ତୁଷାର ମେହତା ସଲିସିଟର ଜେନେରାଲ ନିଯୁକ୍ତ

0

ନୂଆଦିଲ୍ଲୀ : ବରିଷ୍ଠ ଆଇନଜୀବୀ ତଥା ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହତାଙ୍କୁ କେନ୍ଦ୍ର ସରକାର ସଲିସିଟର ଜେନେରାଲ ପଦରେ ନିଯୁକ୍ତି ଦେଇଛନ୍ତି। ଏହିପଦରେ ମେହତାଙ୍କ କାର୍ଯ୍ୟକାଳ ୩୦ ଜୁନ୍‍, ୨୦୨୦ ପର୍ଯ୍ୟନ୍ତ ରହିବ। ରଞ୍ଜିତ କୁମାରଙ୍କ ଇସ୍ତଫା ପରଠାରୁ ୨୦୧୭ ଅକ୍ଟୋବର ୨୦ରୁ ସଲିସିଟର ଜେନେରାଲ ଭଳି ଗୁରୁତ୍ୱପୂର୍ଣ୍ଣ ପଦ ଶୂନ୍ୟ ରହିଥିଲା। ଆଟର୍ଣ୍ଣି ଜେନେରାଲଙ୍କ ପରେ ସଲିସିଟର ଜେନେରାଲ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ଆଇନ ଅଧିକାରୀ। ନବନିଯୁକ୍ତ ତୁଷାର ମେହତା ୨୦୧୪ରୁ ଅତିରିକ୍ତ ସଲିସିଟର ଜେନେରାଲ ଭାବେ କାର୍ଯ୍ୟ ରିଆସୁଛନ୍ତି। ଏହା ପୂର୍ବରୁ ସେ ଗୁଜରାଟର ଅତିରିକ୍ତ ଆଡ୍‍ଭୋକେଟ ଜେନେରାଲ ଥିଲେ। ବିଜେପି ସଭାପତି ଅମିତ ଶାହଙ୍କର ଅତ୍ୟନ୍ତ ଘନିଷ୍ଠ ଭାବେ ଜଣାଶୁଣା। ଗୋଟିଏ ଦଶନ୍ଧି ଧରି ସେ ଶାହଙ୍କ ଆଇନ ପରାମର୍ଶଦାତା ଭାବେ ତୁଷାର ଦାୟିତ୍ୱ ନିର୍ବାହ କରିଆସୁଛଉନ୍ତି। ବିଶେଷକରି ସୋରାବୁଦ୍ଦିନ ଗୁଳିବିନିମୟ ମାମଲାରେ ତୁଷାର ଶାହଙ୍କ ଓକିଲ ଥିଲେ। ଏହାବ୍ୟତୀତ ଟୁ-ଜି ସ୍ପେକ୍ଟ୍ରମ ମାମଲାରେ ତୁଷାର ସ୍ୱତନ୍ତ୍ର ପବ୍ଲିକ ପ୍ରୋସେକ୍ୟୁଟର ଭାବେ ଗତ ଫେବୃଆରୀରେ ନିଯୁକ୍ତ ହୋଇଛନ୍ତି ଓ ଜୁନ୍‍ ୨୦୨୦ ପର୍ଯ୍ୟନ୍ତ ଏହି ପଦରେ ରହିବେ।

Leave A Reply