ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ଆହତ

ଆଠଗଡ : ଖୁଣ୍ଟୁଣୀ-ନରସିଂହପୁର ୬୫ନମ୍ବର ରାଜ୍ୟ ରାଜପଥର ତୋଟାପଡା ନିକଟରେ ଏକ କୋଇଲା ବୋଝେଇ ଟ୍ରକ ସହ ଅନ୍ୟ ଏକ ଧାନ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଧାନ ବୋଝେଇ ଟ୍ରକର ହେଲପର ଗୁରୁତର ଆହତ ହୋଇଥିବା ଜଣାପଡିଛି। ବିବରଣୀରୁ ପ୍ରକାଶ ଶନିବାର ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନୂଆପାଟଣା ଧାନମଣ୍ଡିରୁ ଧାନ ବୋଝେଇ କରି ରାଧାଦାମୋଦରପୁରସ୍ଥିତ ଏକ ରାଇସ ମିଲକୁ ଯାଉଥିବାବେଳେ ତୋଟାପଡା ଗ୍ରାମ ନିକଟସ୍ଥ ଝାଟି ଜଙ୍ଗଲରୁ ଚୋରା କୋଇଲା ବୋଝେଇ କରି ଆସୁଥିବା ଏକ ଟ୍ରକ ହଠାତ୍ ରାଜପଥ ଉପରକୁ ଦ୍ରୁତଗତିରେ ଚାଲିଆସିବାରୁ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଧାନବୋଝେଇ ଟ୍ରକର ସମ୍ମୁଖ ଭାଗ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ହେଲପର ବଡମ୍ବା ଭଟ୍ଟାରିକା ଅଞ୍ଚଳର ମନୋଲି ସେଠୀ ଗାଡିମଧ୍ୟରେ ଚାପି ହୋଇ ଫସି ରହିଥିଲେ। ଖବର ପାଇ ଆଠଗଡରୁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ର ସମ୍ମୁଖ ଭାଗକୁ କାଟି ତା ମଧ୍ୟରୁ ହେଲପରଙ୍କ ଉଦ୍ଧାର କରି ଆଠଗଡ ଡାକ୍ତରଖାନାକୁ ଆଣିଥିଲେ। ଟ୍ରକ୍ ଦୁଇଟି ଧକ୍କା ହେବା ଫଳର ରାସ୍ତା ଅବରୋଧ ହୋଇଯାଇଥିଲା। ଆଠଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍ ଦୁଇଟିକୁ ହଟାଇବା ପରେ ଯାତାୟତ ସ୍ୱଭାବିକ ହୋଇଥିଲା।

Comments are closed.