ଛୋଟ ପରଦାରେ ନୂଆ ଶୋ’

କରୋନା ସଂକ୍ରମଣର ଭୟାବହତା ଭିତରେ ଜୀବନ ପୁଣି ଧାରାକୁ ଫେରୁଛି। ମନୋରଞ୍ଜନ ଦୁନିଆ ବି ଚଳଚଞ୍ଚଳ ହୋଇଉଠିଲାଣି। ପୁରୁଣା ଧାରାବାହିକ ଗୁଡିକର ନୂଆ ଏପିସୋଡ୍‍ ପ୍ରସାରଣ ହେବା ସହ ନୂଆ ଧାରାବାହିକ ମଧ୍ୟ ପ୍ରସାରଣକୁ ଅଣ୍ଟା ଭିଡିଲେଣି। ଏହା ମଧ୍ୟରୁ ଆଗୁଆ ଥିବା ଚାରୋଟି ଭିନ୍ନଭିନ୍ନ ସ୍ୱାଦର ଧାରାବାହିକ ସମ୍ପର୍କରେ-

ଏକ୍ସକ୍ୟୁଜ୍‍ ମି ମ୍ୟାଡମ:
ଗତ ସୋମବାରଠାରୁ ଏହି ଧାରାବାହିକର ପ୍ରସାରଣ ଆରମ୍ଭ ହୋଇଛି। ଏହା ଏକ କମେଡି ଶୋ’ ଯେଉଁଥିରେ ରାଜେଶ କୁମାର, ସୁଚେତା ଖନ୍ନା ଏବଂ ନାୟରା ବାନାର୍ଜୀ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। କାହାଣୀରେ ସୁଚେତା ରାଜେଶଙ୍କ ପତ୍ନୀ ଏବଂ ନାୟରା ତାଙ୍କ ବସ୍‍ ଭାବେ ଆସିବେ। ତେବେ ରାଜେଶ ମନେମନେ ନାୟରାଙ୍କୁ ପସନ୍ଦ କରିବାରେ ଲାଗିଛନ୍ତି, ଯାହାକୁ ନେଇ କମେଡି ଦୃଶ୍ୟରେ ଏହି ଧାରାବାହିକ ଭରପୂର। କିଛିଦିନ ହେବ କରୋନା ସଂକ୍ରମିତ ଥାଇ ରାଜେଶ କ୍ୱାରେଣ୍ଟାଇନ୍‍ରେ ରହିବା ପରେ ପୁଣି ଶୁଟିଂକୁ ଫେରିଛନ୍ତି। ଏହି ଧାରାବାହିକ ଆରମ୍ଭ ହେଉହେଉ ଏହାର ସିଜନ୍‍-୨ ଆସିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି।

ବିଗ୍‍ବସ୍‍-୧୪ :
ଏହି ଶୋ’ ପ୍ରଥମ ସିଜନ୍‍ରୁ ଚର୍ଚ୍ଚାରେ ରହିଆସିଛି। ଏଥର ଏହାର ଗ୍ରାଣ୍ଡ ପ୍ରିମିୟର ଅକ୍ଟୋବର ୩ରେ ହେବ ଏବଂ ସମସ୍ତ ପ୍ରତିଯୋଗୀ ଅକ୍ଟୋବର ୧ରୁ ବିଗ୍‍ବସ୍‍ ଘରେ ପ୍ରବେଶ କରିବେ ବୋଲି କୁହାଯାଉଛି। ପ୍ରିମିୟର ଏପିସୋଡ୍‍ ଏଥର ତିନିଦିନ ଧରି ଶୁଟିଂ କରାଯିବ। ନିକଟରେ ଉପସ୍ଥାପକ ସଲ୍‍ମାନ ବିଗ୍‍ବସ୍‍ ଘର ପୋଛୁଥିବାର ଏକ ଫଟୋ ଭାଇରାଲ ହୋଇଥିଲା। ଏହି ସିଜନ୍‍ ପାଇଁ ସେ ୨୫୦ କୋଟି ଟଙ୍କା ନେଉଛନ୍ତି। ଏଥର ପ୍ରତି ସପ୍ତାହରେ ପ୍ରତିଯୋଗୀମାନଙ୍କର କୋଭିଡ୍‍ ପରୀକ୍ଷା କରାଯିବ। ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଏପରି କୌଣସି କାର୍ଯ୍ୟକ୍ରମ ରଖାଯିବ ନାହିଁ ଯେଉଁଥିରେ ସେମାନେ ପରସ୍ପର ନିକଟକୁ ଆସିବେ। ସେମାନଙ୍କ ପାଇଁ ଅଲଗାଅଲଗା ବାସନ, ବିଛଣାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ଜଣାପଡ଼ିଛି। ଏବେ କଲର୍ସ ଚ୍ୟାନେଲ ପକ୍ଷରୁ ଏହାର ତିନୋଟି ପ୍ରମୋ ସୋସିଆଲ ମିଡିଆରେ ଶେୟାର କରାଯାଇଛି ଯେଉଁଥିରେ ସିଦ୍ଧାର୍ଥ ଶୁକ୍ଳା, ହିନା ଖାନ୍‍ ଏବଂ ଗୌହର ଖାନ୍‍ ଆସିଛନ୍ତି।

