ମିଳିମିଳାରେ ୨୫ ଶିଶୁ ଆକ୍ରାନ୍ତ, ସ୍ବାସ୍ଥ୍ୟବିଭାଗ ପାଖରେ ନାହିଁ ଖବର

ପାତ୍ରପୁର: ପାତ୍ରପୁର ବ୍ଲକ ଅମିନ ଶରଧାପୁର ଗ୍ରାମରେ କିଛିଦିନ ହେଲା ମିଳିମିଳାର ପ୍ରାଦୁର୍ଭାବ ଦେଖିବାକୁ ମିଳିଛି। ଏହି ଗ୍ରାମରେ ୨୫ରୁ ଅଧିକ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ଗ୍ରାମର ରୋମିୟ ପ୍ରଧାନ, ହିମାଂଶୁ ପ୍ରଧାନ, ଚିନୁ ପ୍ରଧାନ, ରିୟା ପ୍ରଧାନ, ପ୍ରିୟା ପ୍ରଧାନ, ଶ୍ରୀୟା ପ୍ରଧାନଙ୍କ ସମେତ ୨୫ରୁ ଅଧିକ ଶିଶୁ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ଶିଶୁଙ୍କ ବୟସ ଦୁଇରୁ ପନ୍ଦର ବର୍ଷ ହେବ।

ଗତ ଚାରି ସପ୍ତାହ ହେଲା ଗ୍ରାମର ଶିଶୁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। କେତେକ ଶିଶୁ ଏଥିରୁ ଆରୋଗ୍ୟ ମଧ୍ୟ ହୋଇଛନ୍ତି। ଶିଶୁଙ୍କୁ ପ୍ରଥମେ ଜ୍ବର ଓ ଥଣ୍ଡା ହେବା ସହ ଜ୍ବର ପ୍ରକୋପ ବୃଦ୍ଧି ପାଉଛି। ପରେ ଶିଶୁଙ୍କ ଦେହରେ ଫୋଟୋକା ବାହାରିବା ପରେ ଯନ୍ତ୍ରଣା ସହ କୁଣ୍ଡିଆ ହେଉଛି। ୭ରୁ ୧୫ ଦିନ ମଧ୍ୟରେ ପିଲାମାନେ ସୁସ୍ଥ ହେଉଛନ୍ତି। କିଛି ପିଲାଙ୍କ ଦେହରେ ଫୋଟକା ଅଧିକ ଦିନ ପର୍ୟ୍ୟନ୍ତ ରହୁଛି। ଆରୋଗ୍ୟ ପାଇଁ ଝାଡାଫୁଙ୍କାକୁ ଲୋକେ ଆବୋରିଛନ୍ତି। ଗ୍ରାମ ଦେବତୀଙ୍କ ପୀଠରେ କିଛି ବ୍ୟକ୍ତି ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ବ୍ଲକର ଅନ୍ୟ କେତେକ ଗ୍ରାମରେ ମଧ୍ୟ ମିଳିମିଳା ରୋଗ ବ୍ୟାପିଥିବା ସୂଚନା ମିଳିଛି। ଡାକ୍ତରଖାନାକୁ କେହି ଯାଉ ନଥିବାରୁ ସ୍ବାସ୍ଥ୍ୟବିଭାଗ ପାଖରେ ଏ ସଂକ୍ରାନ୍ତରେ କୌଣସି ସୂଚନା ନାହିଁ।

Comments are closed.