ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ, ୫୫ ଲିଟର ଦେଶୀ ମଦ ଓ ୫ ଶହ କେଜି ମହୁଲ ପୋଚ ଜବତ

ତୁଷୁରା: ତୁଷୁରା ଅବକାରୀ ବିଭାଗ ପକ୍ଷରୁ ଗୁଡ଼ଭେଲା ଓ ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୫୫ ଲିଟର ଦେଶୀ ମଦ ଓ ୫ ଶହ କେଜି ମହୁଲ ପୋଚ ଜବତ କରାଯାଇଛି।

ବଲାଙ୍ଗିର ଅବକାରୀ ବିଭାଗ ସଦର ଇନ୍ସପେକ୍ଟର ଉଦେଲାଲ ନାଏକଙ୍କ ତତ୍ୱାବଧାନରେ ଚଢ଼ାଉ କରାଯାଇ ଦେଓଗାଁ ବ୍ଲକ ଅର୍ନ୍ତଗତ ଲଣ୍ଡାପଥର ନିକଟସ୍ଥ ଝିକେରମାଲରେ ଚୈତନ୍ୟ ବଗର୍ତୀ (୪୬)ଙ୍କ ଘରୁ ୬ ଲିଟର ଓ ଭିକାରୀ କାଲସାଏ (୪୦)ଙ୍କଠାରୁ ୫ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇଥିଲା। ସେହିପରି ଧଣ୍ଡାମାଳ ପଞ୍ଚାୟତ ଅର୍ନ୍ତଗତ ଅଁନ୍ତର୍ଲା ଗ୍ରାମ ବନମାଳୀ ବେହେରା(୫୨)ଙ୍କ ଠାରୁ ୭ ଲିଟର, ଲଣ୍ଡାପଥର ଗ୍ରାମର ଘାସିରାମ ଭୁଏ(୬୦)ଙ୍କଠାରୁ ୭ଲିଟର ମଦ ଜବତ କରାଯାଇଥିଲା। ସମସ୍ତଙ୍କୁ ପିଆର ବଣ୍ଡରେ ଜାମିନ ଦିଆଯାଇଥିଲା। ଦେଷଣ୍ଡ ଗ୍ରାମ ପତରା ଜଙ୍ଗଲରେ ଚଢ଼ାଉ କରାଯାଇ ଏକ ନିର୍ମାଣାଧିନ ଘର ମାଟି ତଳେ ଳୁଚାଯାଇଥିବା ୫ ଶହ କେଜି ମହୁଳ ପୋଚ ଜବତ କରାଯାଇଥିବା ବେଳେ ମଦ ବେପାରୀ ଫେରାର ମାରିଥିଲା। ସେହିପରି ଗୁଡ଼ଭେଲା ବ୍ଲକ ଅର୍ନ୍ତଗତ ଜାମୁଟ ଚାରି ଛକରୁ ଏକ ବାଇକରେ ୬ଟି ପ୍ୟାକେଟରେ ୩୦ ଲିଟର ଦେଶୀ ରନ୍ଧା ମଦ ନେଇଯାଉଥିବା ବେଳେ ଅବକାରୀ ଅଧିକାରୀଙ୍କୁ ଦେଖି ବାଇକ ଛାଡ଼ି ଫେରାର ମାରିଥିଲା। ଅବକାରୀ ବିଭାଗ କର୍ମଚାରୀଙ୍କ ଦ୍ୱାରା ବାଇକ ସମେତ ମଦ ଜବତ କରାଯାଇ ଏକ ମାମଲା ରୁଜୁ କରାଯାଇଛି। ତୁଷୁରା ଅବକାରୀ ଅଧିକାରୀଣୀ ଆରତୀ କିଶାନଙ୍କ ନେତୃତ୍ୱରେ ଅନ୍ୟ କର୍ମଚାରୀ ଚଢାଉରେ ସାମିଲ ରହିଥିଲେ।

Comments are closed.