ଜାପାନରେ ପ୍ରଳୟଙ୍କରୀ ‘ହାଗିବିସ’ରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି

ଟୋକିଓ: ଜାପାନର ରାଜଧାନୀ ଟୋକିଓ ସମେତ ଦେଶର ଅନ୍ୟ ସ୍ଥାନରେ ଭୟଙ୍କର ସାମୁଦ୍ରିକ ଝଡ ‘ହାଗିବିସ’ରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣ ନିଖୋଜ ଥିବା ଜଣାପଡିଛି। ୧୦୦ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ୩୧ ହଜାର ସୈନିକ ଏବଂ ଏକ ଲକ୍ଷ ଉଦ୍ଧାରକାରୀ ନିୟୋଜିତ ହୋଇଛନ୍ତି। ସେହିପରି ଜଳବନ୍ଦୀରେ ରହିଥିବା ଲୋକଙ୍କୁ ହେଲିକପ୍ଟର ସାହାଯ୍ୟରେ ସୁରକ୍ଷିତ ସ୍ଥାନକୁ ଅଣାଯାଉଛି। ଏପର୍ଯ୍ୟନ୍ତ ୭୩ ଲକ୍ଷରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ପହଞ୍ଚାଯାଇଛି। ଅନ୍ୟ ପକ୍ଷରେ ପ୍ରଭାବିତ ଅଞ୍ଚଳରେ ପ୍ରାୟ ୩,୭୬,୦୦୦ ଘରେ ବିଦ୍ୟୁତ୍ ସଂଯୋଗ ଚ୍ଛିନ୍ନ କରାଯାଇଛି। ପ୍ରବଳ ବର୍ଷା ଯୋଗୁ ୮୦୦ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି। ସେହିପରି ଟ୍ରେନ୍‌ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ସୂଚନାଯୋଗ୍ୟ, ଜାପାନର ପ୍ରମୁଖ ଦ୍ବୀପ ହୋଂଶୁ ଆଇଲାଣ୍ଡରେ ଗତ ଶନିବାର ରାତି ୭ଟାରେ ସାମୁଦ୍ରିକ ଝଡ଼ ‘ହାଗିବିସ’ ସ୍ଥଳଭାଗ ଛୁଇଁଥିଲା। ସ୍ଥଳଭାଗ ଛୁଇଁବା ପରେ ଜାପାନର ପ୍ରମୁଖ ସହର ଟୋକିଓ, ଇଜୁ ଏବଂ ଇଲୁଓକାକୁ ଧ୍ଵସ୍ତବିଧ୍ଵସ୍ତ କରିଦେଇଛି। ବିଗତ ୬ ଦଶନ୍ଧି ମଧ୍ୟରେ ଜାପାନରେ ଏହା ସବୁଠାରୁ ଭୟଙ୍କର ବାତ୍ୟା ବୋଲି କୁହାଯାଉଛି।

Comments are closed.