କରୋନାରେ ଆଖି ବୁଜିଲେ ବାପା-ମାଆ, ଅନାଥ ଝିଅଙ୍କୁ ବଞ୍ଚିବା ଚିନ୍ତା

୧୧ ବର୍ଷର ଯାଆଁଳା ଝିଅଙ୍କ ନିବେଦନ : ବଞ୍ଚିବାକୁ ସୁଯୋଗ ଦିଅ

ଗୁଣପୁର : ଅଭୁତ କରୋନାର ତାଣ୍ଡବରେ କିଏ ନିଜର ସ୍ୱାମୀକୁ ହରାଇ ବସିଛି ତ, ଆଉ କିଏ ନିଜ ବାପା, ମାଆକୁ ହରାଇ ଅନାଥ ହୋଇଯାଇଛି। ଆଉ କେତେକ ସ୍ଥାନରେ କରୋନା ପରିବାରବର୍ଗକୁ ପୋଛି ନେଇଛି। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ପଦ୍ମପୁର ବ୍ଲକର ଗୋଡିଆବନ୍ଧ ଗ୍ରାମରେ। ବାପା, ମାଆଙ୍କ କରୋନାରେ ଅକାଳରେ ମୃତ୍ୟୁ ଘଟିଥିବା ବେଳେ ଦୁଇ ୧୧ବର୍ଷର ଯାଆଁଳା ଝିଅ ଏବେ ଅନାଥ ହୋଇପଡ଼ିଛନ୍ତି। ଏମାନେ ସଂସାରରେ ବଞ୍ଚିବେ କେମିତି, କିଏ ହେବ ସାହା। କାହାକୁ ନେଇ ନିଜର ଭବିଷ୍ୟତ ଗଠନ କରିବେ ସେ ଚିନ୍ତାରେ ପଡ଼ିଛନ୍ତି। ସରକାର ଏହି ଦୁଇ ଅନାଥ ବାଳିକାକୁ ସହୟତା ଯୋଗାଇବାକୁ ସେମାନେ ଆକୁଳ ନିବେଦନ କରିଛନ୍ତି।

ମୃତ ଗିରିଶ ସୁନାମୁଦି ଓ ଜ୍ୟୋତି ଚୌଧୁରୀ (ଫାଇଲ ଫଟୋ)

