ଟେଲିଭିଜନ ଅଭିନେତ୍ରୀ ସେଜଲ ଶର୍ମାଙ୍କ ଆତ୍ମହତ୍ୟା

ମୁମ୍ବଇ: ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ସେଜଲ ଶର୍ମା ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ସେ ମୁମ୍ବାଇସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ‘ଦିଲ୍‌ ତୋ ହାପି ହୈ ଜୀ’ ଧାରାବାହିକରେ ‘ସିମୀ ଖୋସଲା’ ଚରିତ୍ରରେ ଅଭିନୟ କରି ସେଜଲ ଚର୍ଚ୍ଚାକୁ ଆସିଥିଲେ। ତେବେ ସେ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।

‘ଦିଲ୍‌ ତୋ ହାପି ହୈ ଜୀ’ରେ ସେଜଲଙ୍କ ସହଅଭିନେତା ଅରୁ କେ ବର୍ମା କହିଛନ୍ତି, ଘଟଣା ବିଷୟରେ ଶୁଣିବା ପରେ ମୁଁ ହତ୍‌ବାକ ହୋଇଯାଇଛି। ୧୦ ଦିନ ତଳେ ମୁଁ ସେଜଲଙ୍କୁ ଭେଟିଥିଲି ଏବଂ ଗତ ରିବାର ତାଙ୍କ ସହିତ ହ୍ବାଟ୍ସଆପରେ ଚାଟିଂ ମଧ୍ୟ କରିଛି। ୧୦ ଦିନ ପୂର୍ବେ ତାଙ୍କୁ ଭେଟିବା ସମୟରେ ସେ ଠିକ୍‌ଠାକ୍‌ ଥିଲେ। ବର୍ମା ଏନଡିଟିଭିକୁ କହିଛନ୍ତି ଯେ, ସେଜଲଙ୍କ ପରିବାର ଲୋକ ଶନିବାର ସକାଳେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଦେଖିବାକୁ ପାଇଥିଲେ। ଶୁକ୍ରବାର ରାତିରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପରିବାର ଲୋକେ ଶେଷକୃତ୍ୟ ପାଇଁ ମୃତଦେହକୁ ଉଦୟପୁର ନେଇଯାଇଛନ୍ତି।

ସୂଚନାଯୋଗ୍ୟ, ସେଜଲଙ୍କ ଘର ଉଦୟପୁରରେ। ସେ ୨୦୧୭ରେ ମୁମ୍ବାଇ ଆସି ଅଭିନୟ ଜଗତରେ କାର୍ଯ୍ୟ ଆରମ୍ଭ କରିଥିଲେ। ‘ଦିଲ୍‌ ତୋ ହାପି ହୈ ଜୀ’ ତାଙ୍କର ପ୍ରଥମ ସିରିଏଲ ଥିଲା। ଏହା ପୂର୍ବରୁ ସେ କେତେକ ବିଜ୍ଞାପନରେ ନଜର ଆସିଥିଲେ। ଏହାବ୍ୟତୀତ ସେ ଏକ ୱେବ୍‌ସିରିଜ ‘ଆଜାଦ ପରିନ୍ଦେ’ରେ ମଧ୍ୟ ନଜର ଆସିଥିଲେ।

Comments are closed.