ଦୁଇ ଛାତ୍ରୀଙ୍କୁ ନେଇ ଟ୍ୟୁସନ ଶିକ୍ଷକ ଫେରାର ଘଟଣା : ସମ୍ବଲପୁରରୁ ଶିକ୍ଷକ ଗିରଫ, ୨ ଛାତ୍ରୀ ଉଦ୍ଧାର

ଭୁବନେଶ୍ବର/ସମ୍ବଲପୁର : ଭୁବନେଶ୍ୱର ବଡଗଡ ଥାନା ଅନ୍ତର୍ଗତ ଟ୍ୟୁସନ ଶିକ୍ଷକ ୨ ଛାତ୍ରୀଙ୍କୁ ନେଇ ଫେରାର ହେବା ଘଟଣାରେ ପୁଲିସ ସମ୍ବଲପୁର ଅଇଁଠାପାଲି ଥାନା ଅନ୍ତର୍ଗତ ଅନୁଗୁଳିଆପଡ଼ାର ଏକ ଭଡ଼ାଘରୁ ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଶିକ୍ଷକଙ୍କୁ ଅଟକ ରଖିଥିଲା। ଭୁବନେଶ୍ବର କମିଶନରେଟ୍ ପୁଲିସ ଆଜି ସମ୍ବଲପୁର ଆସି ସେମାନଙ୍କୁ ନେଇଯାଇଛି। ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ସଙ୍ଗରେ ଗୋଟିଏ ପୋଷା କୁକୁର ମଧ୍ୟ ନେଇକି ଆସିଥିଲା। ମଙ୍ଗଳବାର ଭୁବନେଶ୍ୱର କମିଶନରେଟ ପୁଲିସଠାରୁ ସୂଚନା ପାଇଁ ସମ୍ବଲପୁର ପୁଲିସ ତୁରନ୍ତ ସହର ତଥା ଆଖପାଖ ଥାନାକୁ ସତର୍କକରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଟ୍ୟୁସନ ଶିକ୍ଷକ ଜଣକ ଏକ କଳା ରଙ୍ଗର କୁକୁର ଓ ଦୁଇ ନାବାଳିକା ଭଉଣୀ ଛାତ୍ରୀଙ୍କୁ ନେଇ ସମ୍ବଲପୁର ପଟକୁ ଯାଇଥିବାର ଜଣାପଡିବାରୁ ତୁରନ୍ତ ସମ୍ବଲପୁର ପୁଲିସକୁ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବୈଷୟିକ ସର୍ଭିଲାନ୍ସ ଓ ପାରମ୍ପରିକ ସୂତ୍ରରୁ ଖବରପାଇ ଅଇଁଠାପାଲି ଥାନାରୁ ୫୦୦ ମିଟର ଦୂରରେ ଥିବା ଅନୁଗୁଳିଆପଡାରେ ଟ୍ୟୁସନ ଶିକ୍ଷକ ଗଞ୍ଜାମ ଜିଲାର ବିବାହିତ ଗୋପାଳକୃଷ୍ଣ ବାଡତିଆଙ୍କୁ ଅଟକ ରଖିବାସହ ଦୁଇ ଛାତ୍ରୀଙ୍କୁ ପୁଲିସ ଉଦ୍ଧାର କରି କମିଶନରେଟ ପୁଲିସକୁ ଖବର ଦେଇଥିଲା। ରାତିରେ ଉଦ୍ଧାର କରାଯାଇଥିବା ଦୁଇ ନାବାଳିକାଙ୍କୁ ‘ସଖୀ’ କେନ୍ଦ୍ରରେ ରଖାଯାଇଥିବାବେଳେ ଅଭିଯୁକ୍ତକୁ ଅଇଁଠାପାଲି ଥାନାରେ ରଖାଯାଇଥିଲା।
ପ୍ରାଥମିକ ତଦନ୍ତ ସମୟରେ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ପୁଲିସକୁ କହିଛନ୍ତି ଯେ, ଭୁବନେଶ୍ୱର ବଡଗଡ ଥାନା ଅଞ୍ଚଳରେ ରହୁଥିବା ଉକ୍ତ ଦୁଇ ଭଉଣୀଙ୍କୁ ତାଙ୍କ ପରିବାର ଲୋକେ ଅତ୍ୟାଚାର କରୁଥିଲେ। ଏଣୁ ସେମାନଙ୍କୁ ସାଥିରେ ନେଇ ସମ୍ବଲପୁରକୁ ଚାଲିଆସି ଏକ ଭଡ଼ାଘରେ ରହୁଥିଲା। ବୁଧବାର ସକାଳୁ କମିଶନରେଟ ପୁଲିସ ସମ୍ବଲପୁରକୁ ଆସି ଅନୁଗୁଳିଆପଡାସ୍ଥିତ ଭଡାଘରକୁ ଯାଞ୍ଚ କରିବା ସହିତ ଆଇନ ଅନୁଯାୟୀ ସମସ୍ତ ପ୍ରକ୍ରିୟା ପୂରଣପରେ ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ଗୋପାଳକୃଷ୍ଣ ବାଡତିଆ ଓ ଦୁଇ ନାବାଳିକାଙ୍କୁ ସାଥିରେ ନେଇ ଭୁବନେଶ୍ୱର ଫେରିଯାଇଛି।
