ଏବେ ବି ରହିଛି ଟାଇପ ରାଇଟର ମରାମତି ଦୋକାନ ; ଅପେକ୍ଷା କରୁଛି ଗ୍ରାହକଙ୍କୁ

ପାନାଜୀ: ସମୟ ଥିଲା ଟାଇପ ରାଇଟର ଚାହିଦା କାହିଁ କେତେ ଅଧିକ ଥିଲା। ଅଦାଲତ ବାହାରେ ହେଉ କି କଚେରୀ ବାହାରେ, କିଛି ଦଲିଲ ଦସ୍ତାବିଜ ଟାଇପ କରିବା ପାଇଁ ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଥିଲା। ଟାଇପ ରାଇଟର ଚଳାଉଥିବା ଲୋକଙ୍କ ହାତକୁ ଫୁରସତ ନଥିଲା। ସେଥିରେ ଚଳୁଥିଲା ସେମାନଙ୍କ ପରିବାର। କଂପ୍ୟୁଟର ପ୍ରଚଳନ ପରେ ଟାଇପ ରାଇଟର ଯୁଗ ସରିବା ଉପରେ। କିଛି ହାତଗଣତି ସ୍ଥାନରେ ଅଦାଲତ ବାହାରେ ଏବେ କିଛି ଟାଇପ ରାଇଟର ଟକ୍‍ ଟାକ୍‍ ଶବ୍ଦ କରି ଚାଲିଥିବା ଦେଖିବାକୁ ମିଳୁଛି। ଟାଇପ ରାଇଟର ଚାହିଦା ଥିବା ସମୟରେ ଟାଇପ ରାଇଟର ମରାମତି କରୁଥିବା ଲୋକଙ୍କର ଚାହିଦା ମଧ୍ୟ କିଛି କମ୍‍ ନଥିଲା। ଏବେ ସେମାନେ ନିଜ ନିଜର ବୃତ୍ତି ବଦଳାଇ ସାରିଲେଣି। କିନ୍ତୁ ଗୋଆରେ ଏଭଳି ଏକ ଦୋକାନ ଅଛି, ଯେଉଁଠାରେ ଏବେ ମଧ୍ୟ କିଛି ପୁରାତନ ଟାଇପ ରାଇଟର, ତାହାର କିଛି ଯନ୍ତ୍ରାଂଶ ପଡିରହିଛି। ଗ୍ରାହକ ଆସନ୍ତୁ କି ନଆସନ୍ତୁ, ଦୋକାନ ସବୁଦିନ ଖୋଲୁଛି।
ଗୋଆ ରାଜଧାନୀ ପାନାଜୀର ମୁଖ୍ୟ ଡାକଘର ଠାରୁ ଅନତି ଦୂରରେ ରହିଛି ଏହି ଟାଇପ ରାଇଟର ମରାମତି ଦୋକାନ। ଏବେ ତାହା ସାମଗ୍ରୀ ପ୍ୟାଜେଜିଂ ସେବା ଯୋଗାଉଛି। କେହି କିଛି ସାମଗ୍ରୀ ନେଇ ଦେଲେ ତାହାକୁ ସୁନ୍ଦର ଭାବରେ ପ୍ୟାକିଂ କରିଦିଆଯାଉଛି, ଯଦ୍ଦ୍ୱାରା ବ୍ୟକ୍ତିଜଣକ ଉକ୍ତ ଜିନିଷ ଅନ୍ୟ ସ୍ଥାନକୁ ନିରାପଦରେ ପଠାଇ ପାରିବେ। କିନ୍ତୁ ଏହା ଉକ୍ତ ଦୋକାନର ମୁଖ୍ୟ ବ୍ୟବସାୟ ନଥିଲା। ଏହା ଉକ୍ତ ଦୋକାନର ପାଶ୍ୱର୍ ବ୍ୟବସାୟ ଭାବରେ ଆରମ୍ଭ ହୋଇଥିଲା, ଯାହା ଦୋକାନ ମାଲିକଙ୍କ ପାଇଁ ଏବେ ମୁଖ୍ୟ ଜୀବିକା ଉପାର୍ଜନ ପନ୍ଥା ପାଲଟିଛି। ଉକ୍ତ ଦୋକାନ ମାଲିକ ହେଉଛନ୍ତି ଲୁଇ ଫ୍ରାନସିସକୋ ମିଗୁଏଲ ଡି ଆବ୍ରିୟୁ। ଏହା ଗୋଆର ବସ୍ତୁତଃ ଶେଷ ଟାଇପ ରାଇଟର ମରାମତି ଦୋକାନ। ଆଉ ଯେତେସବୁ ଦୋକାନ ଥିଲା, ତାହା ବନ୍ଦ ହୋଇଗଲାଣି। ଦୋକାନ ଭିତରେ ବିଭିନ୍ନ କମ୍ପାନୀର ଟାଇପ ରାଇଟର ରଖାଯାଇଛି, ସେତେ ଯେମିତି ତାହା ଟାଇପ ରାଇଟରଗୁଡିକର ଏକ ସଂଗ୍ରହାଳୟ। ସେଠାରେ ହର୍ମିସ ଠାରୁ ଆରମ୍ଭ କରି ରେମିଙ୍ଗଟନ ଏବଂ ଭାରତୀୟ କମ୍ପାନୀ ଗୋଦରେଜ ପ୍ରାଇମାର ଟାଇପ ରାଇଟର ରହିଛି। ଟାଇପ ରାଇଟର ତିଆରି କରିବାରେ ଗୋଦରେଜ ବିଶ୍ୱର ଶେଷ କମ୍ପାନୀ ଥିଲା।
