ପଞ୍ଜାବ ସୀମାନ୍ତରେ ଦୁଇ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳିକଲେ ଭାରତୀୟ ଯବାନ

ଚଣ୍ଡିଗଡ: ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନମାନେ ଫିରୋଜପୁର ଅଞ୍ଚଳରେ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ଦୁଇଜଣଙ୍କ ଉପରକୁ ଗୁଳି ଚଳାଇବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତି ପ୍ରାୟ ୮.୪୮ରେ ଏହି ଘଟଣା ଘଟିଛି। ଫିରୋଜପୁରର ଥେହକେଲାନ (ଅମରକୋଟ) ଅଞ୍ଚଳରେ ମୁତୟନ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନମାନେ ଭାରତୀୟ ସୀମା ମଧ୍ୟରେ ଅନୁପ୍ରବେଶକାରୀ ଚଳପ୍ରଚଳ କରୁଥିବା ଲକ୍ଷ୍ୟ କରିଥିଲେ। ଯବାନମାନେ ସେମାନଙ୍କୁ ଅଟକିବାକୁ କହିଥିଲେ। କିନ୍ତୁ ସେମାନେ ବାରମ୍ବାର ଚେତାବନୀକୁ ନଶୁଣି ଭାରତ ମଧ୍ୟରେ ଆଗକୁ ବଢିବାରୁ ଭାରତୀୟ ଯବାନ ଗୁଳି ଚଳାଇଥିଲେ। ଫଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ବିଏସଏଫ ପକ୍ଷରୁ ଉକ୍ତ ଅଞ୍ଚଳରେ ବ୍ୟାପକ ତଲାସି ଆରମ୍ଭ ହୋଇଥିଲା। ସୂଚନାଯୋଗ୍ୟ ଯେ ପଞ୍ଜାବ ଦେଇ ପାକିସ୍ତାନ ସହିତ ଭାରତର ୫୫୩ କିଲୋମିଟର ଦୀର୍ଘ ଆନ୍ତର୍ଜାତିକ ସୀମା ରହିଛି ଏବଂ ସେଠାରେ କଣ୍ଟା ତାରବାଡ ଦିଆଯାଇଛି। ତଥାପି ତାକୁ ଅତିକ୍ରମ କରି ଆତଙ୍କବାଦୀମାନେ ଭାରତ ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି।

Comments are closed.