ରାଜସ୍ଥାନ ରାଜନୀତି: ସଚିନ୍ ପାଇଲଟ-ରାହୁଳ ଆଲୋଚନା; ସୋନିଆଙ୍କୁ ଭେଟିଲେ ପ୍ରିୟଙ୍କା-ରାହୁଳ

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୀତିରେ ଆଉ ଏକ ନୂଆ ମୋଡ଼ । ଆସନ୍ତା ୧୪ ତାରିଖରେ ରାଜସ୍ଥାନ ବିଧାନସଭାର ପ୍ରସ୍ତାବିତ ଅଧିବେଶନ ପୂର୍ବରୁ କଂଗ୍ରେସ ରାଜନୀତି ପୁଣି ସରଗରମ ହୋଇଛି । କଂଗ୍ରେସର ବିଦ୍ରୋହୀ ନେତା ସଚିନ ପାଇଲଟ୍ ସୋମବାର ରାହୁଳ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ସାକ୍ଷାତ କରି ଆଲୋଚନା କରିଛନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସଚିନଙ୍କ ସହ ପ୍ରିୟଙ୍କା ଓ ରାହୁଳ ଆଲୋଚନା ପରେ ଉଭୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ।

ଆସନ୍ତା ୧୪ ତାରିଖରେ ରାଜ୍ୟ ବିଧାନସଭାର ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ । ଏହା ପୂର୍ବରୁ କଂଗ୍ରେସର ଆଭ୍ୟନ୍ତରୀଣ ବିବାଦ ଥମିବାର ଆଶା ଦେଖାଯାଉଛି।

ପାଇଲଟ୍ ଓ ବିଦ୍ରୋହୀ ବିଧାୟକଙ୍କ ସହ ଆଲୋଚନା କରି ମାମଲାକୁ ଥଣ୍ଡା କରିବା ଉପରେ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ପାଇଲଟ୍ ଓ ଅନ୍ୟ ବିଧାୟକମାନେ ଦଳ ଓ ସରକାରକୁ ଅସ୍ଥିର କରିବା ନିମନ୍ତେ କରିଥିବା ଚେଷ୍ଟା ନିମନ୍ତେ କ୍ଷମା ପ୍ରାର୍ଥନା କରିନେଲେ ଦଳ ସେମାନଙ୍କୁ ଫେରାଇ ନେବା ନେଇ ବିଚାର କରିପାରେ ।

ସୂଚନାଯୋଗ୍ୟ ଯେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ବିରୋଧ କରି ଦଳର ବୈଠକରେ ସାମିଲ ନ ହେବା ପରେ କଂଗ୍ରେସ ହାଇକମାଣ୍ଡ ତାଙ୍କୁ ପିସିସି ଅଧ୍ୟକ୍ଷ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ । ସେ ବିଜେପିରେ ସାମିଲ ହେଉ ନାହାନ୍ତି ବୋଲି ସଚିନ ବାରମ୍ବାର କରିବା ସତ୍ବେ ମୁଖ୍ୟମନ୍ତ୍ରୀ ଗେହଲଟ ତାଙ୍କ ପ୍ରତି ଅପମାନବୋଧକ ଶବ୍ଦ ପ୍ରୟୋଗ କରିଥିଲେ । ସଚିନ ଓ ତାଙ୍କ ସମର୍ଥକମା​‌ନେ ଗେହଲଟଙ୍କ ନେତୃତ୍ଵରେ କାମ କରିବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଗେହଲଟ ତାଙ୍କ ସପକ୍ଷରେ ଶତାଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ମଧ୍ୟ ଦାବି କରିଆସୁଛନ୍ତି ।

Comments are closed.