ପରିକ୍ରମା :
ଡିସ୍କଭରିଂ ଇଣ୍ଡିଆନ୍‍ ଟେମ୍ପଲ୍‍ସ: ଦେଶରେ ଥିବା ଐତିହାସିକ ତଥା ଚର୍ଚ୍ଚିତ ମନ୍ଦିର ଦର୍ଶନର ଏକ ସିରିଜ୍‍ ନିର୍ମାଣ କରାଯାଇଛି। ୧୨ତାରିଖରୁ ଏହାର ପ୍ରସାରଣ ଆରମ୍ଭ ହେଲାଣି। ୯୨ଟି ଏପିସୋଡ ଥିବା ଏହି ଧାରାବାହିକ ଏପିକ୍‍ ଚ୍ୟାନେଲରେ ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେବ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଥିବା ମନ୍ଦିର ଏବଂ ଏହାର ସ୍ୱତନ୍ତ୍ର କାହାଣୀ ସମ୍ପର୍କରେ ଦର୍ଶକ ଜାଣିବାକୁ ପାଇବେ।

ଗୁମ୍‍ ହେ କିସିକେ ପ୍ୟାର୍‍ ମେଁ:
ନୀଲ୍‍ ଭଟ୍ଟ, ଐଶ୍ୱର୍ଯ୍ୟା ଶର୍ମା ଏବଂ ଆୟଶା ଶର୍ମାଙ୍କୁ ନେଇ ଏହି ନୂଆ ଧାରାବାହିକ ଷ୍ଟାରପ୍ଲସ୍‍ରେ ପ୍ରସାରିତ ହେବ। ତ୍ରିକୋଣୀୟ ପ୍ରେମକାହାଣୀକୁ ଆଧାର କରି ଆସୁଥିବା ଏହି ଧାରାବାହିକ ବଙ୍ଗଳା ଧାରାବାହିକ ‘କୁସୁମ ଡୋଲା’ର ରିମେକ୍‍ ବୋଲି ଜଣାଯାଇଛି। ‘ଛୋଟି ସର୍ଦାରନୀ’ର ନିର୍ମାତା କକ୍‍କ୍ରୋ ଆଣ୍ଡ୍‍ ଶାଇକା ଏଣ୍ଟରଟେନ୍‍ମେଣ୍ଟ ଏହାର ନିର୍ମାଣ କରୁଛି। ସନ୍ଧ୍ୟା ବିନ୍ଦଣୀ ଭାବେ ଲୋକପ୍ରିୟ ଦୀପିକା ସିଂହ ମଧ୍ୟ ଏହି ଧାରାବାହିକରେ ଆସିବେ। ଏକତା କପୁରଙ୍କ ଶୋ’ କସୌଟି ଜିନ୍ଦଗୀ କେ-୨ ର ଶେଷ ଏପିସୋଡ ଅକ୍ଟୋବର ୩ତାରିଖରେ ପ୍ରସାରିତ ହେବ ବୋଲି ଜଣାଯାଇଥିବା ବେଳେ ଏହାର ସମୟରେ ନୂଆ ଧାରାବାହିକ ‘ଗୁମ୍‍ ହେ କିସିକେ ପ୍ୟାର୍‍ ମେଁ’ ପ୍ରସାରିତ ହୋଇପାରେ। କସୌଟି… ଗତ ଦୁଇବର୍ଷରୁ ଅଧିକ ସମୟ ହେବ ଦର୍ଶକଙ୍କୁ ବାନ୍ଧି ରଖିଥିଲା। ତେବେ ତାଲାବନ୍ଦ ପରେ କିଛିଦିନ ହେବ ଏହାର ଟିଆର୍‍ପି ଖୁବ୍‍ କମିଛି ଏବଂ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିବା ଏରିକା ଫର୍ଣ୍ଣାଣ୍ଡିଜ୍‍, ପାର୍ଥ ସମ୍‍ଥାନ ମଧ୍ୟ ଏଥିରୁ ଦୂରେଇ ଯିବାକୁ ଇଚ୍ଛା କଲେଣି। ନିକଟରେ ପାର୍ଥ କରୋନା ସଂକ୍ରମିତ ହୋଇଥିବା ବେଳେ ଧାରାବାହିକରୁ ବିଦାୟ ନେବାକୁ ଇଚ୍ଛା କରିଥିଲେ। ଏବେ ଏହା ବନ୍ଦ ହେବାକୁ ଯାଉଥିବାରୁ ନିର୍ମାତା ଦର୍ଶକଙ୍କ ପସନ୍ଦ ଅନୁସାରେ କାହାଣୀରେ ଏକ ସୁଖଦ ଅନ୍ତ ଦେବାକୁ ଇଚ୍ଛା କରିଛନ୍ତି। ଏଥିରେ ପ୍ରେରଣା ଏବଂ ଅନୁରାଗଙ୍କ ପ୍ରେମର ବିଜୟ ହେଉଥିବା ଦେଖାଯିବ।

Comments are closed.