ଓମାନ ସାଗରରେ ଜଳିଗଲା ଦୁଇ ତୈଳବାହୀ ଜାହାଜ

ଦୁବାଇ : ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତେହେରାନରେ ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ ପାଇଁ ଇରାନ ନେତା ଆୟାତୋଲା ଅଲି ଖାମିନିଙ୍କ ସହିତ କଥାବାର୍ତ୍ତା ଚଳାଇଥିଲାବେଳେ ଓମାନ ସାଗରରେ ଅଘଟଣ ଘଟିଛି। ବିସ୍ଫୋରଣରେ ଦୁଇ ତୈଳବାହୀ ଜାହାଜ ଜଳି ଯାଇଛି। ଆକ୍ରମଣ କାରଣରୁ ଗୋଟିଏ ଜାହାଜରେ ବିସ୍ଫୋରଣ ଘଟିଥିବାବେଳେ ଏଥିସହିତ ଅନ୍ୟଟିରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି। ଜାହାଜରେ ଥିବା ୪୪ କର୍ମଚାରୀଙ୍କୁ ଇରାନ ନୌବାହିନୀ କର୍ମଚାରୀ ଉଦ୍ଧାର କରିଛନ୍ତି। ଜାହାଜ ଦୁଇଟି ମାର୍ଶାଲ ଦ୍ବୀପାଞ୍ଚଳ ଓ ପାନାମାର ପତାକା ବହନ ପୂର୍ବକ କ୍ବାତାରରୁ ତାଇୱାନ ଅଭିମୁଖେ ଯାଉଥିଲା ଓ ଏଥିରେ ଇଥାନଲ ରହିଥିବା ଇରାନ କହିଛି। ସୂଚନାନୁଯାୟୀ, ଗୋଟିଏ ଜାହାଜ ନରୱେ ସାମୁଦ୍ରିକ ପରିବହନ ସଂସ୍ଥାର ଥିଲାବେଳେ ଅନ୍ୟଟି ସିଙ୍ଗାପୁର ସଂସ୍ଥା କୋକୁକା କୋରାଜିୟସ୍‌ର ଥିଲା। ସମୁଦ୍ରରୁ ଜାହାଜ ଦୁଇଟିକୁ ଉଦ୍ଧାର କରାଯାଇଛି; ତେବେ ଆକ୍ରମଣ ଓ ଜାହାଜ ଜଳିଯିବା ପଛର ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ।
ଇରାନ ଓ ଆମେରିକା ମଧ୍ୟରେ ବିବାଦ କାରଣରୁ ଏହା ଘଟିଥିବା କୁହାଯାଉଛି। ନିକଟରେ ଏଭଳି ଏକ ଘଟଣା ଘଟିଥିଲା; ଯେଉଁଥିପାଇଁ ଆମେରିକା ଇରାନକୁ ଦୋଷାରୋପ କରିଥିଲା। ଏବେକାର ଘଟଣାକୁ ଇରାନ ଦୁର୍ଘଟଣା ହୋଇପାରେ ବୋଲି ଦର୍ଶାଇଛି। ଅପରପକ୍ଷରେ ଆମେରିକା ପକ୍ଷରୁ କୁହାଯାଇଛି ଯେ ଦୁଇଟିଯାକ ଜାହାଜରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ଏହାର ନୌବାହିନୀକୁ ନିବେଦନ କରାଯାଇଥିଲା। ନରୱେ ସାମୁଦ୍ରିକ କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ନରୱେ ଜାହାଜରେ ପ୍ରଥମେ ସକାଳ ସାଢ଼େ ୮ଟାରେ ବିସ୍ଫୋରଣ ହେବା ପରେ ମୋଟ ତିନିଟି ବିସ୍ଫୋରଣ ହୋଇଥିଲା। ପ୍ରାୟ ସାଢ଼େ ୯ଟା ସମୟରେ ଦ୍ବିତୀୟ ଜାହାଜରେ ନିଆଁ ଲାଗିଯାଇଥିଲା। ଇରାନର ଉଦ୍ଧାରକାରୀ ଦଳ ବନ୍ଦର-ଇ-ଜାସ୍କ ଜାହାଜରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ମେ ୧୨ରେ ଦୁଇଟି ସାଉଦି ଆରବ, ଗୋଟିଏ ନରୱେ ଓ ଗୋଟିଏ ଏମିରେଟ ତୈଳବାହୀ ଜାହାକୁ ଓମାନ ସାଗରରେ ଧ୍ବଂସ କରିଦିଆଯାଇଥିଲା। ଆମେରିକା ଏଥିପାଇଁ ଇରାନକୁ ଦୋଷ ଦେଇଥିଲା। ବୁଧବାର ଇରାନ ସମର୍ଥିତ ହୁଥି ବିଦ୍ରୋହୀମାନେ ସାଉଦି ଆରବର ଆହବା ବିମାନବନ୍ଦର ଉପରେ କ୍ଷେପଣାସ୍ତ୍ର ମାଡ଼ କରିବାର ଦିନକ ପରେ ଏହି ଘଟଣା ନେଇ ସ୍ବାଭାବିକ ଭାବେ ଇରାନକୁ ଆମେରିକା ଦୋଷ ଦେଇଛି। ସାଉଦି ଆରବ ମଧ୍ୟ ଏହି ଘଟଣା ପାଇଁ ଇରାନ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। ଇରାନ ଆମେରିକାର ଆରୋପକୁ ଖଣ୍ଡନ କରିଛି।

Comments are closed.