ହାଜତ ମୃତ୍ୟୁ: ଦୁଇ ପୁଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ

0

ତିରୁଅନନ୍ତପୁରମ୍‍ : ଥାନା ହାଜତରେ ସନ୍ଦିଗ୍ଧ ଅଭିଯୁକ୍ତର ମୃତ୍ୟୁ ଘଟଣାରେ ଦୋଷୀ ସାବ୍ୟସ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଅଦାଲତ ଦୃଷ୍ଟାନ୍ତମୂଳକ ଦଣ୍ଡାଦେଶ ଘୋଷଣା କରିଛନ୍ତି। ୨୦୦୫ ସେପ୍ଟେମ୍ବର ୨୭ରେ ତିରୁଅନନ୍ତପୁରମର ଫର୍ଟ ଥାନାରେ ଉଦୟକୁମାର ନାମକ ସନ୍ଦିଗ୍ଧ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୁଇଜଣ ସିଭିଲ ପୁଲିସ କର୍ମଚାରୀ କେ ଜିଥାକୁମାର ଓ ଏସଭି ଶ୍ରୀକୁମାରଙ୍କୁ ସିବିଆଇ ସ୍ୱତନ୍ତ୍ର ଅଦାଲତ ବୁଧବାର ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଏହା ସହିତ ପୀଡିତ ଉଦୟକୁମାରଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ଉଭୟଙ୍କୁ ନିର୍ଦେଶ ହୋଇଛି। ମାମଲାରେ ଅନ୍ୟତମ ପୁଲିସ କର୍ମଚାରୀଙ୍କର ଶୁଣାଣି ସମୟରେ ମୃତ୍ୟୁ ହୋଇସାରିଛି। ଅଦାଲତ ଏହି ଘଟଣାରେ ତିନିଜଣ ବରିଷ୍ଠ ପୁଲିସ ଅଧିକାରୀ ଅତିରିକ୍ତ କମିଶନର ଟି କେ ହରିଦାସ, ତତ୍କାଳୀନ ସର୍କଲ ଇନ୍ସପେକ୍ଟର ଇକେ ସାବୁ ଓ ସବ୍‍ ଇନ୍ସପେକ୍ଟର ଅଜିଥ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ହରିଦାସଙ୍କୁ ୩ବର୍ଷ ଜେଲ୍‍ ଦଣ୍ଡାଦେଶ ଦିଆଯାଇଥିବାବେଳେ ସାବୁ ଓ ଅଜିଥଙ୍କୁ ୬ବର୍ଷ ଲେଖାଏଁ ଜେଲ୍‍ ଦଣ୍ଡାଦେଶ ହୋଇଛି। ତିନି ପୁଲିସ ଅଧିକାରୀ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବେ।
ଏକ ଚୋରି ଅଭିଯୋଗରେ ଉଦୟକୁମାର (୨୭) ଓ ତାଙ୍କର ଜଣେ ସାଥୀ ସୁରେଶ କୁମାରଙ୍କୁ ପୁଲିସ ୨୦୦୫ ସେପ୍ଟେମ୍ବର ୨୭ ତାରିଖରେ ଥାନାକୁ ଆଣି ଅଟକ ରଖିଥିଲା। ଉଭୟ ଉଦୟକୁମାର ଓ ସୁରେଶ ଲୁହାଲକଡି (ସ୍କ୍ରାପ୍‍) ଗୋଦାମରେ ଶ୍ରମିକ ଭାବେ କାମ କରୁଥିଲେ। ଚୋରି ଘଟଣାର କଥା ଆଦାୟ କରିବାକୁ ପୁଲିସ ସେମାନଙ୍କୁ ବହୁତ ନିର୍ଯାତନା ଦେଇଥିଲା। ନିର୍ଯାତନା ଯୋଗୁଁ ଉଦୟକୁମାରଙ୍କର ମୃତ୍ୟୁ ହୋଇଥିଲା। ଉଦୟକୁମାରଙ୍କ ହାଜତ ମୃତ୍ୟୁ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିଲା ଓ ପୁଲିସ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ତେବେ ପୁଲିସ ଅଧିକାରୀମାନେ ମାମଲାକୁ ଚପାଇ ଦେବାକୁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ୨୦୦୮ରେ କେରଳ ହାଇକୋର୍ଟ ଏହାର ସିବିଆଇ ତଦନ୍ତ ନିର୍ଦେଶ ଦେଇଥିଲେ। ଉଦୟକୁମାରଙ୍କ ମା’ ପ୍ରଭାବତୀ ପୁଅକୁ ନ୍ୟାୟ ଦେବା ପାଇଁ ଏକାକୀ ଏହି ମାମଲା ଲଢିଥିଲେ। ମାମଲାର ଶୁଣାଣି ସମୟରେ ଉଦୟକୁମାରଙ୍କ ବନ୍ଧୁ ସୁରେଶ କୁମାର ପୁଲିସ ଚାପରେ ବୟାନ ମଧ୍ୟ ବଦଳାଇଥିଲେ। ତେବେ ସିବିଆଇର ବଳିଷ୍ଠ ପ୍ରମାଣ ଦ୍ୱାରା ୧୩ବର୍ଷର ଶୁଣାଣି ପରେ ଅଦାଲତ ମାମଲାରେ ପୁଲିସ କର୍ମଚାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ମଙ୍ଗଳବାର ମାମଲାର ରାୟ ପ୍ରକାଶ ପାଇଥିବାବେଳେ ବୁଧବାର ଦଣ୍ଡାଦେଶ ଘୋଷଣା ହୋଇଛି।

Leave A Reply