ସରକାରୀ ଅନୁଦାନ ହଡପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଜେଲ

ଫୁଲବାଣୀ : ସରକାରୀ ଅର୍ଥ ହଡପ ଅଭିଯୋଗରେ ଆଜି ଫୁଲାବଣୀ ସ୍ୱତନ୍ତ୍ର ଭିଜିଲାନସ କୋର୍ଟ ଦୁଇ ଜଣ ଶିକ୍ଷକଙ୍କୁ ଚାରି ବର୍ଷ ଲେଖାଏଁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।

ସୂଚନା ମୁତାବକ ୨୦୧୪ ମସିହାରେ କନ୍ଧମାଳ ଜିଲା ବାଲିଗୁଡା ବ୍ଲକର ଗୁମାକିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ସୀମାଂଚଳ ନାୟକଙ୍କ ବିରୋଧରେ ବିଦ୍ୟାଳୟ ଗୃହ ନିର୍ମାଣ ପାଇଁ ଆସିଥିବା ୬ ଲକ୍ଷ ଟଙ୍କାର ସରାକାରୀ ଅନୁଦାନ ଖର୍ଚ୍ଚ ନ କରି ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା।  ଅଭିଯୋଗ ପ୍ରକାରେ  ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିଲା। ତଦନ୍ତରେ ସୀମାଂଚଲ ଅର୍ଥ ହଡପ କରିଥିବା ସ୍ପଷ୍ଟ ହେବାରେ ତାଙ୍କ ବିରୋଧରେ ଫୁଲବାଣୀ ଭିଜିଲାନସ୍  ଅଦାଲତରେ ମାମଲା ଚାଲିଥିଲା। ଆଜି ଏହି ମାମଲାର ଶୁଣାଣି କରି ଭିଜିଲାନ୍ସ ବିଚାରପତି ସତ୍ୟପୀର ମିଶ୍ର ଅଭିଯୁକ୍ତ ସୀମାଂଚଳଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ତାଙ୍କୁ ୬ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ଅଦାଲତ। ଜରିମାନା ଅନାଦେୟ ତାଙ୍କୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତଙ୍କ ରାୟରେ ଉଲ୍ଲେଖ ରହିଛି।

ସେହିଭଳି ଅନ୍ୟ ଏକ ମାମଲାରେ ଆଉ ଜଣେ ଶିକ୍ଷକ ଉମେଶ ଚନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ଅଦାଲତ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣା ପ୍ରକାରେ, ଶ୍ରୀ ପ୍ରଧାନ ଜି ଉଦୟଗିରି ବ୍ଲକ ଦଡପଡା ସେବାଶ୍ରମରେ ଶିକ୍ଷକ ଥିବା ବେଲେ ସ୍କୁଲ ଗୃହ ନିର୍ମାଣ ପାଇଁ ଆସିଥିବା ଏକ ଲକ୍ଷ ୫୫ ହଜାର ଟଙ୍କାର ସରକାରି ଅର୍ଥକୁ ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଥିଲା। ଆଜି ଏହି ଅଭିଯୋଗର ଶୁଣାଣୀ କରି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଅଭିଯୁକ୍ତ ଉମେଶଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି। ଏଥିସହ ତାଙ୍କୁ ଏକ ଲକ୍ଷ ୫୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦେୟ ତାଙ୍କୁ ଆଉ ଏକ ବର୍ଷ ଜେଲ ଭୋଗିବାକୁ ପଡିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ଉଭୟ ମାମଲାକୁ ସରକାରି ଅଧିବକ୍ତା ପ୍ରଦୀପ କୁମାର ଦୋରା ପରିଚାଳନା କରୁଥିଲେ।

Comments are closed.