ଟ୍ବିଟରର ଅଭିଯୋଗ ଶୁଣାଣି ଅଧିକାରୀଙ୍କ ଇସ୍ତଫା

ନୂଆଦିଲ୍ଲୀ : ଭାରତରେ ଅଭିଯୋଗ ଶୁଣାଣି ନିମନ୍ତେ ସାମାଜିକ ଗଣମାଧ୍ୟମ ଟ୍ବିଟର ନିଯୁକ୍ତି ଦେଇଥିବା ଅଧିକାରୀ ଜଣଙ୍କ ଇସ୍ତଫା ଦେଇଛନ୍ତି। ଭାରତ ସରକାରଙ୍କ ନୂଆ ଆଇଟି ଆଇନ ଅନୁଯାୟୀ ଅଭିଯୋଗ ଶୁଣାଣି ନିମନ୍ତେ ଜଣେ ସ୍ବତନ୍ତ୍ର ଅଧିକାରୀ ନିଯୁକ୍ତି ରହିବା ଜରୁରୀ। ଏହି ନିୟମ ଅନୁଯାୟୀ ଟ୍ବିଟର ପକ୍ଷରୁ ଧର୍ମେନ୍ଦ୍ର ଚତୁରଙ୍କୁ ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଥିଲା। ଭାରତରେ ଟ୍ବିଟର ସମ୍ପର୍କିତ ସମସ୍ତ ଅଭିଯୋଗ ଶୁଣାଣି କରିବା ଦାୟିତ୍ବ ତାଙ୍କ ଉପରେ ନ୍ୟସ୍ତ ଥିଲା। ଧର୍ମେନ୍ଦ୍ର ନିଯୁକ୍ତି ପାଇବାର କିଛି ସପ୍ତାହ ମଧ୍ୟରେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ସମ୍ପର୍କରେ ଟ୍ବିଟର କୌଣସି ପ୍ରତିକ୍ରିୟା ଦେଇ ନାହିଁ। ନୂଆ ଆଇଟି ନିୟମ ଅନୁଯାୟୀ ୫୦ଲକ୍ଷରୁ ଅଧିକ ବ୍ୟବହାରକାରୀ ଥିବା ସାମାଜିକ ଗଣମାଧ୍ୟମଗୁଡିକ ସ୍ବତନ୍ତ୍ର ଅଭିଯୋଗ ଶୁଣାଣିକାରୀ ଅଧିକାରୀ ନିଯୁକ୍ତି ଦେବା ବାଧ୍ୟତାମୂଳକ। ଏହି ଅଧିକାରୀ ବ୍ୟବହାରକାରୀ କିମ୍ବା ପୀଡିତଙ୍କ ଅଭିଯୋଗର ଶୁଣାଣି କରିବେ। ତେବେ ନୂଆ ଆଇନକୁ ନେଇ ଟ୍ବିଟର ଓ ଭାରତ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ନିକଟରେ ଟ୍ବିଟର କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଆକାଉଣ୍ଟକୁ ସାମୟିକ ଭାବେ ବନ୍ଦ କରିଦେଇଥିଲା।

Comments are closed.