁନାହିଁ। ଫଳରେ ନିର୍ଦ୍ଧାରିତ ସମୟରେ ଖେଳାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କରୋନା ମହାମାରୀ ପାଇଁ ୟୁରୋପ ଓ ଓସେନିଆ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ବାତିଲ କରି ଦେଇଛି ।ଉତ୍ତର ଓ କେନ୍ଦ୍ରୀୟ ଆମେରିକା ଏବଂ ଦକ୍ଷିଣ ଆମେରିକା ପ୍ରମୁଖ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚକୁ ସ୍ଥଗିତ ରଖିଛନ୍ତି। ଏଆଇଏଫ୍‌ଏଫ ପକ୍ଷରୁ କୁହାଯାଇଛି ଯେ, ପ୍ରତିଯୋଗିତା ଲାଗି ଭାରତ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି। ମ୍ୟାଚ ଖେଳାଯିବାକୁ ଥିବା ୫ଟି ଭେନ୍ୟୁ ଭୁବନେଶ୍ବର, କୋଲକାତା, ଗୌହାଟି , ନାଭି ମୁମ୍ବଇ ଓ ଅହମ୍ମଦାବାଦ୍‌ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଏଆଇଏଫଏଫ ପକ୍ଷରୁ କୁହାଯାଇଛି। ଫିଫା ୧୭ ବର୍ଷରୁ କମ୍‌ ମହିଳା ବିଶ୍ବକପ ନିର୍ଦ୍ଧାରିତ ସମୟରେ ହେବ କି ପୁନର୍ବାର ଘୁଞ୍ଚିବ ସେ ନେଇ ନିଷ୍ପତ୍ତି ଖୁବଶୀଘ୍ର ନିଆଯିବ ବୋଲି ଫିଫା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ ପ୍ରତିଯୋଗିତାର ଏକ ଭେନ୍ୟୁ ଭାବେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମ ସ୍ଥାନ ପାଇଛି। ଏଠାରେ ଗୋଟିଏ ସେମିଫାଇନାଲ ଓ ଗୋଟିଏ କ୍ବାର୍ଟର ଫାଇନାଲ ସହ ମୋଟ ୮ଟି ମ୍ୟାଚ ଖେଳାଯିବ।

Comments are closed.