ଏନେଇ ସଦର ଏସଡିପିଓ ପ୍ରଦୀପ ସାହୁ କହିଛନ୍ତି ଯେ, ଭୁବନେଶ୍ୱର ପୁଲିସଠାରୁ ଖବର ମିଳିବାପରେ ଆରକ୍ଷୀ ନୀରିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଅଇଁଠାପାଲି ପୁଲିସ ଚଢ଼ଉ କରି ଅଭିଯୁକ୍ତଙ୍କୁ ଧରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଛି। ଏ ସମ୍ପର୍କରେ ପୁଲିସ ବଡଗଡ ଥାନାରେ ମାମଲା ରୁଜୁ ହୋଇଛି ଏବଂ ସେମାନେ ତଦନ୍ତ କରୁଛନ୍ତି। ସେମାନଙ୍କୁ କମିଶନରେଟ ପୁଲିସକୁ ହସ୍ତାନ୍ତରିତ କରିଥିବାବେଳେ ଆଗାମୀ ଦିନରେ କମିଶନରେଟ ପୁଲିସ ତଦନ୍ତ ସମୟରେ ଯାହା ସାହାଯ୍ୟ ଆବଶ୍ୟକ କରିବେ, ତାହା ଯୋଗାଇ ଦେବୁ ବୋଲି ଏସଡିପିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଟ୍ୟୁସନ ଶିକ୍ଷକ ଗୋପାଳକୃଷ୍ଣ ବାଡତିଆ ବଡଗଡ ଥାନାକ୍ଷେତ୍ରର ଦୁଇ ନାବାଳିକା ଭଉଣୀଙ୍କୁ ଟ୍ୟୁସନ ପଢ଼ାଉଥିଲେ। ପ୍ରଥମେ ଏକ ଘଣ୍ଟା ପଢ଼ାଇବାକୁ ଅଭିଭାବକଙ୍କ ସହ କଥା ହୋଇଥିବାବେଳେ ପରେ ସେ ୨ରୁ ୩ ଘଣ୍ଟା ପର୍ଯ୍ୟନ୍ତ ପଢ଼ାଉଥିଲେ। ଏନେଇ ପରିବାର ଲୋକେ ସନ୍ଦେହ କରିବାରୁ ସେ ନାବାଳିକା ଛାତ୍ରୀଙ୍କୁ ଭଲ ଭାବରେ ପଢ଼ାଇ କ୍ୟାରିୟର ଗଢ଼ିଦେବେ ବୋଲି କହିଥିଲେ। ଏହାସତ୍ତ୍ବେ ପରବର୍ତ୍ତୀ ସମୟରେ ପରିବାର ଲୋକେ ସନ୍ଦେହକରି ଟ୍ୟୁସନ ବନ୍ଦ କରିଦେବାରୁ ଅଭିଯୁକ୍ତ ସେମାନଙ୍କୁ ଧମକଚମକ ଦେଇଥିଲା। ଗତ ୧୫ ତାରିଖରେ ସେ ସମ୍ବଲପୁରକୁ ଆସି ଅନୁଗୁଳିଆପଡାରେ ଏକ ଭଡାଘର ନେଇ ଭୁବନେଶ୍ୱର ଫେରି ଯାଇଥିଲେ। ଏହାପରେ ଅଚାନକ ନାବାଳିକା ଛାତ୍ରୀଙ୍କ ଘରକୁ ଯାଇ ଅଭିଭାବକଙ୍କୁ ତାର ନୂଆଦିଲ୍ଲୀରେ ଚାକିରି ହୋଇଯାଇଛି ବୋଲି କହି ଆଶୀର୍ବାଦ ଭିକ୍ଷାକରି କିଛି ସମୟ କଥାହୋଇ ଚାଲି ଆସିଥିଲେ। କିଛିସମୟ ପରେ ୨ ଭଉଣୀ ଘରେ ନଥିବା ଦେଖି ପରିବାର ଲୋକେ ଖୋଜାଖୋଜି କରିଥିଲେ। ସେମାନଙ୍କ କୋଠରି ଖଟ ଉପରେ ଆମେ ଉଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଯାଉଛୁ ବୋଲି ଚିଠି ରଖି ଦେଇଥିଲେ। ଏଣୁ ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି ପରିବାର ଲୋକେ ଯାଞ୍ଚ କରିବାରୁ ଅଭିଯୁକ୍ତ ଶିକ୍ଷକଙ୍କ ସହ ୨ ଭଉଣୀ ବାଇକ୍‌ରେ ଯାଉଥିବା ଦେଖି ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।

Comments are closed.