ଖବର ନେବାରୁ ଜଣାପଡ଼ିଛି ଯେ ଗୋଡିଆବନ୍ଧ ଗ୍ରାମର ଗିରିଶ ସୁନାମୁଦି (୪୪) ଗତ ୧୨ବର୍ଷ ତଳେ ଗୁଣପୁର ବ୍ଲକର ଡମ୍ବସରା ଗ୍ରାମର ଜ୍ୟୋତି ଚୌଧୁରୀଙ୍କ ବିବାହ କରିଥିଲେ। ଏମାନଙ୍କ ଔରସରୁ ଦୁଇ ଯାଆଁଳା ଝିଅ ଜନ୍ମଲାଭ କରିଥିଲେ। ଗିରିଶଙ୍କ ଆର୍ଥିକ ପରିସ୍ଥିତି ଖରାପ ଥିବାରୁ ଗାଁରେ କିଛି ଦିନ ଛୋଟିଆ ଦୋକାନ କରି ପରିବାର ଭରଣ ପୋଷଣ କରୁଥିଲେ। ଛୋଟିଆ ଦୋକାନରେ ପରିବାର ଚଳିବା କଷ୍ଟକର ହେବାରୁ ଗତକିଛି ବର୍ଷତଳେ ହାଇଦ୍ରାବାଦରେ କାମ କରିବାକୁ ଚାଲିଯାଇଥିଲେ। କିଛି ବର୍ଷ ସେଠାରେ କାମ କରି ପରିବାର ହସଖୁସିରେ ଥିବାବେଳେ ଦ୍ୱିତୀୟ ଲହରୀ କରୋନା ପ୍ରକୋପରେ ନିଜ ଭିଟାମାଟିକୁ ସ୍ୱାମୀ, ସ୍ତ୍ରୀ ଓ ଦୁଇଜଣ ଝିଅ ଏକ ଟ୍ରେନରେ ଚାଲି ଆସିଥିଲେ। ଗତ ଏପ୍ରେଲ ୨୮ତାରିଖରେ ଭାଗ୍ୟର ବିଡମ୍ବନା ଟ୍ରେନରୁ ଘରକୁ ଫେରବା ପୂର୍ବରୁ ରାୟଗଡା ରେଳଷ୍ଟେସନ ନିକଟରେ ଗିରିଶ ସୁନାମୁଦିଙ୍କ ମୃତ୍ୟୁ ଘଟିଥିଲା। ତେଲଙ୍ଗାନାରୁ ଫେରାନ୍ତ ହୋଇଥିବାରୁ ପରିବାରବର୍ଗଙ୍କ କୋଭିଡ ପରୀକ୍ଷା କରାଯାଇଥିଲା। ମୃତ ଗିରଶଙ୍କ ସ୍ତ୍ରୀ ଜ୍ୟୋତି ଚୌଧୁରୀଙ୍କ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ପ୍ରଥମେ ଜେକେ କୋଭିଡ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଗତ ମେ ୫ତାରିଖରେ ଜ୍ୟୋତିର ମୃତ୍ୟୁ ଘଟିଥିଲା। ଏକ ସପ୍ତାହ ମଧ୍ୟରେ ସ୍ୱାମୀ, ସ୍ତ୍ରୀର ମୃତ୍ୟୁ ଘଟିଥିବାବେଳେ ୧୧ବର୍ଷର ଯାଆଁଳା ଝିଅ ଏବେ ଅନାଥ ଅବସ୍ଥାରେ ପଡ଼ିରହିଛନ୍ତି। ଏହି ଝିଅର ମାମୁଁ ଡମ୍ବସରା ଗ୍ରାମର ଉତ୍ତମ ଚୌଧୁରୀ ଘରେ ରହୁଛନ୍ତି। ମାମୁଁଙ୍କ ଆର୍ଥିକ ଅବସ୍ଥା ମଧ୍ୟ ସେତେଟା ଭଳ ନଥିବାରୁ ଏମାନେ କାହା ପାଖରେ ରହିବେ ଓ କେମିତି ବଞ୍ଚିବେ ସେ ଚିନ୍ତାରେ ପଡ଼ିରହିଛନ୍ତି। ଭବିଷ୍ୟତ ଗଠନ କରିବା ପୂର୍ବରୁ ବଞ୍ଚିବାର ରାହା ଖୋଜୁଛନ୍ତି ଏହି ଦୁଇଝିଅ। ଏନେଇ ନିଜ ମାମୁଁ ଉତ୍ତମ ପାତ୍ର ଏହି ଦୁଇ ଝିଅଙ୍କୁ ସରକାରୀ ସହାୟତା ପ୍ରଦାନ ଦିଗରେ ପ୍ରଶାସନ ବିଚାର କରିବାକୁ ଅନୁରୋଧ କରିଛନ୍ତି। ବାପା,ମାଆ ଛେଉଣ୍ଡ ଦୁଇଝିଅ, ସରକାର ଆମକୁ ବଞ୍ଚିବାକୁ ସୁଯୋଗ ଦେଉ ବୋଲି ଲୁହଭରା କଣ୍ଠରେ ପ୍ରକାଶ କରିଛନ୍ତି। ଆମେ ଅନାଥ ହୋଇଗଲୁ ଓ ଆମକୁ କିଏ ପୋଷିବ ବୋଲି କାନ୍ଦି କାନ୍ଦି ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ଆଜି ଉପଖଣ୍ଡ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାମ କରି ଫେରିଛନ୍ତି। ଉପଜିଲାପାଳ ସୋନାଲ ଜେନା ଗଚ୍ଚମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହା ଏକ ଦୁଭାଗ୍ୟଜନକ ଘଟଣା, ସରକାରୀ ନିୟମ ପ୍ରକାରେ ଯାହା ସାହାଯ୍ୟ କରିବା କଥା ତାହା ବିଚାର କରାଯିବ ବୋଲି ସୂଚନା ଦେଇଛନ୍ତି। ଅନ୍ୟପକ୍ଷରରେ ଏହି ଦୁଇ ଅନାଥ ପିଲାଙ୍କୁ ସରକାରୀ ସହାୟତା ପ୍ରଦାନ କରି ଏମାନଙ୍କ ଭବିଷ୍ୟତ ନିମନ୍ତେ ଦୃଷ୍ଟି ଦେବାରୁ ବିଭିନ୍ନ ମହଲରେ ଦାବୀ ହେଉଛି।

Comments are closed.