୭୮ ବର୍ଷ ବୟସ୍କ ଆବ୍ରିୟୁ ଦୋକାନ ସବୁଦିନ ଠିକ୍‍ ସମୟରେ ଖୋଲନ୍ତି। ତାଙ୍କ ବାପା ଡୋମିଙ୍ଗୋସ ଆବ୍ରିୟୁ ଆମେରିକାର ଟାଇପ ରାଇଟର ନିର୍ମାତା ରେମିଙ୍ଗଟନ ର୍ୟାଣ୍ଡ ଦ୍ୱାରା ମୁମ୍ବଇରେ ନିଯୁକ୍ତ ହୋଇଥିଲେ। ପରେ ସେ ଗୋଆ ଚାଲିଆସି ନିଜର ସର୍ଭିସିଂ ଏବଂ ମରାମତି ଦୋକାନ ୧୯୩୮ରେ ଖୋଲିଲେ। ଆବ୍ରିୟୁଙ୍କ ବଡ ଭାଇ ଇଂଜିନିୟରିଂ ପଢିବାକୁ ଚାହିଁଲେ ଏବଂ ସେତେବେଳେ ସେଠାରେ ସେଭଳି ସ୍କୁଲ, କଲେଜ ନଥିବାରୁ ସେ ପର୍ତ୍ତୁଗାଲ ଚାଲିଗଲେ। ଆବ୍ରିୟୁ କିନ୍ତୁ ଗୋଆରେ ରହିଗଲେ ପାଠ ପଢିବା ସହିତ ଦୋକାନରେ ବାପାଙ୍କୁ ସହାୟତା କରିବା ପାଇଁ।
ତାଙ୍କ ବାପା ଦୋକାନ ଖୋଲିବା ସମୟରେ ଗୋଆ ପର୍ତ୍ତୁଗିଜମାନଙ୍କ ଶାସନାଧୀନ ରହିଥିଲା ଏବଂ ସେମାନେ ୧୯୬୧ ପର୍ଯ୍ୟନ୍ତ ଏଠାରେ ଶାସନ କରୁଥିଲେ। ତାଙ୍କ ପରିବାର ପାନାଜୀର ସେହି ସ୍ଥାନକୁ ୧୯୫୩ରେ ଚାଲିଆସିଲେ। ସେହି ସମୟରେ ସେଠାରେ କିଛି ନଥିଲା। ମାଟି ରାସ୍ତା, ରାସ୍ତାରେ ଘୋଡା ଓ ଘୋଡା ଟାଣୁଥିବା ଗାଡି ଚାଲୁଥିଲା। ଗୋଟିଏ ମାତ୍ର ରେଷ୍ଟୁରାଣ୍ଟ ଥିଲା, ଯାହା ଭାତ, ପନିପରିବା ତରକାରୀ ବିକ୍ରି କରୁଥିଲା। ସେତେବେଳେ ସେଠାରେ ମାଛ ମିଳୁନଥିଲା। ଏବେ ସେଠାରେ ଆକାଶ ପାତାଳର ପରିବର୍ତ୍ତନ ଘଟିଛି। ଆବ୍ରିୟୁ କହୁଥିଲେ, ୧୯୬୧ ଡିସେମ୍ବରରେ ଗୋଆରୁ ଶେଷ ଜାହାଜ ପର୍ତ୍ତୁଗାଲ ଅଭିମୁଖେ ଯାତ୍ରା କରିଥିଲା। କାରଣ ଭାରତୀୟ ସେନା ଗୋଆକୁ ଦଖଲ କରି ତାହାକୁ ଭାରତୀୟ ସାଧାରଣତନ୍ତ୍ରରେ ମିଶାଇ ଦେଇଥିଲେ। ଯେଉଁମାନେ ପର୍ତ୍ତୁଗାଲ ଯିବାକୁ ଚାହାନ୍ତି ସେମାନେ ଉକ୍ତ ଜାହାଜରେ ଯିବାକୁ କୁହାଗଲା। କିନ୍ତୁ ଆବ୍ରିୟୁ ତାଙ୍କ ଦୋକାନ ଓ ବାପାଙ୍କୁ ଛାଡି ଯିବାକୁ ଚାହିଲେ ନାହିଁ।
ତାଙ୍କ ଦୋକାନ ନାମ ରଖାଯାଇଛି ଡୋମିଙ୍ଗୋସ ଆବ୍ରିୟୁ, ଏହା ତାଙ୍କ ବାପାଙ୍କ ନାମ ଅନୁଯାୟୀ ନାମକରଣ କରାଯାଇଛି। ଏକଦା ସେମାନଙ୍କୁ ଫୁରସତ ମିଳୁନଥିଲା। ଆବ୍ରିୟୁଙ୍କ କହିବା ଅନୁଯାୟୀ ଏବେ ତାହା ଆଉ ନାହିଁ। ପାର୍ସଲ ସେବା ସେମାନଙ୍କର ମୁଖ୍ୟ ଆୟ ପନ୍ଥା ହୋଇଛି। କିନ୍ତୁ ଅନେକ ସମୟରେ ତାହା ମଧ୍ୟ ମିଳୁନାହିଁ।

Comments are closed.