ଦାରିଦ୍ର୍ୟର ବିକଳ ଚିତ୍ର : ବଳଦ ପରିବର୍ତ୍ତେ ଦୁଇ ଝିଅ

ଧରୱାଡ଼: କର୍ଣ୍ଣାଟକର ଧରୱାଡ଼ ଜିଲା ଅନ୍ତର୍ଗତ ଏକ ଗ୍ରାମରେ ବାପାଙ୍କୁ ହଳ କରିବାରେ ଦୁଇ ଝିଅଙ୍କ ସହାୟତା ଏବେ ଚର୍ଚ୍ଚାର ବିଷୟ ହୋଇଛି। କଲପା ଜବୁର ନାମକ ଜଣେ ଚାଷୀଙ୍କ ହଳରେ ତାଙ୍କର ଦୁଇ ଝିଅ ମେଘା ଓ ସାକ୍ଷୀ ବଳଦ ଭୂମିକା ତୁଲାଇବାର ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍‌ ପ୍ରସାରିତ। କଲପା ନିଜ ଜମିରେ ସୋୟାବିନ୍‌ ଚାଷ କରିଛନ୍ତି। ଇତିମଧ୍ୟରେ ତାଙ୍କ ଦେହ ଅସୁସ୍ଥ ହେବାରୁ ଚିକିତ୍ସା ବାବଦରେ ବହୁ ଅର୍ଥ ବ୍ୟୟ ହୋଇଛି। ଅର୍ଥଭାବ ଯୋଗୁଁ ଚାଷ ଆଗେଇନେବା ସମ୍ଭବ ହୋଇ ନାହିଁ। ସେ ଯେତେବେଳେ ଜମିକୁ ହଳ ନେବା ପାଇଁ ଚିନ୍ତାକଲେ ଦୁଇ ଝିଅ ତାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଲେ। ବଳଦ ବଦଳରେ ମେଘା ଓ ସାକ୍ଷୀ ହଳ ଭିଡ଼ିଲେ। ବଡ଼ ଝିଅ ମେଘା କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା ପଢୁଥିଲାବେଳେ ସାନ ସାକ୍ଷୀ ୧୦ମ ଶ୍ରେଣୀର ଛାତ୍ରୀ।

Comments are closed.