ଉତ୍ତରପ୍ରଦେଶରୁ ୨ ଜୈଶ ଆତଙ୍କବାଦୀ ଗିରଫ; ଯୁବକଙ୍କୁ ସଂଗଠନରେ ଭର୍ତ୍ତି କରୁଥିଲେ

0

ଲକ୍ଷ୍ନୌ: ଉତ୍ତରପ୍ରଦେଶରୁ ଜୈଶ-ଏ-ମହମ୍ମଦ(ଜେଇଏମ)ର ୨ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ରାଜ୍ୟ ଆତଙ୍କବାଦୀ ନିରୋଧୀ ସ୍କ୍ବାଡ(ଏଟିଏସ) ତାଙ୍କୁ ଗିରଫ କରିଛି। ଏହି ଆତଙ୍କବାଦୀଙ୍କ ନାମ ଶାହନୱାଜ ଅହମ୍ମଦ ତେଲି ଏବଂ ଆଜିବ। ଶାହନୱାଜଙ୍କ ଘର ଜାମ୍ମୁ-କାଶ୍ମୀରର କୁଲଗାମରେ ହୋଇଥିବାବେଳେ ସେ ଉତ୍ତରପ୍ରଦେଶର ଦେଓବନ୍ଧରେ ରହି ପାଠ ପଢ଼ୁଥିଲେ।। ସେହିପରି ଆଜିବଙ୍କ ଘର ପୁଲୱାମାରେ। ଉଭୟେ ଜୈଶ ନିର୍ଦେଶରେ ଲୋକଙ୍କୁ ଆତଙ୍କବାଦୀ ସଂଗଠନରେ ଭର୍ତ୍ତି କରୁଥିଲେ ବୋଲି କୁହାଯାଇଛି। ଉଭୟଙ୍କ ସହିତ ଅନ୍ୟ ୩ ସନ୍ଦିଗ୍ଧ ଯୁବକଙ୍କୁ ମଧ୍ୟ ଗିରଫ କରାଯାଇଛି, ଯେଉଁମାନଙ୍କ ମଧ୍ୟରେ ଓଡ଼ିଆ ଯୁବକ ଥିବା ସୂଚନା ମିଳିଛି।

ସୂଚନା ମୁତାବକ, ପୁଲୱାମା ଆକ୍ରମଣ ପରେ ପଶ୍ଚିମ ଉତ୍ତରପ୍ରଦେଶରେ ଏଟିଏସ ପକ୍ଷରୁ ବଡ଼ ଧରଣର ଅପରେଶନ କରାଯାଉଛି। ଏହି ଅପରେଶନ ସମୟରେ ଶାହନୱାଜ ଏବଂ ଆଜିବଙ୍କୁ ଗିରଫ କରାଯାଇଥିବା ଡିଜିପି ଓ.ପି. ସିଂହ ଲକ୍ଷ୍ମୌରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଶାହନୱାଜ ଏବଂ ଆଜିବଙ୍କ ବ୍ୟତୀତ ଏଟିଏସ ଅନ୍ୟ ୩ ଜଣ ଯୁବକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ସମସ୍ତଙ୍କୁ ପଚରାଉଚରା କରାଯାଉଛି। ଗୁରୁବାର ରାତି ପ୍ରାୟ ୨ଟା ୩୦ରେ ଦେଓବନ୍ଧର ଏକ ଘରେ ଚଢ଼ାଉ କରି ଏମାନଙ୍କୁ ଗିରଫ କରାଯାଇଛି। ସମସ୍ତେ ଓଡ଼ିଶା ଏବଂ ଜାମ୍ମୁ-କାଶ୍ମୀରର ବୋଲି ଜଣାପଡ଼ିଛି। ଏଟିଏସ ଟିମ ସମସ୍ତଙ୍କୁ ଲକ୍ଷ୍ମୌ ନେଇଯାଇଛି।

Leave A Reply