ବାଜି ଲାଗିଛି ବିଦ୍ୟାର୍ଥୀଙ୍କ ଜୀବନ, କରୋନା କଟକଣା ସତ୍ତ୍ବେ ଶିକ୍ଷକ କରୁଛନ୍ତି ଟିଉସନ

ସାରନଗରୀ: ଶିକ୍ଷା ବ୍ୟବସ୍ଥାରେ ଲାଗିଛି କରୋନା ଛାଟ। ସୁନ୍ଦରଗଡ଼ ଜିଲା ସମେତ ରାଉରକେଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ସେପଟେ ସ୍କୁଲ, କଲେଜ ବନ୍ଦ ରହିଛି । ଘରୋଇ ଟିଉସନ ଓ ଘରୋଇ କୋଚିଙ୍ଗ ସେଣ୍ଟର କେନ୍ଦ୍ରରେ ଝୁଲୁଛି ତାଲା । ମାତ୍ର ଦକ୍ଷିଣ ରାଉରକେଲା ଅର୍ନ୍ତଗତ ସାରନଗରୀରେ ଏହାର ବ୍ୟତିକ୍ରମ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି । ଯାହାକି ବୁଦ୍ଧିଜିବୀଙ୍କୁ ବ୍ୟଥିତ କରିଛି । କରୋନା କାଳରେ ଅର୍ଥ ଲୋଭରେ ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜି ଲଗାଉଛନ୍ତି ଅଞ୍ଚଳର କିଛି ଶିକ୍ଷକ।କରୋନା ଗାଇଡ଼ ଲାଇନକୁ ଖୁଲମଖୁଲା ଭାବେ ଉଲଂଘନ କରି ଛାତ୍ରଛାତ୍ରୀଙ୍କୁ ମେଳ କରି ପାଠ ପଡ଼ାଉଛନ୍ତି । ଯାହାକି ନିହାତି ଭାବେ ବିପଦଜ୍ଜନକ ବୋଲି ଅଭିଭାବକ ମହଲରୁ ଅଭିଯୋଗ ହୋଇଛି । ଗୋଟିଏ ଟିଉସନ ବ୍ୟାଚରେ ୧୦ରୁ ୧୫ ଜଣ ଛାତ୍ରଛାତ୍ରୀ ଏକାଠି ବସି ଶିକ୍ଷା ଆହରଣ କରୁଥିବା ବେଳେ, ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରହୁନି ସାମାଜିକ ଦୂରତା। ଯାହାକି କରୋନା ସଂକ୍ରମଣ ପାଇଁ ବାଟ ଫିଟାଇବା ଆଶଙ୍କା ପ୍ରକାଶ ପାଇଛି । ଦକ୍ଷିଣ ରାଉରକେଲାରେ ୨୦ଟି କରୋନା ପଜେଟିଭ ବାହାରି ସାରିଥିବା ବେଳେ କରୋନା କଟକଣା ଏକପ୍ରକାର ଲୋକ ଦେଖାଣିଆ ହୋଇପଡ଼ିଥିବା ସାଧାରଣରେ ଆଲୋଚନା ହେଉଛି।
ଗୋଟିଏ ପଟେ କରୋନା ମହମାରୀ ଯୋଗୁ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାର ଦୋହଲି ଯାଇଛି। ସ୍କୁଲ ଓ କଲେଜ ସ୍ତରରେ ଅନଲାଇନରେ ପାଠପଢା ହେଉଛି, ହ୍ୱାଟସଆପ ମାଧ୍ୟମରେ ଶିକ୍ଷକ, ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ମତ ବିନିମୟ କରୁଛନ୍ତି। ଶିକ୍ଷା ଏକ ମୌଳିକ ଆବଶ୍ୟକତା ହୋଇଥିବାରୁ ଏ ଦିଗରେ ସମସ୍ତ ଅଭିଭାବକମାନେ ସଚେତନ ରହିଥାନ୍ତି। ମାତ୍ର ଏହି ଆବଶ୍ୟକତା ଓ ସଚେତନତା ମଧ୍ୟରେ ଆଇନ କାନୁନକୁ ସମ୍ମାନ ଦେବା ସମସ୍ତ ସଚେତନଶୀଳ ନାଗରିକଙ୍କର କର୍ତବ୍ୟ ଅଟେ । ନିୟମଅନୁଯାୟୀ ୫ଜଣ ସର୍ବାଧିକ ଛାତ୍ରଛାତ୍ରୀ କରୋନା ସମୟରେ ସାମାଜିକ ଦୂରତା ରକ୍ଷା କରି ଘରୋଇ ଭାବେ ପାଠପଢି ପାରିବେ! ମାତ୍ର ଦକ୍ଷିଣ ରାଉରକେଲା ଓ ସାରନଗରୀ ଅଂଚଳରେ ଚାଲୁଥିବା ଘରୋଇ ଶିକ୍ଷକଙ୍କ ଘରୋଇ ଟିଉସନ ଲୁଚା ଛପାରେ ପ୍ରଶାସନର ଅଗୋଚରରେ ଚାଲୁଛି । କୋମଳମତି ପିଲାମାନଙ୍କୁ ଶିକ୍ଷାଦରାନ ଆଳରେ କରୋନା ଭଳି ଭୟଙ୍କର ଭୁତାଣୁର ଶିକାର ହେବା ପାଇଁ ଟ୍ୟୁସନ ଆଳରେ ଏଭଳି ଶିକ୍ଷକମାନେ ସୁଯୋଗ ସୃଷ୍ଟି କରୁଛନ୍ତି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ହୋଇଛି। ଶିକ୍ଷା ବିଭାଗର ଉଚ୍ଚ କର୍ତୃପକ୍ଷ ଏଭଳି ସମ୍ବେଦନଶୀଳ ଘଟଣା ପ୍ରତି ଦୃଷ୍ଟି ଦେଇ ଏ ଦିଗରେ ଆଇନ ଅନୁଯାୟୀ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.