ଲଘୁଚାପ ଘନୀଭୂତ; ଦୁଇଦିନ ପ୍ରବଳ ବର୍ଷା

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବା ସହିତ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଗତକାଲି ରାତିରୁ ବର୍ଷା ଲାଗିରହିଛି। ଗତ ୨୪ଘଣ୍ଟାରେ ଚାନ୍ଦବାଲିରେ ସର୍ବାଧିକ ୧୦୮ ମିମି ବର୍ଷା ହୋଇଥିବା ବେଳେ ପାରାଦ୍ବୀପରେ ୧୦୦, ବୌଦ୍ଧରେ ୮୮, ଫୁଲବାଣୀରେ ୩୦, କଟକରେ ୧୪, ଭୁବନେଶ୍ବରରେ ୩୦, ପୁରୀରେ ୩୬, ଝାରସୁଗୁଡ଼ାରେ ୨୪, ବଲାଙ୍ଗୀରରେ ୨୬, କେନ୍ଦୁଝର ଓ ବାରିପଦାରେ ୨୩ ମିମି ଲେଖାଏଁ ବର୍ଷା ରେକର୍ଡ଼ କରାଯାଇଛି। ରାତି ସୁଦ୍ଧା ରାଜ୍ୟର ଅର୍ଦ୍ଧାଧିକ ଜିଲାରେ ବର୍ଷା ଲାଗିରହିଛି। ପାଣିପାଗ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ଲଘୁଚାପ ଘନୀଭୂତ ହୋଇଥିବାରୁ ରାଜ୍ୟର କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଓ ଢ଼େଙ୍କାନାଳରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏସବୁ ଜିଲାକୁ ରେଡ଼ ଆଲର୍ଟ ଜାରି କରାଯାଇଛି। ପୁରୀ, ଖୋର୍ଦ୍ଧା, ଅନୁଗୋଳ, ଦେବଗଡ଼, ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।

ଆସନ୍ତା ୨୭ତାରିଖରେ ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ରେଡ଼ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କେନ୍ଦୁଝର, ଅନୁଗୋଳ, ନୂଆପଡ଼ା, ଢ଼େଙ୍କାନାଳ, ମୟୂରଭଞ୍ଜ ଓ କନ୍ଧମାଳ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଏବଂ କଟକ, ଯାଜପୁର, ବାଲେଶ୍ବର, ମାଲକାନଗିରି ଓ କୋରାପୁଟ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୨୮ତାରିଖରେ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ସମ୍ବଲପୁର ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ଜିଲାଗୁଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ବର୍ଷା ସହିତ ସମୁଦ୍ର ଉପକୂଳରେ ୪୫ରୁ ୫୫କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ୨୭ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗ ସୂଚନାକୁ ଆଧାର କରି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା କହିଛନ୍ତି ଯେ ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ରାଜ୍ୟର ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାପାଳମାନେ ସେମାନଙ୍କ ଅଧସ୍ତନ କର୍ମଚାରୀ ତଥା ବିଡ଼ିଓ ଏବଂ ତହସିଲଦାରଙ୍କୁ ସଜାଗ ରଖିବାକୁ ବି ନିର୍ଦେଶ ଜାରି ହେଇଛି। ବର୍ଷାରେ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। ପାହାଡ଼ିଆ ଅଞ୍ଚଳରେ ଫ୍ଲାସ ଫ୍ଲଡ଼ ଆସି ରାସ୍ତାରେ ଜଳ ପ୍ରବାହିତ ହେବାର ସମ୍ଭାବନା ରହିଛି। କଚା ଘର କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ଏଥିପ୍ରତି ଜିଲାପାଳ ସତର୍କ ରହିବାକୁ କୁହାଯାଇଛି। ଜଳସମ୍ପଦ ବିଭାଗ ଏବଂ ଡ଼୍ରେନେଜର ଯନ୍ତ୍ରୀମାନେ ତତ୍ପର ହୋଇ ନଦୀବନ୍ଧ ଓ ଗାଁମାନଙ୍କ ସହ ଯୋଗାଯୋଗ ରକ୍ଷା କରିବାକୁ ନିର୍ଦେଶ ଦିଅଯାଇଛି।

ଯେଉଁ ଅଞ୍ଚଳ ଜଳମଗ୍ନ ହେବ ସେଠାରେ ଯଥାଶୀଘ୍ର ନିଷ୍କାସନ କରିବା ସହିତ ରାସ୍ତା ଏବଂ ପୋଲ ଉପରେ ପାଣି ଚାଲୁଥିଲେ ଏହା ନଛାଡ଼ିବା ପର୍ଯ୍ୟନ୍ତ କେହି ଏହାକୁ ବ୍ୟବହାର ନକରିବାକୁ ସେ ଅନୁରୋଧ କରିଛନ୍ତି। ଏ ପର୍ଯ୍ୟନ୍ତ ଜିଲା ପ୍ରଶାସନ ପକ୍ଷରୁ ଯାହା ସୂଚନା ଆସିଛି କୌଣସି ଅଞ୍ଚଳରେ ବନ୍ୟାର କୌଣସି ଆଶଙ୍କା ନାହିଁ। ତଥାପି ଆଗାମୀ ଦୁଇଦିନ ବର୍ଷା ହେଲେ ଜଳସମ୍ପଦ ଭଣ୍ଡାରକୁ ଦୃଷ୍ଟି ରଖି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ପ୍ରଶାସନକୁ କୁହାଯାଇଛି। ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନସାଧାରଣ ସତର୍କ ରହିବାକୁ ସେ ନିବେଦନ କରିଛନ୍ତି। ବର୍ଷା ସମୟରେ ମାଟିକାନ୍ଥ ଭାଙ୍ଗିବାର ସମ୍ଭାବନା ଅଧିକ ଥିବାରୁ ​‌ଯେଉଁମାନେ କଚା ଘରେ ରହୁଛନ୍ତି ସେମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Comments are closed.